କଳ୍ପନା-ବବ୍‌ଲି ହତ୍ୟାକାଣ୍ଡର ଫିଟୁଛି ଗୁମର! ଛତିଶଗଡ଼ ପୁଲିସକୁ ମିଳିଛି ଖିଅ…

ଝାରସୁଗୁଡ଼ା ୯/୩: ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ମୃତା କଳ୍ପନା ଦାସଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ରହସ୍ୟ ଫିଟିବାରେ ଲାଗିଛି । ଅନୁପଙ୍କ ପରକୀୟା ପ୍ରୀତିର ଅନେକ ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରି ସାରିଛି । ଯେଉଁଥିରେ ଅନୁପ ଏବଂ କଳ୍ପନା ପରସ୍ପର ସହ ସମ୍ପର୍କରେ ଥିଲେ ଏ କଥାକୁ କୋର୍ଟରେ ପ୍ରମାଣିତ କରିବାରେ ଅସୁବିଧା ନାହିଁ ବୋଲି ଛତିଶଗଡ଼ ପୁଲିସ ଦମ୍ଭୋକ୍ତି ଦେଖାଇ ଆସିଛି । ହେଲେ ଏବେ ଅନୁପ-କଳ୍ପନା ସମ୍ପର୍କର ଆଉ ଏକ ଖିଅ ହାତକୁ ଲାଗିଛି । ଅନୁପଙ୍କ କହିବାରେ ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର କଳ୍ପନାଙ୍କ ଲାଗି ରାଜପୁର ବଘରାଚକା ଅଞ୍ଚଳରେ ଘର ତୋଳିଥିଲେ ।

ଏଭଳି ତଥ୍ୟ ଛତିଶଗଡ଼ ପୁଲିସ କାନରେ ପହଞ୍ଚିବା ପରେ ସମ୍ପୃୃକ୍ତ ଠିକାଦାରଙ୍କୁ ଡାକି ଏନେଇ ବୟାନ ରେକର୍ଡ କରାଯାଇ ସାରିଛି । ଯଦି ଦୁହିଁଙ୍କ ଭିତରେ କୌଣସି ସମ୍ପର୍କ ନଥିଲା ତା’ହେଲେ ଅନୁପ ଆଉ କେଉଁ ସ୍ୱାର୍ଥରେ କଳ୍ପନାଙ୍କ ଲାଗି ନିଜ ପୈତୃକ ଘର ଠାରୁ ଅନତି ଦୂରରେ ଏକ ଘର ତୋଳିବାକୁ ତାଙ୍କର ଜଣେ ବିଶ୍ୱସ୍ତ ଠିକାଦାରଙ୍କୁ କହିଥିଲେ ବୋଲି ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ ।

କଳ୍ପନା ଦାସ ଏବଂ ତାଙ୍କ ଝିଅ ବବ୍‌ଲିଙ୍କ ହତ୍ୟା ଘଟଣାରେ ଅନୁପ ଗିରଫ ହେବା ସମ୍ପୃୃକ୍ତ ଠିକାଦାର ଜଣକ ଏହି ଖୁଲାସା କରିଥିଲେ । ବ୍ରଜରାଜନଗର ଅଞ୍ଚଳର ଏହି ଠିକାଦାର ଜଣକ କହିଥିଲେ ଯେ, ଅନୁପଙ୍କ ସହ ବହୁ ଦିନରେ ସୁସମ୍ପର୍କରେ ରହି ଆସିଥିଲେ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଠିକା କାର୍ଯ୍ୟ ସେ କରୁଥିଲେ । ହେଲେ ଦିନେ ଅନୁପ ତାଙ୍କୁ ଡାକି କହିଲେ କଳ୍ପନା ଦାସଙ୍କ ଲାଗି ଗାଁରେ ଏକ ଘର ତିଆରି କରିବାର ଅଛି । କଳ୍ପନା କୁଆଡ଼େ ଯାଇଥିବାରୁ ସେ ଆସିଲେ ତା’ସହ ଯୋଗାଯୋଗ କରି ଘର ତିଆରି ଆରମ୍ଭ କରିବ ବୋଲି କହିଥିଲେ । ଅନୁପଙ୍କ କଥା ଶୁଣି ଠିକାଦାର ଜଣକ କଳ୍ପନାଙ୍କ ସହ ଯୋଗାଯୋଗ କରି ଘରଟି ତୋଳିବା ଆରମ୍ଭ କରିଥିଲେ ।

ହେଲେ କଳ୍ପନା ଏବଂ ବବ୍‌ଲିଙ୍କ ହତ୍ୟାକାଣ୍ଡର ମାତ୍ର କେଇ ଦିନ ପୂର୍ବରୁ ଅର୍ଥାତ ୨୦୧୬ ମସିହା ଅପ୍ରେଲ ମାସରେ ଘରର ନିର୍ମାଣ କାର୍ଯ୍ୟକୁ ଅଧାପନ୍ତରିଆ କରି ବନ୍ଦ କରି ଦେଇଥିଲେ । କଳ୍ପନାଙ୍କ ଠାରୁ ପ୍ରାୟ ଲକ୍ଷେ ଟଙ୍କା ସେ ଗ୍ରହଣ କରି କିଛି ସାମଗ୍ରୀ କିଣିବା ସହ ଲିଲ୍ଟନ ଲେଭେଲ ପର୍ଯ୍ୟନ୍ତ କାନ୍ଥ ବି ଉଠାଇ ଦେଇଥିଲେ । ହେଲେ ଛାତ ଢଳେଇ କରିବାକୁ ଆବଶ୍ୟକ ଅର୍ଥ ତାଙ୍କୁ କଳ୍ପନା ଦେଇ ନ ଥିଲେ । ଫଳରେ କାମ ବନ୍ଦ ରଖିଥିଲେ ସେ । ପରେ କଳ୍ପନାଙ୍କ ଖୋଜ ଖବର ଆଉ ମିଳିଲାନି । ପ୍ରାୟ ୭୦ ହଜାର ଟଙ୍କା ଠିକାଦାର ଜଣକ କଳ୍ପନାଙ୍କ ଠାରୁ ପାଇ ନ ଥିବାରୁ ସେ ଅନୁପଙ୍କୁ ଏନେଇ କହିଥିଲେ । ହେଲେ କଳ୍ପନା ତ କୁଆଡ଼େ ଯାଇଛି ସେ ଫେରିବା ପରେ ଯୋଗାଯୋଗ କରି ତା’ଠୁ ଟଙ୍କା ନେବ ବୋଲି ଅନୁପ ତାଙ୍କୁ କହିଥିଲେ । ସେ ଦିନଠାରୁ କଳ୍ପନାଙ୍କୁ ଆଉ ଠିକାଦାର ଜଣକ ଭେଟି ପାରି ନ ଥିଲେ ।

ଅନୁପ ମଧ୍ୟ ଏହି ଘର ତୋଳା ଖର୍ଚ୍ଚ ପୈଠ କଥାରେ ଧ୍ୟାନ ଦେଇ ନ ଥିଲେ । ଫଳରେ ପ୍ରାୟ ୭୦ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ପରେ କଳ୍ପନାଙ୍କ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହେବା ପରେ ଏସବୁ କଥା ସାମନାକୁ ଆସିବାକୁ ଲାଗିଥିଲା । କଳ୍ପନାଙ୍କ ପିତାଙ୍କୁ ମଧ୍ୟ ଘର ତୋଳା ବାବଦ ଖର୍ଚ୍ଚ ନେଇ ସମ୍ପୃକ୍ତ ଠିକାଦାର କହିଥିଲେ ହେଁ ଯିଏ ଘର ତିଆରି କରିବାକୁ କହିଥିଲା ତାକୁ କହ ବୋଲି କହି ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥିବା ସମ୍ପୃୃକ୍ତ ଠିକାଦାର କହିଛନ୍ତି।

ଏବେ କଳ୍ପନା ଓ ବବ୍‌ଲି ତ ନାହାନ୍ତି ସତ ହେଲେ ସେମାନଙ୍କ ପାଇଁ ନିର୍ମିତ ଘର ଅନୁପ-କଳ୍ପନାଙ୍କ ସମ୍ପର୍କର ମୂକ ସାକ୍ଷୀ ହୋଇରହିଛି । ଯେଉଁଠି କଳ୍ପନାଙ୍କ ପରିବାର ଲୋକେ ରହୁଛନ୍ତି । ଆଗକୁ ସମ୍ପୃୃକ୍ତ ଠିକାଦାର ଅନୁପ-କଳ୍ପନା ସମ୍ପର୍କକୁ ନେଇ ଛତିଶଗଡ଼ ପୁଲିସ ପାଇଁ ରାଜସାକ୍ଷୀ ହେବେ ବୋଲି କୁହାଯାଉଛି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…