
ତାଳଚେର ୦୨/୧୨: ତାଳଚେର କୋଇଲା ଖଣି ଅଞ୍ଚଳରେ ଦୀର୍ଘ ଦିନ ଧରି ଡିଜେଲ୍ ଚୋରି ଆତଙ୍କ ଖେଳାଇଥିବା ଏକ ଚୋର ଗ୍ୟାଙ୍ଗ୍ ପୁଲିସ୍ ହାବୁଡରେ ପଡ଼ିଛନ୍ତି । କୋଲିୟର ଥାନା ପୁଲିସ୍ ଗ୍ୟାଙ୍ଗ୍ର ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଅନନ୍ତ ବିହାର କଲୋନୀର ଦୀପକ କୁମାର ପ୍ରଧାନ(୨୭), ସେଣ୍ଟ୍ରାଲ୍ କଲୋନୀର ନିପୁ ନାଏକ (୨୦), କଟକ ଦରଘା ବଜାରର ଏମ୍ଡି ଇଞ୍ଜେମାମ୍ (୨୮), ସେକ୍ ଜାହିର (୨୩), ଚାଳଗଡ଼ ଗ୍ରାମର ସାହିଲ ନାଏକ (୨୨), ଦେଉଳବେଡ଼ା କଲୋନୀର ଆଶୁତୋଷ ବାରିକ(୨୩), ସାଉଥବଲଣ୍ଡାର ୟାମ୍ ବାହାଦୁର ଥାପ୍ପା(୪୫), ଅନନ୍ତ ସିକ୍ୟୁରିଟି କ୍ୟାମ୍ପର କାହ୍ନୁ ଚରଣ ବେହେରା (୫୩) । ପୁଲିସ୍ ସେମାନଙ୍କ ଠାରୁ ୩୦୦ ଲିଟର ଡିଜେଲ୍, ୨ଟି ପିସ୍ତଲ, ୮ଟି ଗୁଳି, ଗୋଟିଏ ବୋଲେରୋ, ୩ଟି ବାଇକ୍ ଓ ୧୦ଟି ମୋବାଇଲ୍ ଫୋନ୍ ଜବତ କରିଛି ।
ପୁଲିସ୍ ସୂଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ତାଳଚେର କୋଇଲା ଖଣି ଅଞ୍ଚଳର ବିଭିନ୍ନ ଟ୍ରକରୁ ଡିଜେଲ୍ ଚୋରି କରି ବାହରକୁ ଚାଲାଣ କରୁଥିଲେ । ସେମାନେ ପ୍ରତିଦିନ ମାରଣାସ୍ତ୍ର ଧରି ଖଣିରେ ଲୋକଙ୍କୁ ଭୟଭୀତ କରି ଲୁଟ୍ପାଟ କରୁଥିଲେ । ଦୁର୍ବୃତ୍ତଙ୍କ ଏହି ଆତଙ୍କରାଜ ପୁଲିସ୍ର ନିଦ ହଜାଇ ଦେଇଥିଲା । ଏ ନେଇ ବାରମ୍ବାର ଥାନାରେ ଅଭିଯୋଗ ହୋଇ ଆସୁଥିବା ବେଳେ ପୁଲିସ୍ ଆଜି ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ବିଭିନ୍ନ ଥାନାରେ ବିଭିନ୍ନ ହତ୍ୟା, ରାହାଜାନୀ ମାମଲାରେ ସମ୍ପୃକ୍ତି ରହିଛି । ଏହି ଗ୍ୟାଙ୍ଗରେ ଥିବା ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ପୁଲିସ ସୂଚନା ଦେଇଛି ।