୨୦ ପରେ ଆଉ ୪ କ୍ଷେତ୍ରକୁ ମିଳିବ ରିହାତି, ଜାରି ହେଲା ସଂଶୋଧିତ ଗାଇଡ୍‌ଲାଇନ

ନୂଆଦିଲ୍ଲୀ ୧୮/୪: ଲକ୍‌ଡାଉନ ସମୟରେ ଆସନ୍ତା ୨୦ ତାରିଖରୁ କରୋନା ସଂକ୍ରମିତ ହୋଇ ନଥିବା କିମ୍ବା କମ୍‌ ସଂକ୍ରମିତ ହୋଇଥିବା ଅଞ୍ଚଳରେ କେତେକ କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଗତ ୧୫ ତାରିଖରେ ଗାଇଡ୍‌ଲାଇନ ଜାରି କରାଯାଇଥିଲା । ତେବେ କେନ୍ଦ୍ର ସରକାର ଗତକାଲି ଏଥିରେ କେତେକ ସଂଶୋଧନ କରିଛନ୍ତି । ସେଥିରେ ୪ଟି ନୂଆ କ୍ଷେତ୍ରକୁ ସାମିଲ କରାଯାଇଛି । ସେଗୁଡିକ ମଧ୍ୟରେ ରହିଛି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାର କାର୍ଯ୍ୟାଳୟ ଖୋଲିବା, ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା, ବିଦ୍ୟୁତ ବଣ୍ଟନ ଓ ଟେଲିକମ୍‌ କେବୁଲ ବିଛାଇବା ଏବଂ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହଓ ବିକ୍ରି । ୨୦ ତାରିଖ ପରେ ଏହି କ୍ଷେତ୍ରଗୁଡିକ ସର୍ତ୍ତ ଭିତ୍ତିରେ କାର୍ଯ୍ୟକ୍ଷମ ହେବ ।

କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଗୁରୁବାର ରାତିରେ ଏହି ସଂଶୋଧିତ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଲାଗୁ କରିବାକୁ କୁହାଯାଇଛି । ସଂଶୋଧିତ ଗାଇଡଲାଇନ ଅନୁସାରେ ଗ୍ରାମୀଣ ବଜାରକୁ ଯେଭଳି ଅର୍ଥ ଆସିପାରିବ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହାଉସିଂ ଫାଇନାନ୍ସ କମ୍ପାନି, ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ, କୋ-ଅପରେଟିଭ କ୍ରେଡିଟ୍‌ ସୋସାଇଟି ଭଳି ଅଣ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏହି ସବୁ ସଂସ୍ଥାଗୁଡ଼ିକ ସାମାଜିକ ଦୂରତା ବଜାୟ ରଖିବା ସହିତ ଯଥାସମ୍ଭବ କମ୍‌ କର୍ମଚାରୀରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ସେହିଭଳି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ କିମ୍ବା ଜଙ୍ଗଲ ଅଧିବାସୀମାନଙ୍କୁ ଲଘୁ ବନଜାତ ସାମଗ୍ରୀ ସଂଗ୍ରହ, ଅମଳ ଓ ବିକ୍ରବଟା କରିବାକୁ ଅନୁମତି ମିଳିବ । କୃଷି ଓ ଉଦ୍ୟାନ କୃଷି ଅଧୀନରେ ସେମାନେ ଏସବୁ କାର୍ଯ୍ୟ କରିପାରିବେ। ସେମାନେ ଅଣ ଟିମ୍ବର ଜଙ୍ଗଲ ଜାତ ସାମଗ୍ରୀ ଯଥା ବାଉଁଶ, ନଡ଼ିଆ ଓ ବିଭିନ୍ନ ପ୍ରକାରର ମସଲା ଗଛର ଚାରା ରୋପଣ, ଅମଳ, ପ୍ରକ୍ରିୟାକରଣ, ବିକ୍ରି ଓ ବିପଣନ କରିପାରିବେ । ଏହାଛଡା ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ସହିତ ଜଳଯୋଗାଣ ଓ ପରିମଳ କାର୍ଯ୍ୟ ମଧ୍ୟ ଜାରି ରହିବ । ସେହିଭଳି ବିଦ୍ୟୁତ ତାର ଟାଣିବା, ଖୁଣ୍ଟ ପୋତିବା, ବିଦ୍ୟୁତ ମରାମତି ଓ ଯୋଗାଣ ଏବଂ ଟେଲିକମ୍‌ କେବୁଲ କିମ୍ବା ଅପଟିକାଲ ଫାଇବର ବିଛା ଯିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ ଲକ୍‌ଡାଉନ ଅବଧିକୁ ଆହୁରି ୧୯ ଦିନ ଅର୍ଥାତ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ । କିନ୍ତୁ ଲକ୍‌ଡାଉନ ଭିତରେ ଯେଉଁ ଅଞ୍ଚଳରେ ରୋଗ ସଂକ୍ରମଣ ନଥିବ କିମ୍ବା କମ୍‌ ଥିବ ସେଠାରେ କିଛି ଜରୁରି କାର୍ଯ୍ୟକୁ ସର୍ତ୍ତ ଭିତରେ ଏପ୍ରିଲ ୨୦ ପରେ ଅନୁମତି ଦିଆଯିବ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ଏପ୍ରିଲ ୧୫ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି କରାଯାଇଥିଲା । ସେଥିରେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ତେବେ ଏହି ନୂଆ ଗାଇଡ୍‌ଲାଇନରେ ଦେଶର ସମସ୍ତ ନାଗରିକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେହିଭଳି ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ଏଥିସହ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦଣ୍ଡ ସ୍ୱରୂପ ଜରିମାନା କରାଯାଇଛି । ସୂଚନାଯୋଗ୍ୟ ଯେ କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ଦେଶରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକ୍‌ଡାଉନ ଲାଗୁ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମାର୍ଚ୍ଚ ୧୪ରେ ଶେଷ ହୋଇଥିଲା ବେଳେ ସେହିଦିନ ଏହାକୁ ଆହୁରି ୧୯ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

   ସମ୍ବନ୍ଧିତ ଖବର


‘ଭୂତ ପୁଲିସ’ ପାଇଁ ୟାମି ପ୍ରସ୍ତୁତ, ଟ୍ବିଟ କରି ଦେଲେ ସୂଚନା…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