ଇତିହାସରେ ପ୍ରଥମ: ଟ୍ରମ୍ପ୍‌ଙ୍କ ବିରୋଧରେ ପୁଣି ମହାଭିଯୋଗ

ୱାଶିଂଟନ,୧୪/୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପୁଣି ଥରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି । ଆମେରିକୀୟ କଂଗ୍ରେସର ନିମ୍ନ ସଦନ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସରେ ଡେମୋକ୍ରାଟ ଦଳର ସଦସ୍ୟମାନେ ବୁଧବାର ଏହି ପ୍ରସ୍ତାବ ଆଗତ କରିଛନ୍ତି । ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ପାର୍ଟିର କିଛି ନେତା ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ଗତ ସପ୍ତାହରେ କ୍ୟାପିଟଲ ହିଲ୍‌ ଉପରେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କରିଥିବା ଆକ୍ରମଣ ପଛରେ ତାଙ୍କର ଭୂମିକା ଥିବା ଅଭିଯୋଗ କରି ଏହି ପ୍ରସ୍ତାବ ଆଗତ କରାଯାଇଛି ।

ଏଥିରେ ଅଭିଯୋଗ କରାଯାଇଛି କି ଟ୍ରମ୍ପ୍‌ ବାରମ୍ବାର ନିର୍ବାଚନରେ ଜାଲିଆତି ହୋଇଥିବାର ମିଥ୍ୟା ବୟାନ ଦେବା ସହିତ ଜାନୁଆରୀ ୬ରେ ନିଜ ସମର୍ଥକମାନଙ୍କୁ କ୍ୟାପିଟଲ ହିଲ୍‌ ଉପରେ ଆକ୍ରମଣ ପାଇଁ ଉସୁକାଇଥିଲେ । ତା’ଛଡା ତାଙ୍କୁ ଜିତାଇବା ପାଇଁ ସେ ଜର୍ଜିଆର ଗଭର୍ଣ୍ଣରଙ୍କ ଉପରେ ଚାପ ପକାଇଥିଲେ। ଡେମୋକ୍ରାଟମାନେ ପୂର୍ବରୁ କହିଛନ୍ତି କି ନିମ୍ନ ସଦନରେ ଏହା ପାସ୍‌ ହେବା ମାତ୍ରେ ଏହାକୁ ଉଚ୍ଚ ସଦନ ସିନେଟକୁ ମଂଜୁରି ପାଇଁ ପଠାଯିବ । ତେବେ ସିନେଟର ଏବେ ଅଧିବେଶନ ଚାଲୁନାହିଁ। ତେଣୁ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିବା ସମୟରେ ଏହି ପ୍ରକ୍ରିୟା ଶେଷ ହୋଇପାରିବ ନାହିଁ।

ଜାନୁଆରୀ ୨୦ରେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେଉଛି। ହେଲେ ଏହା ସତ୍ତେ୍ୱ ବି ତାଙ୍କ ବିରୋଧରେ ଡେମୋକ୍ରାଟମାନେ ମହାଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି । ଏହାର ଏକ ମୁଖ୍ୟ କାରଣ ହେଉଛି କି ଯଦି ଆମେରିକୀୟ କଂଗ୍ରେସର ଦୁଇଟି ଯାକ ସଦନରେ ଏହା ଗୃହୀତ ହୁଏ, ତାହାହେଲେ ଟ୍ରମ୍ପ ଭବିଷ୍ୟତରେ ଆଉ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ରୋକିବା ପାଇଁ ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି।

ଏହା ପୂର୍ବରୁ ଡେମୋକ୍ରାଟମାନେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଉପରେ ସମ୍ବିଧାନର ଧାରା ୨୫ର ଉପଯୋଗ କରି ଟ୍ରମ୍ପ୍‌ଙ୍କୁ ଗାଦିରୁ ହଟାଇବାକୁ ଚାପ ପକାଇଥିଲେ। ମଙ୍ଗଳବାର ରାତିରେ ସେମାନେ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସରେ ଏନେଇ ଏକ ପ୍ରସ୍ତାବ ବି ପାସ୍‌ କରିଥିଲେ। ହେଲେ ପେନ୍ସ ଏହାକୁ ଗ୍ରହଣ କରିବାକୁ ମନା କରିବା ସହ ଏହା ରାଷ୍ଟ୍ରର ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ ବୋଲି ମତ ଦେଇଛନ୍ତି। ଏହାପରେ ଡେମୋକ୍ରାଟ ସଦସ୍ୟମାନେ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି। ଟ୍ରମ୍ପ୍‌ଙ୍କ ବିରୋଧରେ କିଛି ମାସ ତଳେ ବି ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ଏହା କାଟ୍‌ ଖାଇଥିଲା।

ଆଉ ଏକ ଘଟଣାକ୍ରମରେ, ଟ୍ରମ୍ପ୍‌ ପ୍ରଶାସନ ନିଜ କାର୍ଯ୍ୟକାଳର ଶେଷ ସମୟରେ କରୋନା ଭାଇରସ ଚୀନ୍‌ର ୱୁହାନ ସହର ସ୍ଥିତ ଏକ ଲାବ୍‌ରୁ ଲିକ୍‌ ହୋଇଥିବାର ଅକାଟ୍ୟ ପ୍ରମାଣ ସାର୍ବଜନୀନ କରିବ ବୋଲି କୁହାଯାଇଛି। ଆମେରିକାର ବିଦେଶ ସଚିବ ମାଇକ୍‌ ପୋମ୍ପେଓ ଏହି ପ୍ରମାଣ ସାର୍ବଜନୀନ କରିବେ।