ଅନୁପ ସାଏଙ୍କ ସଇତାନ ରୂପ

ଦୁଇ ମା’ ଝିଅଙ୍କୁ ନିର୍ମମ ଭାବେ ହତ୍ୟା । ପରକୀୟା ପ୍ରୀତିକୁ ନେଇ ଏଭଳି ଏକ ବୀଭତ୍ସ କାଣ୍ଡ । ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣେ ରାଜନେତାଙ୍କ କ୍ଷେତ୍ରରେ ଏଭଳି ଜଘନ୍ୟ ଅପରାଧକୁ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ହେଲେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିବା ଅନୁପ ସାଏଙ୍କ ଭିତରେ ଯେ ଜଣେ ସଇତାନ ଲୁଚି ରହିଥିଲା ଏକଥାକୁ ଲୋକେ ସହଜରେ ହଜମ କରି ପାରୁ ନାହାଁନ୍ତି । ଛତିଶଗଡ଼ ରାୟଗଡ଼ ପୁଲିସ୍‌ ଏହି ରାଜନେତାଙ୍କ ଭିତରେ ଲୁଚି ରହିଥିବା ସଇତାନ ରୂପକୁ ଉନ୍ମୋଚିତ କରି ଏକ ଅବିଶ୍ୱସନୀୟ ସଫଳତା ପାଇ ପାରିଛି । ଯେଉଁଥି ପାଇଁ ସବୁ ମହଲରୁ ତଦନ୍ତକାରୀ ପୁଲିସ୍‌ ଉପରେ ଅଜାଡ଼ି ହୋଇଛି ପ୍ରଶଂସା । ହେଲେ କେଉଁ ପରିସ୍ଥିତିରେ ଏଭଳି ଏକ ଲୋମହର୍ଷଣକାରୀ ଅପରାଧ ସଂଘଟିତ କରିବାକୁ ଅନୁପ ଆଗେଇ ଗଲେ ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ।

