PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କଟକରେ ଡବଲ୍‌ ମର୍ଡର୍‌ : ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

କଟକ ୧୩।୧୨ : ଗୁରୁବାର ରାତିରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱରରେ ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲ । ବୃଦ୍ଧ ଦମ୍ପତ୍ତି ଏକୁଟିଆ ରହୁଥିଲେ । ଏଭଳି ଡବଲ ମର୍ଡର ଘଟଣା କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀ-ସ୍ତ୍ରୀଙ୍କୁ ଘର ଭିତରେ କେହି ହାଣି ମାରିଥିବା ଆଶଙ୍କା କରାଯାଉଛି । ହତ୍ୟା ପରେ ଲୁଟ୍‌ କରାଯାଇଥିବା ନେଇ ମଧ୍ୟ ସଂଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ, ବେଲେଶ୍ୱରର ଶିବ ମନ୍ଦିରଠାରୁ ମାତ୍ର ଶହେ ମିଟର ଦୂରରେ ସ୍ଥାୟୀ ବାସିନ୍ଦା ଶ୍ରୀନାଥ ଓ ତାଙ୍କ ପତ୍ନୀ ରହନ୍ତି । ସେମାନେ ନିଜର ଏକ ରୁମ୍‌କୁ ଜଣେ ବ୍ୟକ୍ତିଙ୍କୁ ଭଡ଼ାସୂତ୍ରରେ ଦେଇଥିଲେ । ମାତ୍ର ଭଡ଼ାରେ ରହୁଥିବା ସଂପୃକ୍ତ ବ୍ୟକ୍ତି ମଧ୍ୟ କିଛି ଦିନ ପୂର୍ବରୁ ଉକ୍ତ ଘର ଛାଡ଼ି ପଳାଇଛନ୍ତି । ଆଜି ସନ୍ଧ୍ୟା ସମୟରେ ତାଙ୍କର ଜ୍ୱାଇଁ ଶ୍ରୀନାଥଙ୍କୁ ଫୋନ୍‌ କରିଥିଲେ । ଫୋନ୍‌ ବାଜିଥିଲେ ବି ଶ୍ରୀନାଥ କିମ୍ବା ପତ୍ନୀ ବିଦୁଲତା ଉଠାଇ ନଥିଲେ । ଫଳରେ ଶ୍ରୀନାଥଙ୍କ ଜ୍ୱାଇଁ ସେହି ବେଲେଶ୍ୱରର ଅନ୍ୟ ଜଣେ ପରିଚିତ ବ୍ୟକ୍ତିଙ୍କୁ ଫୋନ୍‌ କରି ଶ୍ୱଶୁର କାହିଁକି ଫୋନ୍‌ ଉଠାଉ ନାହାନ୍ତି ବୁଝିବା ପାଇଁ କହିଥିଲେ । ପରେ ସେହି ଗ୍ରାମର କିଛି ଲୋକ ଶ୍ରୀନାଥଙ୍କ ଘରକୁ ଆସି ଦେଖିଲା ବେଳକୁ କବାଟ ବନ୍ଦ ରହିଛି । କବାଟ ଖୋଲିବାରୁ ଘର ଭିତରେ ବୃଦ୍ଧ ଶ୍ରୀନାଥ ଓ ପତ୍ନୀ ବିଦୁଲତା ମୃତ ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପାଖରେ ଗୋଟିଏ ଚାପଡ଼ ଓ ଗୋଟିଏ ପନିକି ପଡ଼ିଛି ।

ଏଭଳି ସ୍ଥିତିରେ ଗ୍ରାମବାସୀ ମଧୁପାଟଣା ଥାନାକୁ ସୂଚନା ଦେଇଥିଲେ । ଥାନା କର୍ମଚାରୀ ଆସି ଘଟଣା ସ୍ଥଳରେ ଦୁଇଟି ମୃତଦେହ ପଡ଼ିଥିବା ଜାଣିବା ପରେ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଖବର ଦେଇଥିଲେ । ଥାନା ଅଧିକାରୀ ଛୁଟିରେ ଥିବାରୁ ଏସିପି ଶ୍ରୀ ମୁଦୁଲି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘର ଭିତରେ ପଡ଼ିଥିବା ଶବରେ କ୍ଷତ ଚିହ୍ନ ରହିଛି । ଘର ଭିତରେ ଥିବା ଆଲ୍‌ମିରା ଦୁଇଟି ଖୋଲା ପଡ଼ିଛି । କିଛି କାଗଜପତ୍ର ବି ତଳେ ଏଣେତେଣ ପଡ଼ିଛି । ତେଣୁ ପ୍ରାଥମିକ ଭାବେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ରାତି ଅଧିକ ହୋଇଯାଇଥିବାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ପାରିନାହିଁ । ତେଣୁ ମୃତଦେହ ପଡ଼ିଥିବା ରୁମ୍‌କୁ ତାଲା ପକାଇ ରଖାଯାଇଛି । ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ରୁମ୍‌ ଖୋଲାଯାଇ ଅଧିକ ତଦନ୍ତ କରାଯିବ । ତେବେ ଏହି ହତ୍ୟାକାଣ୍ଡ କିଭଳି ହେଲା ତାହା ସ୍ପଷ୍ଟ ଜଣାପଡ଼ୁନି ବୋଲି ଏସିପି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି । ବୃଦ୍ଧ ଦମ୍ପତ୍ତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ନା କେହି ବାହାର ଲୋକ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଭିଆଇଛି ତାହା ତଦନ୍ତରୁ ଜଣାପଡ଼ିବ ବୋଲି ପୁଲିସ କହିଛି ।