ବିଜେପି ଅଫିସ୍ରେ ଭଙ୍ଗାରୁଜା, ତାଲା

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ବିଜେପି ଟିକେଟ୍ ମିଳିବ ବୋଲି ଆଶା ରଖିଥିଲେ । ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଟିକେଟ ମିଳିବା ଖୁସିରେ କିଛି ଆଶାୟୀ ଆଗୁଆ ପୂଜାର୍ଚ୍ଚନା ଓ ଭୋଜିଭାତ କରି ସାରିଥିଲେ । କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା ପରେ ସବୁ ହିସାବ ଓଲଟପାଲଟ ହୋଇଗଲା । ଟିକେଟ ଆଶା, ଆଶାରେ ରହିଗଲା । ତା’ ପରେ ଆରମ୍ଭ ହୋଇଗଲା ହଲ୍ଲାବୋଲ । ବିଜେପି ଟିକେଟ ଆଶାୟୀ ମାନେ ଗତକାଲିଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ଅନ୍ୟ ସ୍ଥାନରେ ଥିବା ଅଫିସ୍ରେ ହୋହଲ୍ଲା ହୋଇଛି । ନେତାଙ୍କ ବିରୋଧରେ ବିକ୍ଷୋଭଠୁ ନେଇ ଅଫିସ୍ରେ ଭଙ୍ଗାରୁଜା ଓ ତାଲା ପକାଇବା ଯାଏ ହରକତ କରିଛନ୍ତି । ଦୁଇଟି ଦଫାରେ ବିଜେପି ୧୨୧ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ।
ଗତକାଲି ଏକାମ୍ର ଭୁବନେଶ୍ୱର ଆସନରେ ଗତଥର ପ୍ରାର୍ଥୀ ହୋଇଥିବା ଅମୀୟ ଦାଶଙ୍କୁ ବାଦ୍ ଦେଇ ବାବୁ ସିଂଙ୍କୁ ଟିକେଟ ଦିଆଯାଇଛି । ସେ ନିକଟରେ ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ । କିନ୍ତୁ ଅମୀୟଙ୍କ ସମର୍ଥକମାନେ ଏହାକୁ ଗ୍ରହଣ କରି ପାରିନଥିଲେ । ଅମୀୟଙ୍କୁ ଟିକେଟ ନ ଦେବା ପ୍ରତିବାଦରେ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ । ରାତି ପ୍ରାୟ ୧୨ଟା ବେଳକୁ ବିଜେପି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଅଫିସ୍ ଫାଟକରେ ତାଲା ପକାଇ ଦେଇଥିଲେ । ଅମୀୟଙ୍କ ସମର୍ଥନରେ ସ୍ଲୋଗାନ୍ ଦେବା ସହ ତାଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ । ରାତିତମାମ ଅଫିସ୍ ଆଗରେ ଏଭଳି ହୋହଲ୍ଲା ଚାଲିଥିଲା । ରାତିରେ ବିଜେପି ଉପସଭାପତି ସମୀର ମହାନ୍ତି ଆସି ଅମୀୟଙ୍କ ସମର୍ଥକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁି ସେମାନେ ବୁଝିନଥିଲେ । ଫାଟକ ବାହାରେ ଥିବା ବିଜେପିର କିଛି ହୋର୍ଡିଂ ଓ ବ୍ୟାନରକୁ ମଧ୍ୟ ଚିରି ଦେଇଥିଲେ । ଗତକାଲି ରାତିରେ ସମୀରଙ୍କ ବାସଭବନରେ ତାଙ୍କର ଏକ କାର୍କୁ ମଧ୍ୟ କେହି ଭଙ୍ଗାରୁଜା କରିଥିବା ଅଭିଯୋଗ ଆସିଛି ।
