ନିଜ ଜୀବନ ଦେଇ ୩୦ ଜଣଙ୍କୁ ବଞ୍ଚାଇଲା କୁକୁର

ଲଷ୍ନୌ,୧୩।୪: କୁକୁର ଦୁନିଆର ସବୁଠାରୁ ବିଶ୍ବସ୍ତ ପଶୁ। ଏହାକୁ ସମସ୍ତେ ଜାଣନ୍ତି। ମଣିଷ ଠାରୁ କିଛି ଉପକାର କିମ୍ବା ମୁଠାଏ ଖାଦ୍ୟ ଖାଇଥିଲେ ଏହାକୁ ପରିଶୋଧ କରିବାକୁ କୁକୁର ନିଜର ଜୀବନକୁ ମଧ୍ୟ ବାଜି ଲଗାଇଦିଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାନ୍ଦା ଜିଲାରେ । ଏଠାରେ ଏକ ପାଳିତ କୁକୁର ଯୋଗୁଁ ୩୦ ଲୋକଙ୍କ ଜୀବନ ବଞ୍ଚିଯାଇଛି। ମିଳିଥିବା ଖବର ଅନୁସାରେ ଅତାରା ବିଜ୍ଞାପିତ ଅଞ୍ଚଳସ୍ଥିତ ଏକ ଫର୍ଣିଚର ଦୋକାନରେ ସର୍ଟସର୍କିଟ ଯୋଗୁଁ ଗତ ଗୁରୁବାର ରାତିରେ ନିଆଁ ଲାଗିଯାଇଥିଲା। ସେହି ୪ ମହଲା କୋଠାରେ ରାତିରେ ଲୋକମାନେ ନିଜ ନିଜ ଘରେ ଶୋଇଥିଲେ। ତେବେ ଏହି ସମୟରେ ଏହି ବିଲ୍ଡିଂରେ ରହୁଥିବା ଜଣଙ୍କର ପାଳିତ କୁକୁର ଭୋକି ଭୋକି ଲୋକଙ୍କୁ ସତର୍କ କରାଇଥିଲା। ଫଳରେ ଲୋକେ ଘରୁ ବାହାରକୁ ଆସି ଜୀବନ ରକ୍ଷା କରିଥିଲେ। ମାତ୍ର ସେଠାରେ ଏକ ସିଲିଣ୍ଡର ବିସ୍ଫୋରଣରେ କୁକୁରଟି ପ୍ରାଣ ହରାଇଛି।

ଅଗ୍ନିକାଣ୍ଡରେ କୋଠାର ୪ଟି ମହଲା କ୍ଷତିଗ୍ରସ୍ତ ହୋଇଛି। ତେବେ ଏଭଳି ଦୁର୍ଘଟଣାକୁ ବର୍ତ୍ତି ଯାଇଥିବା ଲୋକମାନେ ମଧ୍ୟ ଏବେ ବି ଭୟରେ ଅଛନ୍ତି। ସେମାନେ ବାରମ୍ବାର ସେହି କୁକୁରକୁ ଧନ୍ୟବାଦ ଦେଉଛନ୍ତି। ପୁଲିସ୍ କହିବା ଅନୁସାରେ କୋଠାର ତଳ ମହଲାରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ନିଆଁ ଲାଗିଥିଲା। ପର୍ଣ୍ଣିଚର ଦୋକାନରୁ ଧୂଆଁ ବାହରୁଥିବା ଦେଖି କୁକୁରଟି ଜୋରରେ ଭୋକିଥିଲା। କୋଠାରେ ଉପର ମହଲାରେ ରହୁଥିବା ନିଜ ମାଲିକ ଏବଂ ପରିବାର ଲୋକଙ୍କୁ ସତର୍କ କରାଇବାକୁ ପାଳିତ କୁକୁରରଟି ଲଗାତାର ଭୋକି ଚାଲିଥିଲା। କୁକୁର ଯୋଗୁଁ କୋଠରେ ରହୁଥିବା ତାର ମାଲିକ ଓ ଅନ୍ୟ ଲୋକମାନେ ସତର୍କ ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ସେମାନେ ଘରୁ ବାହାରକୁ ଯାଇ ଜୀବନ ରକ୍ଷା କରିଥିଲେ। କୁକୁରଟି ଚେନରେ ବନ୍ଧା ହୋଇଥିବା କାରଣରୁ ସେ ନିଜକୁ ବଞ୍ଚାଇ ପାରିନଥିଲା। ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ କୁକୁରଟି ପ୍ରାଣ ହରାଇଛି।