ପୁଣି ମଧ୍ୟସ୍ଥତା କଥା ଉଠାଇଲେ ଟ୍ରମ୍ପ: କହିଲେ- କାଶ୍ମୀରରେ ଏବେ ଜଟିଳ ସ୍ଥିତି, ସପ୍ତାହକ ମଧ୍ୟରେ ମୋଦୀଙ୍କ ପାଖରେ ରଖିବେ ପ୍ରସ୍ତାବ

ଓ୍ଵାସିଂଟନ୍‌ ୨୧।୯: ମଙ୍ଗଳବାର ଦିନ ଆଉ ଥରେ କଶ୍ମୀର ଲାଗି ମଧ୍ୟସ୍ଥତା ପ୍ରସ୍ତାବ ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ। ମଧ୍ୟସ୍ଥତା କରିବାକୁ ବା କିଛି କରିବାକୁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଫଳ କଶ୍ମୀର ସମସ୍ୟା ବୋଲି ମଧ୍ୟ ଟ୍ରମ୍ପ୍‌ ଚିତ୍ରଣ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି-୭ ଶିଖର ବୈଠକ ସମୟରେ ସପ୍ତାହନ୍ତ ବେଳକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍‌ କରିବେ। ସେ ସାମ୍ବାଦିକମାନଙ୍କୁ କହିଛନ୍ତି; ସେଠାରେ ହିନ୍ଦୁ ଓ ମୁସଲମାନ ଅଛନ୍ତି। ମୋ ମତରେ, ସେମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚଳଣି ଚଳୁ ନାହାନ୍ତି। ସେ ଆହୁରି କହିଲେ, କାଶ୍ମୀରରେ ଏବେ ବଡ଼ ଜଟିଳ ପରିସ୍ଥିତି। ଧର୍ମ ସଂକ୍ରାନ୍ତରେ ଅନେକ କିଛି କରିବାକୁ ପଡ଼ିବ।

ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମ୍ରାନ୍‌ ଖାଁଙ୍କ ସହ ଫୋନ୍‌ ଯୋଗେ କରିଥିବା କଥାବାର୍ତ୍ତା ସଂକ୍ରାନ୍ତରେ ମଧ୍ୟ ସେ କହିଛନ୍ତି। ସେ କହିଲେ, ମୋର ଦୁଇ ଉତ୍ତମ ମିତ୍ର, ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଁଙ୍କ ସହ ବାଣିଜ୍ୟ, ସାମରିକ ଭାଗିଦାରୀ, ସବୁଠୁ ବଡ଼ କଥା କଶ୍ମୀରରେ ଉତ୍ତେଜନା ହ୍ରାସ ନିମନ୍ତେ ଭାରତ ଏବଂ ପାକିସ୍ତାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ କଥାବାର୍ତ୍ତା କରିଛି। ପରିସ୍ଥିତି ଜଟିଳ ହେଲେ ବି ଭଲ ଭାବେ କଥାବାର୍ତ୍ତା କରିଛି! ଜମ୍ମୁ ଓ କଶ୍ମୀରରେ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଉତ୍ତେଜନା ହ୍ରାସ ପାଇଁ ଭାରତ ସହ ଆଲୋଚନା କରିବାକୁ ଚାରି ଦିନରେ ଦ୍ୱିତୀୟ ଥର ମୋଦୀଙ୍କ ସହ ସକାଳେ କଥାବାର୍ତ୍ତା କରିବା ପରେ ଟ୍ରମ୍ପ୍‌ ଖାଁଙ୍କ ସହ କଥାବାର୍ତ୍ତା କରିଥିଲେ ବୋଲି ହ୍ଵାଇଟ୍‌ ହାଉସ୍‌ କହିଛନ୍ତି।