ଆଜି ଦିନ ସାରା ଅମୀୟଙ୍କ ସମର୍ଥକମାନେ ବିଜେପି ଅଫିସ୍ ଆଗରେ ଧାରଣାରେ ବସିଥିଲେ । ଏଥିପାଇଁ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ମିଶ୍ରଣ କାର୍ଯ୍ୟକ୍ରମ ଦଳୀୟ କାର୍ଯ୍ୟାଳୟରେ ହୋଇପାରିନଥିଲା । ଏହାକୁ ବାତିଲ କରି ଅନ୍ୟତ୍ର କରାଗଲା । ପରେ ନିଜେ ଅମୀୟ ନିଜ ସମର୍ଥକଙ୍କୁ ବୁଝାସୁଝା କରି ସେଠାରୁ ଉଠାଇଥିଲେ । ଆଳିରୁ ଆଶାୟୀ ଥିବା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ବଦଳରେ ଦୋଳଗୋବିନ୍ଦଙ୍କୁ ଟିକେଟ ମିଳିଥିବାରୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ରାଜନଗରରୁ ଅଲେଖ ଜେନାଙ୍କ ଟିକେଟ୍ ମିଳିଥିବାରୁ ଏହାକୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ହୋଇଛି । ଉଭୟ ଭୁବନେଶ୍ୱର ଓ ଆଳି ବିଜେପି ଅଫିସ ଆଗରେ କର୍ମୀମାନେ ହୋହଲ୍ଲା କରିଛନ୍ତି । ବରଗଡ଼ରେ ସୁବାସ ଚୌହାନଙ୍କୁ ଟିକେଟ୍ ମିଳିନଥିବାରୁ ତାଙ୍କ ସମର୍ଥକମାନେ ବରଗଡ଼ ଓ ଭୁବନେଶ୍ୱର ବିଜେପି ଅଫିସ୍ ଆଗରେ ବିକ୍ଷୋଭ କରିଛନ୍ତି ।
କଳାହାଣ୍ଡି ଲୋକସଭା ଆସନ ପାଇଁ ଆଶାୟୀ ଥିବା ପ୍ରଦୀପ୍ତ ନାୟକଙ୍କ ବଦଳରେ ବସନ୍ତ ପଣ୍ଡାଙ୍କୁ ଟିକେଟ୍ ମିଳିଛି । ଏହାକୁ ସେ ଓ ତାଙ୍କ ସମର୍ଥକମାନେ ଜୋର୍ଦାର ବିରୋଧ କରିଛନ୍ତି । ସମର୍ଥକମାନେ ରାସ୍ତାକୁ ଆସି ଅସନ୍ତୋଷ ଜାହିର୍ କରିଛନ୍ତି । ଦଳୀୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି । ଦିଗପହଣ୍ଡିରେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍ ମିଳିବା ପରେ ଏହାକୁ ସ୍ଥାନୀୟ ନେତା ବିରୋଧ କରିଛନ୍ତି । ସ୍ଥାନୀୟ ଅଫିସ୍ ଆଗରେ ଏହାର ପ୍ରତିବାଦ କରିଛନ୍ତି । କୋରାପୁଟ ଲକ୍ଷ୍ମୀପୁର ଆସନରୁ କୁମୁନ୍ଦ ଚନ୍ଦ୍ର ସାଉନ୍ତଙ୍କୁ ଟିକେଟ୍ ମିଳିବା ପରେ ଆଶାୟୀ ପ୍ରାର୍ଥୀ ଏହାକୁ ବିରୋଧ କରିଛନ୍ତି । ଲକ୍ଷ୍ମୀପୁର ବିଜେପି ଅଫିସ୍ରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ କରିଛନ୍ତି । କୋରାପୁଟ ଲୋକସଭା ଆସନରୁ ଜୟରାମ ପାଙ୍ଗୀଙ୍କୁ ପାର୍ଥୀତ୍ୱକୁ ବିରୋଧ କରି ଅନେକ ବିଜେପି କର୍ମୀ ନାରାବାଜି କରିଛନ୍ତି । ଭଦ୍ରକ ବାସୁଦେବପୁରରେ ମାଧବାନନ୍ଦ ମଲ୍ଲିକଙ୍କୁ ଟିକେଟ୍ ମିଳିନଥିବାରୁ ତାଙ୍କ ସମର୍ଥକମାନେ ସ୍ଥାନୀୟ ବିଜେପି ଅଫିସ୍ରେ ତାଲା ପକାଇ ଦେଇଛନ୍ତି ।