ପେଷାରେ ଡାକ୍ତର, ୭୨ ବର୍ଷ ଅତିକ୍ରାନ୍ତ କରିଥିଲେ ବି ବୟସ ତାଙ୍କ ପାଇଁ ଏକ ସଂଖ୍ୟା ମାତ୍ର -ଜାଣନ୍ତୁ କାହିଁକି ସେ ଏତେ ସୁସ୍ଥ ସବଳ

ରାୟଗଡ଼ା: ଭବିଷ୍ୟତ ବଂଶଧରକୁ ବଞ୍ଚାଇବାକୁ ହେଲେ ମଣିଷକୁ ଶାରୀରିକ ପରିଶ୍ରମ ନିହାତି କରିବାକୁ ପଡ଼ିବ । ଆଧୁନିକ ଜୀବନ ପଦ୍ଧତି ବିଭିନ୍ନ ରୋଗ ଡାକି ଆଣୁଛି । କେବଳ ଔଷଧରେ ସବୁକିଛି କାମ ଦେବନି । ଶରୀର ଓ ମନକୁ ଫୂର୍ତ୍ତି ରଖିବାକୁ ହେଲେ ପ୍ରତିମୁହୂର୍ତ୍ତରେ ବ୍ୟାୟାମ ଦରକାର । ଶରୀରିକ ପରିଶ୍ରମ ଆମକୁ ସୁଖନିଦ୍ରା ଦେବ । ରାୟଗଡା ସହରର ରହୁଛନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ତ୍ରିପାଠୀ ।
ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଡିପି କହନ୍ତି । ୭୨ ବର୍ଷ ଅତିକ୍ରାନ୍ତ କରିଥିଲେ ବି ବୟସ ତାଙ୍କ ପାଇଁ ଏକ ସଂଖ୍ୟା ମାତ୍ର । ଡାକ୍ତରୀ ଜୀବନରେ ସବୁକିଛି ସାଧନ ଥିବା ସତ୍ତେ୍ୱ ଦୀର୍ଘ ୫୦ବର୍ଷ ଧରି ସାଇକେଲରେ ଯାଇ ସମସ୍ତ କାର୍ଯ୍ୟ କରି ଆସୁଛନ୍ତି । ସାଇକେଲରେ ବୁଲିବା ସମ୍ପର୍କରେ ଡିପି ଗୋଟିଏ କଥା କହନ୍ତି, ସାଇକେଲ ଆମ ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖେ । ସବୁଦିନ ସାଇକେଲ ଚଳାଇବା ହେଉଛି ସର୍ବୋତ୍ତମ ବ୍ୟାୟାମ । ସମୟ ଆସିଛି, ସାଇକେଲ ଚାଳନାକୁ ରୋଗ ନିମନ୍ତେ ମହୌଷଧି ଭାବେ ଲୋକେ ଭାବିବା ଆରମ୍ଭ କଲେଣି ।
ଅନେକ ବ୍ୟକ୍ତି ସ୍ୱାସ୍ଥ୍ୟ ରକ୍ଷା ପାଇଁ ପ୍ରତିଦିନ କିଛି ନା କିଛି ବାଟ ସାଇକେଲ ଚଳାଉଛନ୍ତି । ଯେଉଁଥିପାଇଁ ପ୍ରତିଘରେ ୨ ଓ ୪ ଚକିଆ ଗାଡ଼ି ସତ୍ତେ୍ୱ ସାଇକେଲ ରହିବା ଏକପ୍ରକାର ଟ୍ରେଣ୍ଡ ପାଲଟିଛି । ଡିପି ନିଜ ପୁରୁଣାକାଳିଆ ହର୍କୁଲେସ୍ ସାଇକେଲରେ ସହରରେ ବୁଲି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ପରିଣତ ବୟସରେ ପୂରା ଫିଟ୍ ରହି ନିଜର ସବୁକାମ ସାଇକେଲରେ ବୁଲି କରୁଛନ୍ତି । ରିଂରୋଡ଼ସ୍ଥିତ ତାଙ୍କ ଘରୁ ବାହାରି ସକାଳୁ ବୁଲିବା ପରେ ପୁଣି ଘରକୁ ଆସନ୍ତି । ପୁରୁଣା ହର୍କୁଲେସ ସାଇକେଲକୁ ଅତ୍ୟନ୍ତ ଯତ୍ନର ସହ ସାଇତି ରଖି ବର୍ତ୍ତମାନ ସୁଦ୍ଧା ବ୍ୟବହାର କରୁଛନ୍ତି । ସତୁରୀ ଦଶକରୁ ରାୟଗଡ଼ା ଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରି ଏଠି ହିଁ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ହେବ ସେ ଜଣେ ଭଲ ଶିଶୁ ବିଶେଷଜ୍ଞ ଭାବେ ଘରେ ଘରେ ପରିଚିତ । ଶିଶୁଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରିବା ସହ ତାଙ୍କର ମିଠା କଥା ଅଭିଭାବକଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି । ଚିକତ୍ସା କ୍ଷେତ୍ରରେ ଯେମିତି ସୁନାମ ଅର୍ଜିଛନ୍ତି, ନିଜର ସରଳ ଚାଲିଚଳନ ପାଇଁ ମଧ୍ୟ ସେଭଳି ପ୍ରଶଂସିତ ହୋଇଛନ୍ତି ।
ଧନୀ ଗରିବ କିମ୍ବା ଅସହାୟ ତାଙ୍କ ନିକଟରେ କୌଣସି ଭେଦଭାବ ନାହିଁ । ସାଇକେଲରେ ପୂରା ସହରରେ ପ୍ରତିଦିନ ଚକ୍କର କାଟୁଥିବା ନଜରକୁ ଆସିଥାଏ । ରିଂରୋଡ଼ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୋଡ଼, ମେନରୋଡ଼, ଜାତୀୟ ରାଜପଥ, ବସଷ୍ଟାଣ୍ଡ ଭଳି ସବୁ ସ୍ଥାନରେ ସେ ସାଇକେଲରେ ପ୍ରତିଦିନ ବୁଲି ସମୟ ଅତିବାହିତ କରିବା ସହ କାର୍ଯ୍ୟ ମଧ୍ୟ କରିଥାଆନ୍ତି । ନିଜ ଜୀବନଚର୍ଯ୍ୟା ସମ୍ପର୍କରେ ସେ କହନ୍ତି, ପ୍ରତିଦିନ ଅତିକମରେ ୧୦ କିଲୋମିଟର ସାଇକେଲ ଚାଳନା କରୁଛନ୍ତି । ସୁସ୍ଥ ପରିବେଶରେ ସାଇକେଲ ଚାଳନା କଲେ ଅନେକ ରୋଗ ପାଖ ମାଡ଼ିନଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିତିଦିନ ସାଇକେଲ ଚାଳନା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।