ବିବାହ କଥାରୁ ବିବାଦ

୨୦୦୨ ମସିହାରେ କଳ୍ପନା ଦାସ ତାଙ୍କର ସ୍ୱାମୀ ବ୍ରଜରାଜନଗର ନିବାସୀ ସୁନୀଲ ଶ୍ରୀବାସ୍ତବଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା । ମାତ୍ର ୨୦୦୫ ମସିହାରେ ବିବାହ ବିଚ୍ଛେଦ ଘଟିଲା । ତା’ ପରେ ମା’ କଳ୍ପନା ଝିଅ ପ୍ରଭାତି (ବବ୍‌ଲି)କୁ ନେଇ ବାପଘର ରାଜପୁରରେ ରହିଥିଲେ । ବାପା ଏମସିଏଲ୍‌ରେ ଚାକିରି କରୁଥିଲେ । ଚାକିରି ସମୟରେ ମା’ ଝିଅ ବାପାଙ୍କ ସହ ଏମ୍‌ସିଏଲ୍‌ କ୍ୱାର୍ଟର୍‌ରେ ରହିଥିଲେ । କଳ୍ପନା ବାପଘରେ ଥିବା ସମୟରେ ଅନୁପଙ୍କ ସଂପର୍କରେ ଆସିଥିଲେ। ୨୦୧୧ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନୁପଙ୍କ ପତ୍ନୀ ଭଳି ସେ ରହୁଥିଲେ । ରାଜପୁର ଠାରେ ଅନୁପ ତାଙ୍କ ପାଇଁ ଏକ ଘର ତୋଳି ଦେଇଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି । ପରେ ଭୁବନେଶ୍ୱର ସୁନ୍ଦରପଦା ଠାରେ ଏକ ତିନି ମହଲା କୋଠା ତଥା ଆପାର୍ଟମେଣ୍ଟ୍‌ରେ କଳ୍ପନା ଏବଂ ତାଙ୍କ ଝିଅଙ୍କୁ ଅନୁପ ରଖାଇଥିଲେ । ଆଉ ଉକ୍ତ ଆପାର୍ଟମେଣ୍ଟକୁ ନିୟମିତ ଯିବା ଆସିବା କରୁଥିଲେ ଅନୁପ । ଉଭୟଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇବା ସହ ଶେଷରେ ବାହା ହେବାକୁ ଅନୁପଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା । ୨୦୧୬ ମସିହା ମେ’ ୬ ତାରିଖ ରାତିରେ ହତ୍ୟା ହେବା ପୂର୍ବରୁ ଅନୁପ କଳ୍ପନା ଓ ତାଙ୍କ ଝିଅଙ୍କୁ ଭୁବନେଶ୍ୱର ଠାରୁ ବସ୍‌ ଯୋଗେ ଝାରସୁଗୁଡ଼ା ନେଇ ସେଠାରେ ଥିବା ମେଘଦୁତ ହୋଟେଲରେ ରଖାଇବା ସହ ରାୟଗଡ଼ରେ ଏକ ମନ୍ଦିରରେ ବାହା ହେବାକୁ କହି ସାଙ୍ଗରେ ନେଇ ଯାଇଥିଲେ । ବଲେରୋ ଗାଡ଼ିରେ ରାୟଗଡ଼ ନେବା ପରେ ସେଠାରେ ପରିଚିତ ଲୋକ ରହୁଥିବା ଏବଂ ରାୟଗଡ଼ ସହରରେ ଭଲ ହୋଟେଲ ରୁମ ଉପଲବ୍ଧ ନ ହେବା କହି ପୂର୍ବ ଯୋଜନା ମୁତାବକ ଚକ୍ରଧରନଗର ଥାନା ହମିରପୁର ରାସ୍ତାରେ ହତ୍ୟା କରିଥିଲେ । ଲୁହା ଛଡ଼ରେ ଆକ୍ରମଣ କରି ହତ୍ୟା କରିବା ପରେ ମା’ ଝିଅଙ୍କୁ ରାସ୍ତା ଉପରେ ସୁଆଇ ଗାଡ଼ି ଚଳାଇ ଦୁର୍ଘଟଣାର ରୂପ ଦେବାର ପ୍ରୟାସ କରିଥିଲେ । ଖାଲି ସେତିକି ନୁହେଁ ସେମାନଙ୍କ ପରିଚୟ ନଷ୍ଟ ପାଇଁ ବି ସବୁ ପ୍ରକାର ଉଦ୍ୟମ କରିଥିଲେ । ମାତ୍ର ସେ ସମୟରେ କେତେକ ଯାନବାହାନ ଆସିବାରୁ ସେଠାରୁ ଛାଡ଼ି ଦେଇ ଅନୁପ ଏବଂ ବଲେରୋ ଚାଳକ ବର୍ମନ ଟପ୍ପୋ ଫେରାର ମାରିଥିଲେ । ରାଜନୈତିକ କ୍ୟାରିୟର ନଷ୍ଟ ହୋଇଯିବା ସହ ସେ ବିବାହିତ ହୋଇଥିବାରୁ ପ୍ରଥମେ କଳ୍ପନାଙ୍କୁ ବିବାହ କରିବାକୁ ଅନୁପ ମନା କରିଥିଲେ । ମାତ୍ର ଚାପ ଦେଖି କଳ୍ପନାଙ୍କୁ ରାସ୍ତାରୁ ସଫା କରିବାକୁ ନିଷ୍ପତ୍ତି କରି ମର୍ଡର ପ୍ଲଟ୍‌ ପ୍ରସ୍ତୁତ କରିଥିଲେ ।

