ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ନରସିଂହପୁର,୦୧/୧୨: କୋଲକାତାରେ ଏକ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ କୋଲକାତା ପୁଲିସ ନରସିଂହପୁରରୁ ଉଠାଇ ନେଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ପଶ୍ଚିମ ମେଦିନପୁର ଜିଲ୍ଲା କେଶପୁର ଥାନା ଅଞ୍ଚଳରେ ଗତ ସେପ୍ଟେମ୍ବର ମାସରେ ଏକ ଡବଲ ମର୍ଡର ହୋଇଥିଲା । ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୋଲକାତା କେଶପୁର ଅଞ୍ଚଳର ସେଖ ସଉକତ ଅଲ୍ଲୀଙ୍କ ପୁଅ ସେଖ ଇନତାଜ ଅଲ୍ଳୀ ଓରଫ ଜଣ୍ଟୁ (୩୬)କୁ ପୁଲିସ ଗିରଫ କରିଛି । ସେପ୍ଟେମ୍ବର ମାସରେ ଜଣ୍ଟୁ ବୋମାମାଡ଼ କରି ଦୁଇ ଜଣଙ୍କୁ ହତ୍ୟା କରିଥିଲା । ଏହାକୁ ନେଇ କେଶପୁର ଥାନାରେ ଏକ ମାମଲା (୨୨୮ା୨୦) ରୁଜୁ ହୋଇଥିଲା ବେଳେ ଜଣ୍ଟୁ ଫେରାର ଥିଲା । ଜଣ୍ଟୁ ନରସିଂହପୁରର ନୁଖାପଡ଼ା ଛକରେ ଗଦି ତକିଆ କାମ କରୁଥିବା ଲୋକଙ୍କ ସହ ରହୁଥିବା ବିଶେଷ ସୂତ୍ରରୁ ଖବର ପାଇ କେଶପୁର ଥାନାର ଏସ୍‌ଆଇ ପ୍ରମୋଦ କୁମାର ବେରାଙ୍କ ନେତୃତ୍ୱରେ ଜଣେ ମହିଳା କର୍ମଚାରୀଙ୍କ ସହ ୫ ଜଣିଆ ଟିମ୍‌ ଆସିଥିଲେ । ନରସିଂହପୁର ପୁଲିସ ସହାୟତାରେ ସେମାନେ ନୁଖାପଡ଼ା ଛକରୁ ଅଭିଯୁକ୍ତ ଜଣ୍ଟୁକୁ ଗିରଫ କରିଥିବା ଜଣାପଡିଛି ।