ଆମାଜନର ପ୍ରତିଷ୍ଠାତାଙ୍କ ଠାରୁ ଛାଡପତ୍ର ନେବା ପରେ ଏହି ମହିଳା ହେଲେ ବିଶ୍ବର ୪ର୍ଥ ସବୁଠାରୁ ଧନୀ…

ନୂଆଦିଲ୍ଲୀ,୫।୪: ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ସ୍ତ୍ରୀ ମ୍ୟାକକେଞ୍ଜି ବିଶ୍ବର ୪ର୍ଥ ସବୁଠାରୁ ଧନୀ ମହିଳା ହୋଇଯାଇଛନ୍ତି। ପ୍ରକୃତ କଥା ହେଉଛି ବେଜୋସ୍ ଏବଂ ମ୍ୟାକକେଞ୍ଜି ମଧ୍ୟରେ ଛାଡପତ୍ର ପକ୍ରିୟା ଶେଷ ହୋଇଯାଇଛି। ଏହାପରେ ମ୍ୟାକକେଞ୍ଜି ତାଙ୍କ ଭାଗରେ ଆମାଜନର ୪ ପ୍ରତିଶତ ସେୟାର ପାଇଛନ୍ତି। ଏହି ସେୟାରର ମୂଲ୍ୟ ୩୬.୫ ବିଲିୟନ ଡଲାର (ପ୍ରାୟ ୨.୫୨ ଲକ୍ଷ କୋଟି ଟଙ୍କା) ହୋଇଯାଇଛି।
— MacKenzie Bezos (@mackenziebezos) April 4, 2019
ଏହା ସହିତ ମ୍ୟାକକେଞ୍ଜି ବିଶ୍ବର ଶ୍ରେଷ୍ଠ ୪ ଜଣ ଧନୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଶ୍ବର ସବୁଠାରୁ ଧନୀ ୩ଜଣ ମହିଳା ସମ୍ପର୍କରେ ଯଦି କଥା ହେବା ତେବେ ଲୋରିୟଲ ଗ୍ରୁପର ଫ୍ରାଙ୍କୋଇସ୍ ମୀୟର୍ସ ୫୩.୭ ବିଲିୟନ ଡଲାର ସହିତ ସବୁଠାରୁ ଆଗରେ ରହିଛନ୍ତି। ସେଭଳି ଓ୍ବାଲମାର୍ଟର ଏଲାଇସ ଓ୍ବାଲଟନଙ୍କ ପାଖରେ ୪୪.୨ ବିଲିୟନ ଡଲାର ଓ ଜ୍ୟାକଲିନ୍ ମାର୍ସ(ମାର୍ସ,ୟୁଏସ୍)ର ସମ୍ପତ୍ତି ୩୭.୧ ବିଲିୟନ ଡଲାର ରହିଛି।
ମ୍ୟାକକେଞ୍ଜିଙ୍କ ପାଖକୁ ୪% ସେୟାର ଯିବା ପରେ ଜେଫ୍ ବେଜୋସଙ୍କ ପାଖରେ ଏବେ ଆମାଜନର ୧୨% ସେୟାର ରହିଛି। ଏହାପରେ ମଧ୍ୟ ଜେଫ୍ ବେଜୋସ ୧୪୪ ବିଲିୟନ ଡଲାର(୭.୮୭ ଲକ୍ଷ କୋଟି ଟଙ୍କା)ର ନେଟଓ୍ବର୍ଥ ସହିତ ବିଶ୍ବର ସବୁଠାରୁ ଧନୀ ଲୋକ ଭାବରେ ମଧ୍ୟ ରହିଛନ୍ତି। ଏହି ଛାଡପତ୍ର ପକ୍ରିୟାରେ ଜେଫ୍ ବେଜୋସଙ୍କ ପତ୍ନୀ ମ୍ୟାକକେଞ୍ଜିଙ୍କୁ ଭୋଟିଂ ଅଧିକାର ମିଳିଯାଇଛି। ଏହାର ଅର୍ଥ ହେଉଛି ଯେ କମ୍ପାନୀର କୌଣସି ନିଷ୍ପତ୍ତିରେ ସେ ହସ୍ତକ୍ଷେପ କରିବେ ନାହିଁ।
ଉଲ୍ଲେଖନୀୟ ଯେ, ଜେଫ୍ ବେଜୋସ୍ ଓ ମ୍ୟାକକେଞ୍ଜିଙ୍କର ଆମାଜନରେ ୧୬ ପ୍ରତିଶତ ମିଳିତ ଅଂଶୀଦାର ଥିଲା। ଏହା ଛଡା ବିଭିନ୍ନ ସ୍ଥାନରେ ମଧ୍ୟ ଜେଫ୍ ବେଜୋସଙ୍କ ନିବେଶ ରହିଛି। ସବୁଠାରୁ ବଡ କଥା ହେଉଛି ଛାଡପତ୍ର ପରେ ମ୍ୟାକକେଞ୍ଜିଙ୍କ ପାଖରେ ବିଶ୍ବର ସବୁଠାରୁ ଧନୀ ମହିଳା ହେବାର ସୁଯୋଗ ଥିଲା। କାରଣ ଓ୍ବାଶିଂଟନର ନିୟମ ଅନୁସାରେ ବିବାହ ପରେ ଅର୍ଜିତ ସମ୍ପତ୍ତି ଛାଡପତ୍ର ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ ପରିପାଣରେ ବାଣ୍ଟି ଦିଆଯାଇଥାଏ। ଯଦି ଏଭଳି ହୋଇଥାନ୍ତା ତେବେ ମ୍ୟାକକେଞ୍ଜି ବିଶ୍ବର ସବୁଠାରୁ ଧନୀ ମହିଳା ହୋଇପାରିଥାନ୍ତେ। କିନ୍ତୁ ସେ ଏଭଳି କରିନାହାନ୍ତି। ଏଭଳି ହୋଇଥିଲେ ଜେଫ୍ ବେଜୋସ୍ ବିଶ୍ବର ଧନୀ ଲୋକଙ୍କ ମଧ୍ୟରେ ୪ର୍ଥ ନମ୍ବରକୁ ଚାଲିଆସିଥାନ୍ତେ ।