କୌଣସି ଠାରେ ନିଖୋଜ ରିପୋର୍ଟ ନଥିଲା

ଜଣେ ମହିଳା ଓ ଅନ୍ୟ ଜଣକ ୧୪ ବର୍ଷର ଝିଅ । ରାସ୍ତା କଡ଼ରେ ପଡ଼ିଥିଲା ସେମାନଙ୍କ କ୍ଷତବିକ୍ଷତ ଶରୀର । ହେଲେ ଏନେଇ ଦେଶର କୌଣସି ଥାନାରେ ନିଖୋଜ କି ଅପହରଣ ଭଳି ରିପୋର୍ଟ କରାଯାଇନଥିଲା । କାରଣ କୌଣସି ସାଧାରଣ ଘଟଣା ହୋଇଥିଲେ କିମ୍ବା ପାରିବାରିକ କଳହ ଭଳି ପ୍ରସଙ୍ଗ ହୋଇଥିଲେ ସେ ନେଇ ମହିଳାଙ୍କ ବାପ ଘର ଅଥବା ଶ୍ୱଶୁର ଘର ଲୋକେ କେହି ବି ସମ୍ପର୍କିୟ ଏମାନଙ୍କ ନିଖୋଜ ନେଇ ପୁଲିସରେ ସୂଚନା ଦେଇଥାନ୍ତେ । କିନ୍ତୁ ସେପରି ହୋଇନଥିଲା । ଯାହାକୁ ନେଇ ଅଭିଯୁକ୍ତ ବେଶ ଆରାମ ଅନୁଭବ କରୁଥିବା ବେଳେ ପୁଲିସକୁ ଘଟଣାଟି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଅନୁମାନ ଲଗାଇବାରେ ସହାୟକ ହୋଇଥିଲା ।

ବାହାର ରାଜ୍ୟରେ ହତ୍ୟା କରି ଖସି ଯିବି ବୋଲି ଭାବିଥିଲେ

ଓଡ଼ିଶା ବାହାରେ ହତ୍ୟା କଲେ ବାହାର ରାଜ୍ୟ ପୁଲିସ୍‌ ସହ ଝାରସୁଗୁଡ଼ା ପୁଲିସର ସମନ୍ୱୟ ଅଭାବ କାରଣରୁ ସେ ଖସି ଯିବେ ବୋଲି ଭାବିଥିଲେ । ସେଥିପାଇଁ ଅନୁପ ଷଡ଼୍‌ଯନ୍ତ୍ର କରି କଳ୍ପନା ଏବଂ ଝିଅ ବବ୍‌ଲିକୁ ଜୀବନରୁ ମାରି ଦେବାକୁ ବ୍ୟୁହ ରଚନା କରିଥିଲେ । ହତ୍ୟା ବିଷୟ କାଳେ ପ୍ରଘଟ ହୋଇଯିବ ଭାବି ଅନୁପ କେବଳ ଡ୍ରାଇଭରକୁ ତାଙ୍କ ସହ ସାଙ୍ଗରେ ନେଇ କଳ୍ପନା ଓ ଝିଅଙ୍କୁ ହତ୍ୟା କରିଥିଲେ । ହେଲେ ଘଟଣାର ଚାରି ବର୍ଷ ପରେ ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ୍‌ ସଫଳ ହେଲା । ପ୍ରାୟ ୭ ଶହ ଲୋକଙ୍କୁ ପଚରା ଉଚରା କରିବା ସହ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ମୋବାଇଲ ଫୋନର କଲ ରେକର୍ଡ ଯାଞ୍ଚ କରି ଅନୁପଙ୍କ ସହ ସଂପର୍କ ଥିବା ଏବଂ ହତ୍ୟାକାଣ୍ଡର ଏକ ଘଣ୍ଟା ପୂର୍ବରୁ ଅନୁପ ମହିଳାଙ୍କ ସହ କଥାବାର୍ତ୍ତା କରିଥିବା ଜାଣି ପାରିଥିଲା । ଅନୁପ ଦୁଇଟି ମୋବାଇଲ ବ୍ୟବହାର କରୁଥିଲେ । ତନ୍ମଧ୍ୟରୁ ଗୋଟିଏ ଫୋନ ସ୍ୱତନ୍ତ୍ର ଭାବେ କଳ୍ପନାଙ୍କ ସହ କଥାବାର୍ତ୍ତାରେ ବ୍ୟବହାର କରୁଥିଲେ । ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରେ ଥିବା ହୋଟେଲ, ଢାବା ଗୁଡ଼ିକରେ ପଚରା ଉଚରା କରି ବଲେରୋରେ ଜଣେ ମହିଳା ଓ ଛୁଆଙ୍କୁ ନେଇ କେହି ଜଣେ ଯାଇଥିବା ବିଷୟ ଲୋକେ କହିଥିଲେ ।

ଚାରି ମାସ ତଳେ ମିଳିଥିଲା ଅନୁପଙ୍କ ସଂପୃକ୍ତିର ଖିଅ ୩ ବର୍ଷ ୭ ମାସ ତଳେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ଲାଗି ଛତିଶଗଡ଼ ରାୟଗଡ଼ ପୁଲିସ ପୁରାଦମ ଲଗାଇ ଦେଇଥିଲା । ବର୍ତ୍ତମାନର ରାୟଗଡ଼ ଏସ୍‌ପି ସନ୍ତୋଷ କୁମାର ସିଂ ପୁରା ପୁଲିସ ଟିମ୍‌କୁ ଲଗାଇ ହତ୍ୟାକାଣ୍ଡରେ ଅନୁପଙ୍କ ସଂପୃକ୍ତିର ସମସ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲେ । ଅନୁପଙ୍କ ଗତିବିଧି ଉପରେ ପୁରା ନଜର ରଖିଥିଲା ଛତିଶଗଡ଼ ପୁଲିସ୍‌ । କଲ୍‌ ଡିଟେଲ୍ସରୁ ଅନୁପଙ୍କ ଉପରେ ସୃଷ୍ଟି ହୋଇଥିବା ସନ୍ଦେହ କ୍ରମଶଃ ଦୂର ହୋଇ ହତ୍ୟାରେ ସେ ସଂପୃକ୍ତ ଥିଲେ ତାହା ସ୍ପଷ୍ଟ ହୋଇଛି।

ଅନୁପଙ୍କ ଠିକଣା ବଦଳିଲା ଏମ୍‌ଏଲ୍‌ଏ କ୍ୱାର୍ଟର୍‌ରୁ ରାୟଗଡ଼ ଜେଲ୍‌ ଅନୁପଙ୍କ ଠିକଣା ବଦଳିଛି । ତିନି ଥର ବିଧାୟକ ରହିବା ପରେ ଭୁବନେଶ୍ୱରରେ ମିଳିଥିବା ସରକାରୀ ବାସଭବନକୁ ସେ ଛାଡ଼ି ନ ଥିଲେ । ହେଲେ ଭୁବନେଶ୍ୱର ଏମ୍‌ଏଲ୍‌ଏ କଲୋନି କ୍ୱାର୍ଟର୍‌ ନଂ ଏଫ୍‌୧୩/୨ରୁ ତାଙ୍କର ଠକଣା ବଦଳି ଏବେ ରାୟଗଡ଼ ଜେଲ୍‌ ହୋଇଛି । ଆଜି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନୁପ ଏବେ ଜେଲ୍‌ରେ ଆଉ ସେ ପୂର୍ବ ଅଏସ ଆରାମର ଜୀବନ ନୁହେଁ ବରଂ ଜଣେ ବନ୍ଦୀ ଭାବେ କାଳ ଅତିବାହିତ କରିବେ ।

ସରୋଜ ଦାସ ହିଁ ଚିହ୍ନିଥିଲେ

ଯେତେ ପରିଚୟ ନଷ୍ଟ କରିବାର ପ୍ରୟାସ କରିଥିଲେ ହେଁ ଅନୁପ ସେଥିରେ ସଫଳ ହୋଇ ନ ଥିଲେ । ରାୟଗଡ଼ ପୁଲିସ ୬ଟି ରାଜ୍ୟରେ ଫଟୋ ଧରି ଖୋଜି ଚାଲିଥିଲା ମୃତକଙ୍କ ପରିଚୟ । ମାତ୍ର ଶେଷରେ ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଜଣେ ପୁଲିସ କନଷ୍ଟେବଲ ହିଁ କଳ୍ପନାଙ୍କ ଫଟୋକୁ ଚିହ୍ନି ପାରିଥିଲେ । କଳ୍ପନାଙ୍କ ଦୂର ସଂପର୍କୀୟ ଭାଇ ସରୋଜ ଦାସ ନାମକ ଏହି ପୁଲିସ୍‌ କର୍ମଚାରୀ ଛତିଶଗଡ଼ ପୁଲିସକୁ କଳ୍ପନାଙ୍କ ଫଟୋ ଚିହ୍ନଟ କରି ଦେବା ସହ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନରେ ଏକ ବଡ଼ ଭୂମିକା ନେଇଥିଲେ ।

ଡିଏନ୍‌ଏ ଟେଷ୍ଟ ମା’ ଝିଅଙ୍କ ଚିହ୍ନଟରେ ହୋଇଥିଲା ସହାୟକ

ହତ୍ୟାର ଶିକାର ହେବା ସମୟରେ କଳ୍ପନା ଗର୍ଭବତୀ ଥିଲେ । ଆଉ ଶବ ଚିହ୍ନଟ ହୋଇ ପାରି ନ ଥିବାରୁ ସେ ସମୟରେ ଛତିଶଗଡ଼ ପୁଲିସ୍‌ କଳ୍ପନାଙ୍କ ସ୍ୱାମୀ ସୁନୀଲ ଏବଂ ଝଅି ବବଲ୍‌ ଙ୍କି ଡଏି ନଏ୍‌ ଟେଷ୍ଟ କରାଇ ସେ ସୁନୀଲଙ୍କ ଝଅି ହୋଇଥିବାର ପ୍ରମାଣ ପାଇଥିଲା । ଏହି ଡିଏନ୍‌ଏ ଟେଷ୍ଟ ରିପୋର୍ଟ ୨୦୧୮ ଶେଷ ଭାଗରେ ପୁଲିସ୍‌ର ହସ୍ତଗତ ହେବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ଦିଗରେ ପୁଲିସକୁ ମିଳିଥିଲା ସହାୟତା । ବାରମ୍ୱାର ପଚରା ଉଚରା ଲାଗି ପୁଲିସ୍‌ ନୋଟିସ ପଠାଇଥିଲେ ହେଁ ଅନୁପ ଆଦୌ ସହାୟତା କରି ନ ଥିଲେ । ସେ ଶାସକ ବିଜେଡ଼ିର ଜଣେ ନେତା ହୋଇଥିବାର ଭରପୁର ଫାଇଦା ନେଇଥିଲେ ।

୧୮ ଘଣ୍ଟାର ମାରାଥନ ଜେରା

ଗତ ବୁଧବାର ରାତିରେ ବ୍ରଜରାଜନଗର ପାଖ ସାଇମନ୍ଦିର ଠାରୁ ଅନୁପଙ୍କୁ ଛତିଶଗଡ଼ ପୁଲିସ ଉଠାଇ ନେବା ପରେ ୧୮ ଘଣ୍ଟା ଧରି ମାରାଥନ ଜେରା କରିଥିଲା । ଜେରା କାଳରେ ଅନୁପ ତ ପ୍ରଥମେ କଳ୍ପନାଙ୍କୁ ଜାଣି ନ ଥିବା କହି ପୁଲିସକୁ ଭୁଆଁ ବୁଲାଇବାର ପ୍ରୟାସ କରିଥିଲେ । ଅଭ୍ୟାସଗତ ଆଚରଣରୁ ଅନୁପ ଦୂରେଇ ନ ଥିଲେ । ମାତ୍ର ପୁଲିସର ଆଭିମୁଖ୍ୟ ଦେଖି ଅନୁପ ଫଣା ତଳକୁ କରିଥିଲେ । ବାଧ୍ୟ ହୋଇ ସବୁକିଛି ବୟାନରେ କହି ପକାଇଥିଲେ । ମା’ ଝିଅ ବାହାର କୌଣସି ବ୍ୟକ୍ତିଙ୍କ ସହ ମିଳାମିଶା କରିବାକୁ ଅନୁପ ବରଦାସ୍ତ କରୁ ନ ଥିଲେ । ତାଙ୍କର ପସନ୍ଦ ନ ଥିବାରୁ ସେଭଳି ମିଳାମିଶାରୁ କଳ୍ପନା ଦୂରରେ ରହୁଥିଲେ । ହତ୍ୟାକାଣ୍ଡ ପଛରେ ୨୦୧୭ରୁ ଅନୁପଙ୍କ ସଂପୃକ୍ତି ନେଇ ସେଠିକାର ପୁଲିସ ହାତରେ ସୁରାଗ ଏବଂ ପ୍ରମାଣ ମିଳି ସାରିଥିଲା । ମାତ୍ର ଆଉ କିଛିଟା ପ୍ରମାଣ ଯୋଗାଡ଼ କରି ଗିରଫ ପାଇଁ ସୁଯୋଗ ଉଣ୍ଡୁ ଥିଲା ପୁଲିସ୍‌ । ହେଲେ ଅନୁପ ଛତିଶଗଡ଼ ରାୟଗଡ଼ରେ କିଏ ପୁଲିସ୍‌ ମୁଖିଆ ରହୁଛନ୍ତି, ତାଙ୍କର ଆଭିମୁଖ୍ୟ କ’ଣ ରହୁଛି, ଏହି ହତ୍ୟା ଘଟଣାକୁ କିଭଳି ଦେଖୁଛନ୍ତି ସେସବୁ ଉପରେ ପୁରା ସତର୍କ ଦୃଷ୍ଟି ରଖୁଥିଲେ । ଏପରିକି ରାୟଗଡ଼ର ଜଣେ ଏସ୍‌ପିଙ୍କୁ ବଦଳି କରାଇବାରେ ବି ଅନୁପଙ୍କ ଭୂମିକା ଥିଲା ବୋଲି ଚର୍ଚ୍ଚା ହେଉଛି ।

ନାର୍କୋ ଟେଷ୍ଟ କରାଇବ ପୁଲିସ୍‌

ଆଜି ଅନୁପଙ୍କୁ ରାୟଗଡ଼ ପୁଲିସ୍‌ କୋର୍ଟ ଚାଲାଣ କରିବା ପରେ କୋର୍ଟରେ ନାର୍କୋ ଟେଷ୍ଟ ଲାଗି ଆବେଦନ କରିଛି । ଅବଶ୍ୟ ଅଭିଯୁକ୍ତ ଅନୁପ ନାର୍କୋ ଟେଷ୍ଟ ଲାଗି ପ୍ରସ୍ତୁତ ହୋଇ ନ ଥିବା ବେଳେ କୋର୍ଟ ଅନୁମତି ଦେଲେ ନାର୍କୋ ଟେଷ୍ଟ କରାଇବ ବୋଲି ପୁଲିସ୍‌ ଏସପି କହିଛନ୍ତି । ମାତ୍ର ଅଭିଯୁକ୍ତ ସମ୍ମତି ନ ଦେଲେ ନାର୍କୋ ଟେଷ୍ଟ ସମ୍ଭବ ନୁହେଁ ବୋଲି କୁହାଯାଉଛି । ପ୍ରଥମେ ଜେରା କାଳରେ ହତ୍ୟା ତ ଦୂରର କଥା କଳ୍ପନାଙ୍କୁ ସେ ଜାଣି ନାହାଁନ୍ତି ବୋଲି କହି ପୁଲିସକୁ ଭୁଆଁ ବୁଲାଇବାର ପ୍ରୟାସ କରିଥିଲେ ଅନୁପ । ହେଲେ ପରେ ସାକ୍ଷ୍ୟମାନଙ୍କ ଆଗରେ ଜେରା ପରେ ସବୁ କିଛି ମାନି ନେଇଥିଲେ । ହତ୍ୟା କିଭଳି କଲେ ତାହା ପୁଲିସ ଆଗରେ ବର୍ଣ୍ଣନା କରିଥିଲେ ବୋଲି ଏସ୍‌ପି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ।

ପୁରସ୍କୃତ ହେବେ ତଦନ୍ତକାରୀ ଟିମ୍‌

ଦୀର୍ଘ ୪ ବର୍ଷର ତନାଘନା ପରେ ହମିରପୁର ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଛତିଶଗଡ଼ ପୁଲିସ । ୪ ବର୍ଷ ଧରି ବିଭିନ୍ନ ଥାନାର ଥାନାଧିକାରୀଙ୍କ ସମେତ ତଦନ୍ତକାରୀ ଟିମ୍‌ ଏହି ଘଟଣାର ତଦନ୍ତରେ ସହଯୋଗ କରିଥିଲେ । ଘଟଣାରେ ଓଡ଼ିଶାର ଜଣେ ରାଜନେତା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ପ୍ରକାଶ ପାଇବା ପରେ ଅତି ସତର୍କତାର ସହ ପଦକ୍ଷେପ ନେଇଥିଲା ଛତିଶଗଡ଼ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ଅତି ଗୋପନୀୟ ଢଙ୍ଗରେ ଅଭିଯୁକ୍ତ ରାଜନେତା ଅନୁପ ସାଏଙ୍କ ସବୁ ଗତିବିଧି ଉପରେ ନଜର ରଖାଯାଇଥିଲା । ଦୀର୍ଘ ୪ ବର୍ଷ ଯାଏ ୬ଟି ରାଜ୍ୟର ୭୦୦ରୁ ଅଧିକ ଲୋକଙ୍କୁ ଜେରା କରି ସବୁତକ ପ୍ରମାଣ ଠୁଳ ହେବା ପରେ ସିଧାସଳଖ ପୂର୍ବତନ ବିଧାୟକଙ୍କୁ କାବୁ କରିଥିଲା ପୁଲିସ ଟିମ୍‌ । ପଦର ଅପବ୍ୟବହାର କରି ମାମଲାକୁ ପ୍ରଭାବିତ କରିବାକୁ ଖୁବ୍‌ ଚେଷ୍ଟା କରିଥାଇପାରନ୍ତି ଅନୁପ । ହେଲେ ଅପରାଧିକୁ ଖୋଜି ବାହାର କରିବା ଲାଗି ପୁଲିସ ଟିମ୍‌ ଆପଣାଇଥିବା ସବୁ ରଣନୀତି ଆଗରେ ବୃଥା ଗଲା ଅନୁପଙ୍କ ସବୁ ଚାଲ୍‌ । ଶେଷରେ ପୁଲିସ ପଞ୍ଝାରେ ଫସିଗଲେ ଏହି ହାଇପ୍ରୋଫାଇଲ ରାଜନେତା । ପୁଲିସ ଟିମ୍‌ର ତଦନ୍ତକୁ ଏବେ ଚାରିଆଡ଼ୁ ପ୍ରଶଂସା କରାଯାଇଛି । ଏଭଳି ଏକ ହାଇପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ କରିଥିବା ତଦନ୍ତକାରୀ ଟିମ୍‌କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ଛତିଶଗଡ଼ ପୁଲିସ ଆଇଜି ଘୋଷଣା କରିଛନ୍ତି । କାରଣ ଏହି ଘଟଣା ପୁଲିସ ପ୍ରଶାସନ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ାଇବାରେ ସକ୍ଷମ ହୋଇଛି । ଏହାସହ ଯେତେ ପ୍ରଭାବଶଳୀ ହେଲେ ମଧ୍ୟ ଆଇନ ଆଖିରେ ସବୁ ଅପରାଧି ସମାନ ବୋଲି

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