PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଯୁକ୍ତ ଦୁଇ ମୂଲ୍ୟାୟନ: ପ୍ରଥମ ଦିନରୁ ବିଭ୍ରାଟ, ଖୋଲୁନି ଖାତା

source:scroll.in

ଭୁବନେଶ୍ୱର,୮ା୪(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପାଖାପାଖି ୧୬୦୦ ଅଧ୍ୟାପକ ଓ ଅଧ୍ୟାପିକା ମାନେ କେନ୍ଦ୍ରରେ ଯୋଗ ଦେଇ ନାମ ପଞ୍ଜୀକରଣ କରିଥିଲେ । ପରେ ସେମାନଙ୍କୁ ଖାତା ଦେଖା ସମ୍ପର୍କରେ ବିଭିନ୍ନ ବିଷୟରେ କୁହାଯାଇଥିଲା । ହେଲେ ପ୍ରଥମ ଦିନରୁ ହିଁ ଖାତା ଦେଖାରେ ବିଭ୍ରାଟ ହୋଇଛି । ଅଫ୍‌ଲାଇନ୍‌ ଅର୍ଥାତ୍‌ ମାନୁଆଲ୍‌ ଖାତା ଦେଖାରେ କୌଣସି ବିଭ୍ରାଟ ହୋଇନଥିଲେ ମଧ୍ୟ ଇ-ମୂଲ୍ୟାୟନ ତଥା ଅନ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ ପାଇଁ ସମସ୍ୟା ଉପୁଜିଥିଲା । ଅଧ୍ୟାପକମାନେ ଇ-ମୂଲ୍ୟାୟନ ପାଇଁ କମ୍ପ୍ୟୁଟରରେ ଓଟିପି ଦେବା ପରେ ଖାତା ଡାଉନ୍‌ଲୋଡ୍‌ ହେଲା ନାହିଁ ।

ସେହିଭଳି ପ୍ରଶ୍ନପତ୍ର ଅପ୍‌ସନ୍‌ ମାରିବା ପରେ କିଛି ଆସୁନଥିଲା । ଅନେକ ସ୍ଥାନରେ ଅଧ୍ୟାପକମାନେ ବିଜ୍ଞାନ ଖାତା ଡାଉନ୍‌ଲୋଡ୍‌ କରିବାବେଳେ ଭୁଲ୍‌ରେ ବାଣିଜ୍ୟ ବିଷୟ ଖାତା ଆସୁଥିଲା । ରାଜ୍ୟର ପ୍ରାୟ ଇ-ମୂଲ୍ୟାୟନ କେନ୍ଦ୍ରରେ ଏଭଳି ସମସ୍ୟା ଦେଖାଯାଇଥିଲା ବୋଲି ଅଧ୍ୟାପକମାନେ କହିଛନ୍ତି । ଅନ୍ୟପକ୍ଷରେ ଏସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଡେପୁଟି କଣ୍ଟ୍ରୋଲର୍‌ ବସନ୍ତ କୁମାର ଦାସ କହିଛନ୍ତି, ପ୍ରଥମ ଦିନରେ ଆଜି ଅଧ୍ୟାପକ-ଅଧ୍ୟାପିକାଙ୍କ ପଞ୍ଜୀକରଣ କରାଯାଇଥିଲା । କୌଣସି ସ୍ଥାନରେ ଏପରି ହୋଇଛି ବୋଲି କିଛି ଖବର ଆସିନାହିଁ । ଆସନ୍ତାକାଲିଠୁ ମୂଲ୍ୟାୟନ ହେବ । ମୂଲ୍ୟାୟନରେ କୌଣସି ଅସୁବିଧା ମଧ୍ୟ ହେବ ନାହିଁ ।

ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଅଫଲାଇନ୍‌ ଖାତା ଦେଖା ୫୮ଟି କେନ୍ଦ୍ରରେ ହେବା ବେଳେ ୩୬ଟି କେନ୍ଦ୍ରରେ ଅନ୍‌ଲାଇନ୍‌ରେ ଖାତା ଦେଖା ହେବ । ଏହି ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଏମ୍‌ଆଇଏଲ୍‌(ଓଡ଼ିଆ), ଇଂରାଜୀ ଓ ଆଇଟି ବିଷୟର ଖାତା ମୂଲ୍ୟାୟନ ହେବ । ସେହିପରି ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଇଂରାଜୀ, ଏମ୍‌ଆଇଏଲ୍‌(ଓଡ଼ିଆ), ଆକାଉଣ୍ଟାନ୍ସି, ବିଜିନେସ୍‌ ମାଥ୍‌ମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍‌ ଓ ଆଇଟି ବିଷୟର ଖାତା ଦେଖା ହେବ । କଳାର ଆଇଟି, ରାଜନୀତିବିଜ୍ଞାନ, ଇତିହାସ, ଅପ୍ସନାଲ୍‌ର ୪ଟି ବିଷୟ (ଓଡ଼ିଆ, ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ)ର ମୂଲ୍ୟାୟନ କରାଯିବ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୧ ଓ ୧୮ ତାରିଖରେ ସାଧାରଣ ନିର୍ବାଚନ ହେବ । ତେଣୁ ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୨୨ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ ।

ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ୨୩ରୁ ଆରମ୍ଭ ହୋଇ ମେ’ ୨ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୨୩ ଓ ୨୯ ତାରିଖ ଦିନ ସାଧାରଣ ନିର୍ବାଚନ ହେବ । ଫଳରେ ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ମୂଲ୍ୟାୟନ ସମୟକୁ ମେ’ ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍‌, ଇଲେକ୍‌ଟ୍ରୋନିକ୍‌, ଭୂତତ୍ତ୍ୱ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ଷ୍ଟାଟିଷ୍ଟିକ୍ସ ଓ ଭୂଗୋଳ ବିଷୟର ଖାତା ଦେଖା ହେବ ।

ସେହିପରି ବାଣିଜ୍ୟର ବିିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍‌, କଷ୍ଟ୍‌ ଆକାଉଣ୍ଟିଂ, ବିଜିନେସ୍‌ ଇକୋନୋମିକ୍‌, ଏଫ୍‌ଏମ୍‌ଏ, ଇନ୍ୟୁସ୍‌ରାନ୍ସ, ରୁରାଲ୍‌ ଡେଭଲ୍ପମେଣ୍ଟ ବିଷୟର ମୂଲ୍ୟାୟନ ହେବ । କଳା ଛାତ୍ରଛାତ୍ରୀଙ୍କ ଏମ୍‌ଆଇଏଲ୍‌(ଓଡ଼ିଆ), ଇରାଂଜୀ, ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ଗୃହ ବିଜ୍ଞାନ, ଭୂଗୋଳ, ଅର୍ଥନୀତି, ଷ୍ଟାଟିଷ୍ଟିକ୍‌, ତର୍କଶାସ୍ତ୍ର, ନୃତତ୍ତ୍ୱ ବିଷୟର ଖାତା ଦେଖା ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଖାତା ମୂଲ୍ୟାୟନ ସମୟରେ କେନ୍ଦ୍ର ଭିତରକୁ ମୋବାଇଲ୍‌ ନେବା ପାଇଁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର