ଅନ୍ଧ ବିଶ୍ୱାସର ସାଂଘାତିକ ଚିତ୍ର: ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା!

ପାଟଣାଗଡ଼ ୧୭/୯ : ଅନ୍ଧବିଶ୍ୱାସର ଏକ ଲୋମଟାଙ୍କୁରା ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଚିଟିକାମାଲ ଗାଁରେ। ଗୁଣିଗାରେଡ଼ି ସନ୍ଦେହରେ ଗାଁର ଏକ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ପାହାଡ଼ ଖୋଳରେ ଫିଙ୍ଗି ଦେଇଛନ୍ତି। ଖବର ପାଇ ଲରମ୍ଭା ଥାନା ପୁଲିସ ଦମ୍ପତିଙ୍କ ଶବ ଉଦ୍ଧାର କରିଛି। ପରେପରେ ଫରେନସିକ ଟିମ୍‌ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେରଖି ବଲାଙ୍ଗୀର ଏସପି ଏମ. ସନ୍ଦିପ ସମ୍ପତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସାରେ, ମୃତକମାନେ ହେଲେ ଚିଟିକାମାଲ ଗାଁର ଚିନ୍ତାମଣି ବରିହା(୫୫) ଏବଂ ତାଙ୍କ ପତ୍ନୀ ଋକ୍ମଣୀ ବରିହା(୫୦) । ଆଜି ସକାଳେ ଉଭୟଙ୍କୁ ହତ୍ୟା କରାଯାଇଛି । ସେମାନଙ୍କୁ ପ୍ରଥମେ ଠେଙ୍ଗାରେ ମାଡ଼ମାରି ଲହୁଲୁହାଣ କରିବା ପରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ପରେ ଉଭୟଙ୍କ ମୃତଦେହକୁ ବସ୍ତାରେ ଭର୍ତ୍ତି କରି ଗାଁ ନିକଟସ୍ଥ ଚିତାଡୁଙ୍ଗୁରୀ ପାହାଡ଼ ଖୋଳରେ ଫିଙ୍ଗି ଦିଆଯାଇଥିବା ପ୍ରକାଶ । ତେବେ ହତ୍ୟାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ନିକଟ ଅତୀତରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି ।

ପ୍ରକାଶ ଯେ, ଗତ ଅଗଷ୍ଟ ୨୧ ତାରିଖରେ ଗ୍ରାମର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକିର ମୃତ୍ୟୁ ଘଟିଥିଲା । ଲକିର ମୃତଦେହକୁ ନେଇ ପରିବାର ଲୋକେ ନିଜ ବିଲରେ ପୋତି ଦେଇଥିଲେ । କିନ୍ତୁ ଗତ ୧୨ ତାରିଖ ଶବ ପୋତାଯାଇଥିବା ସ୍ଥାନରେ କେହି ଫୁଲ, ଚାଉଳ, ସିନ୍ଦୁର ଇତ୍ୟାଦି ରଖି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ପରେ ଗ୍ରାମର କେତେକ ବ୍ୟକ୍ତି ମୃତ ଶିଶୁର ବଡ଼ମାଁ ଋକ୍ମଣୀ ବରିହାଙ୍କୁ ଗୁଣିଗାରେଡ଼ି କରୁଥିବା ଦର୍ଶାଇ ଡାହାଣୀ ବୋଲି କହିଥିବା ପ୍ରକାଶ ପାଇଛି ।

ଏଭଳି ଅଭିଯୋଗ ହେବାପରେ ଆତ୍ମଗ୍ଳାନିରେ ସେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ମାମଲାଟି ଥାନାକୁ ଯିବା ପରେ ମୃତ ଶିଶୁର ପିତା ନାରାୟଣ ମଧ୍ୟ ପାଲଟା ଏତଲା ଦେଇ ସେମାନେ କାହାରିକୁ ସନ୍ଦେହ କରୁନଥିବା ଲିଖିତ ଭାବେ ଜଣାଇଥିଲେ । ଉଭୟ ପକ୍ଷର ଏତଲା ପରେ ଗାଁରେ ଏକାଧିକ ଗ୍ରାମସଭାର ଆୟୋଜନ ହୋଇଥିଲା । ଶେଷରେ ଋକ୍ମଣୀଙ୍କ ଅଭିଯୋଗ ଆଧାରରେ ଲରମ୍ଭା ପୁଲିସ ଗତକାଲି(ରବିବାର) ଗାଁର ନାରାୟଣ ବରିହା,କୃଷ୍ଣ ବରିହା, ସ୍ୱରୂପା ଘିବେଲା ଏବଂ ଗୌରାଙ୍ଗ ପୋଢ଼ଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିଲା । ସେମାନଙ୍କୁ ଥାନାକୁ ଡକରାପଡ଼ିବାର ଖବରପାଇ ଗାଁର କିଛି ଲୋକ ଏକ ଗାଡି ଭଡା କରି ଏମାନଙ୍କ ସାଥିରେ ଥାନାକୁ ପହଞ୍ଚଥିଲେ । ସେମାନେ ସମସ୍ତେ ବିଳମ୍ବିତ ରାତିରେ ଘରକୁ ଫେରି ଗାଁରେ ଏକ ଗୁପ୍ତ ସଭା ଆୟୋଜନ କରିଥିବା ପୁଲିସ ସୁରାକ୍‌ ପାଇଛି।

ମାତ୍ର ଆଜି ସକାଳୁ ଆକସ୍ମିକ ଭାବେ ଋକ୍ମଣୀ ଓ ତାଙ୍କ ସ୍ୱାମୀ ଚିନ୍ତାମଣିଙ୍କୁ ହତ୍ୟା କରାଯାଇଥିବା ଖବର ପ୍ରଚାରିତ ହେଲା । ଖବରପାଇ ପୁଲିସ ପ୍ରାୟ ୧୦ଟାରେ ଗାଁକୁ ପହଞ୍ଚିଥିଲା । ପୁଲିସ ଯିବା ବେଳେ ଗାଁ ଚତୁଃପାଶ୍ୱର୍ରେ ଛୋଟବଡ଼ ପଥର ସାଙ୍ଗକୁ ବଡ଼ ଗଛଗଣ୍ଡି ପକାଇ ଗାଁ ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଅବରୋଧ କରାଯାଇଥିଲା । ପରେପରେ ପାଟଣାଗଡ ଏସଡିପିଓ ସୁରେଶ କୁମାର ନାୟକଙ୍କ ସମେତ ବଲାଙ୍ଗୀର ଏସ୍‌ପି ଏମ ସନ୍ଦିପ ସମ୍ପତ ଗାଁକୁ ପହଞ୍ଚିଥିଲେ । ସେତେବେଳେ ଗାଁର ପରିବେଶ ସ୍ୱାଭାବିକ ଥିଲେ ହେଁ ଗାଁ ସଂପୂର୍ଣ୍ଣ ପୁରୁଷଶୁନ୍ୟ ହୋଇପଡିଥିଲା । ମହିଳାମାନେ ରୋଷେଇ କାର୍ଯ୍ୟରେ ବ୍ୟସ୍ତଥିବା ବେଳେ ସ୍କୁଲ ମଧ୍ୟ ଖୋଲା ଥିଲା । କିନ୍ତୁ ଏ ବିଷୟରେ କେହି କିଛି ଜାଣିନଥିବା ପୁଲିସକୁ କହିଥିଲେ । ମୃତ ଚିନ୍ତାମଣିଙ୍କ ଘର କବାଟରେ ତାଲା ଲାଗିଥିବା ବେଳେ ଘର ନିକଟରେ ଥିବା ସ୍କୁଲ କାନ୍ଥରେ ରକ୍ତଛିଟା ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା । ସ୍କୁଲ ସାମ୍ନାରେ ପଡ଼ିଥିବା ଦୁଇଟି ରକ୍ତ ଜୁଡ଼ୁବୁଡ଼ୁ ଠେଙ୍ଗା ଦେଖିବା ପରେ ପୁଲିସକୁ ତଦନ୍ତର ବାଟ ଫିଟିଯାଇଥିଲା । ଗାଁରୁ ଟ୍ରାନ୍ସଫର୍ମର ରାସ୍ତା ଦେଇ ଜଙ୍ଗଲକୁ ଯିବା ବାଟରେ ରକ୍ତଛିଟା ଏବଂ ଭଙ୍ଗାଚୁଡି ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ଅନୁଧାବନ କରି ପରିଶେଷରେ ପୁଲିସ ମୃତଦେହ ପାଖରେ ପହଞ୍ଚିଥିଲା ।

ଗାଁ ଉପକଣ୍ଠରେ ଥିବା ଚିତାଡୁଙ୍ଗୁରି ପାହାଡ଼ ଶିଖରରେ ଦୁଇଟି ଖୋଳ ମଧ୍ୟରେ ଦୁଇଟି ବସ୍ତା ପଡ଼ିଥିବା ପୁଲିସର ନଜରକୁ ଆସିଥିଲା । ବସ୍ତା ଖୋଲିବା ବେଳେ ତହିଁରୁ ଚିନ୍ତାମଣି ଓ ଋକ୍ମଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପାରିପାଶ୍ୱିର୍କ ସ୍ଥିତି ଅନୁସାରେ, ଗୁଣିଗାରେଡ଼ିକୁ କେନ୍ଦ୍ରକରି ସଂଘଟିତ ବିବାଦରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିବା ପୁଲିସ ଅନୁମାନ କରୁଛି । ଏସଂପର୍କରେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକଙ୍କୁ ପଚାରିବାରୁ ପୁଲିସ ପାଖରେ ବହୁ ତଥ୍ୟପ୍ରମାଣ ରହିଛି, ତଥାପି ଅଧିକ ତଦନ୍ତ ଜାରି ରହିଛି । ଏଥିରେ ସଂପୃକ୍ତ ଏକାଧିକ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୃତ ଦମ୍ପତି ଲରମ୍ଭା ଥାନାରେ ଦେଇଥିବା ଏତଲା ଆଧାରରେ ଗତ ୧୪ତାରିଖ ‘ପ୍ରମେୟ’ଏକ ଖବର ପ୍ରକାଶ ପାଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏ ଦିଗରେ ଅତି ସତର୍କତାର ସହ ପଦକ୍ଷେପ ନେବା ପାଇଁ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ପୁଲିସ ସଂପୃକ୍ତ ଦମ୍ପତିଙ୍କ ସୁରକ୍ଷା ଯୋଗାଇବାରେ ସଫଳ ନହେବାରୁ ଏଭଳି କାଣ୍ଡ ଘଟିଲା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

   ସମ୍ବନ୍ଧିତ ଖବର


ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