ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ଚନ୍ଦ୍ରଶେଖରପୁର,୨୧ ।୧୦: ନୀଳାଦ୍ରି ବିହାର ଈଶାଣେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ସେଠାରେ ରହୁଥିବା ଜଣେ ୮ ବର୍ଷିୟ ଭିନ୍ନକ୍ଷମ ନାବାଳିକାଙ୍କୁ ତାଙ୍କ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ଉକ୍ତ ବସ୍ତିରେ ରୁପାଲି (ଛଦ୍ମନାମ) ରହୁଛନ୍ତି । ତାଙ୍କର ଗୋଟିଏ ୮ ବର୍ଷିୟ ଭିନ୍ନକ୍ଷମ ଝିଅ ଅଛି । ମଙ୍ଗଳବାର ଝିଅଟି ପଡ଼ୋଶୀଙ୍କ ବାଡ଼ିରୁ କିଛି ଫୁଲ ତୋଳିଥିଲା ।

ଏହା ଦେଖି ପଡ଼ୋଶୀଙ୍କ ରକ୍ତ ଗରମ ହୋଇଯାଇଥିଲା । ଝିଅଟିକୁ ତଳେ ପକାଇ ନିସ୍ତୁକ ମାଡ ମାରିଥିଲେ । ମା’ ରୁପାଲି ଏହା ଦେଖି କାହିଁ ବାଡାଉଛ ବୋଲି ପ୍ରଶ୍ନ କରିବାରୁ ବ୍ୟକ୍ତି ଜଣଙ୍କ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ବସ୍ତିର କିଛି ଯୁବକ ପୁଲିସକୁ ଫୋନ୍‌ କରି ଜଣାଇଥିଲେ । ପୁଲିସ ପହଞ୍ଚି ମହିଳାଙ୍କୁ ଏତଲା ଦେବା ପାଇଁ କହିଥିଲା । ପରେ ରୁପାଲି ଥାନାରେ ଏତଲା ଦେଇଛନ୍ତି । ପୂର୍ବରୁ ପ୍ରାୟ ସମୟ ତାଙ୍କ ଝିଅକୁ ଏମିତି ମାଡ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ଝିଅ କଥା କହି ପାରୁନଥିବାରୁ ଘଟଣା ପଦାକୁ ଆସିପାରୁନଥିଲା । ତେବେ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି ।