ଜଗନ୍ନାଥ ନଗରରେ ମାତିଛନ୍ତି ଚୋର: ରାତି ଅଧରେ କବାଟ ତାଡ଼ି ନେଇଗଲେ ୫ ଲକ୍ଷ ଟଙ୍କାର ସୁନା

ଭୁବନେଶ୍ୱର ୨୧/୮ : ସହିଦନଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଅଞ୍ଚଳରେ ମାତିଛନ୍ତି ଚୋର । ମୌକା ପାଇଲେ କଳାକନା ବୁଲାଇ ଦେଉଛନ୍ତି । ସୋମବାର ରାତିରେ ଘର କବାଟ ତାଡ଼ି ଚୋରମାନେ ନେଇ ଯାଇଛନ୍ତି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ କିଛି ଟଙ୍କା । ଚୋରିର ଶିକାର ହୋଇଛନ୍ତି ଜଗନ୍ନାଥ ନଗରରେ ରହୁଥିବା ଅରବିନ୍ଦ ସୁତାର । ସେ ସହିଦନଗର ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଛି ।

ମିଳିଥିବା ସୂଚନା ମୁତାବକ, ଅରବିନ୍ଦଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପୋଖରୀଆପଡ଼ା ଅଞ୍ଚଳରେ । ସେ ଜଗନ୍ନାଥ ନଗର ଲେନ୍‌-୬, ପ୍ଲଟ୍‌ ନମ୍ବର ୩୨/୨୦୮୮ରେ ଘର ଭଡ଼ା ନେଇ ରହୁଛନ୍ତି । ଏଠାରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ଗତ ୧୯ ତାରିଖ ପୂର୍ବାହ୍ନରେ ଅରବିନ୍ଦ ସପରିବାର ଖୋର୍ଦ୍ଧାରେ ରହୁଥିବା ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ରାତି ସାଢ଼େ ୧୧ଟା ବେଳେ ଫେରି ଦେଖିଥିଲେ ମୁଖ୍ୟ ଫାଟକ ବନ୍ଦ ରହିଛି । ହେଲେ ଘର କବାଟ ତଡ଼ା ହୋଇଛି ।

ଚୋରମାନେ ଘରେ ପଶି ଆଲମାରି ତାଡ଼ି ୫୦ ଗ୍ରାମ୍‌ର ୨ଟି ସୁନା ଚେନ୍‌, ୪୬ ଗ୍ରାମ୍‌ର ସୁନାହାର, ୧୮ ଗ୍ରାମ୍‌ର ୨ଟି ସୁନାମୁଦି, ୨୨ ଗ୍ରାମ୍‌ର ସୁନାଚୁଡି, ୮ ଗ୍ରାମ୍‌ର ସୁନା କାନଫୁଲ, ଶହେ ଗ୍ରାମ୍‌ ରୁପା ଓ ୩ ହଜାର ଟଙ୍କାର ଚୋରି କରି ନେଇଛନ୍ତି । ଘରର ସବୁ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଛନ୍ତି । ଏହାପରେ ଅରବିନ୍ଦ ପୁଲିସ୍‌କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ । ଆଜି ସକାଳେ ଏନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅରବିନ୍ଦ ଏତଲାରେ ଦର୍ଶାଇଛନ୍ତି ୫ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି ।

କେବଳ ଏହି ଘଟଣା ନୁହେଁ, ଦେଢ଼ ମାସ ଭିତରେ ଜଗନ୍ନାଥ ନଗରରେ ଏହାକୁ ମିଶାଇ ୬ଟି ଚୋରି ହେଲାଣି । ହେଲେ ପୁଲିସ୍‌ କୌଣସି ଗୋଟିଏ ଘଟଣା ଉପରୁ ପରଦା ହଟାଇ ପାରିନି । ସ୍ଥାନୀୟ ଲୋକ କହିଛନ୍ତି, ଯଦି ପୁଲିସ୍‌ ଠିକ୍‌ ଭାବେ ପାଟ୍ରୋଲିଂ କରନ୍ତା ତେବେ ଚୋରି ଆତଙ୍କରୁ ମୁକ୍ତି ମିଳନ୍ତା ।

   ସମ୍ବନ୍ଧିତ ଖବର


ରାଜଧାନୀରେ ପୁଣି ବ୍ୟାଙ୍କ୍‌ ଲୁଟ୍‌

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ବେଳେ ଡିଜିଙ୍କ ଭିଡିଓ ଭାଇରାଲ, ଅନ୍ୟ ମହିଳା ସହ ସମ୍ପର୍କ ବେଳେ ଧରିଥିଲେ ସ୍ତ୍ରୀ