ସୀମା ଲଙ୍ଘିଲା ଯୌତୁକ ନିର୍ଯାତନା: ବୋହୂକୁ କିରୋସିନି ଢାଳି ଜାଳିଦେଲେ ଶାଶୁଘର ଲୋକେ

ପୁରୀ ୧/୩: ବିନା ଯୌତୁକରେ ହୋଇଥିଲା ବିବାହ । ପରେ ଶାଶୁଘର ଲୋକଙ୍କ ମୁଣ୍ଡରେ ପଶିଥିଲା ଯୌତୁକ ଭୁତ । ବିବାହର ଏକ ବର୍ଷ ପରେ ଯୌତୁକ ଜନିତ ନିର୍ଯାତନା ଆରମ୍ଭ ହୋଇ ଶେଷରେ ଏହା ସୀମା ଲଙ୍ଘିଥିଲା । ଯୌତୁକ ଲୋଭରେ ବହୂର ଜୀବନ ନେବାକୁ ଯୋଜନା କରି ଶାଶୁଘର ଲୋକେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ମାତ୍ର ସୌଭାଗ୍ୟ ବଶତଃ ପାଖ ପଡ଼ୋଶୀ ଜାଣିପାରି ବହୂଙ୍କୁ ଅଧାପୋଡ଼ା ଅବସ୍ଥାରେ ଉଦ୍ଧାର କଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେ ହେଲେ ବାସେଳୀସାହି ଥାନା ଅଧୀନ ପାର୍ବତୀପୁର ଲକ୍ଷ୍ମୀନାରାୟଣ ନଗରର ଝରଣା ନନ୍ଦ (୨୬) । ଏନେଇ ଝରଣାଙ୍କ ଭାଇ ଶୁଭକାନ୍ତ ତ୍ରିପାଠୀ ବାସେଳୀସାହି ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଭଉଣୀଙ୍କ ସ୍ୱାମୀ, ବିଧବା ଶାଶୁ ଓ ଶାଶୁଙ୍କ ସମ୍ପର୍କୀୟ ଭାଇ ତାଙ୍କ ଦେହରେ ଶନିବାର ପୂର୍ବାହ୍ନ ସାଢେ ୧୧ଟାରେ କିରୋସିନ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବାବେଳେ ପ୍ରଥମେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରୁ ଡାକ୍ତର ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ ସ୍ଥାନାନ୍ତର କରିଥିବାବେଳେ ଝରଣା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ଝରଣାଙ୍କ ବାପଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ରମେଶ ଚନ୍ଦ୍ର ତ୍ରିପାଠୀ । ୮ ବର୍ଷ ତଳେ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା । ପରିବାରର ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିବାରୁ ରମେଶ ଯୌତୁକ ଦେଇ ପାରିବେ ନାହିଁ ବୋଲି କହିବାରୁ ଶାଶୁଘର ଲୋକେ ଏଥିରେ ରାଜି ହୋଇଯାଇଥିଲେ । ନବକଳେବର ରୋଡ ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିରରେ ବିବାହ ହୋଇଥିଲା । ତାଙ୍କର ଏବେ ୫ ବର୍ଷର ଓ ୪ ବର୍ଷର ଦୁଇଟି ପୁଅ ଅଛନ୍ତି । ହେଲେ ବିବାହର ଏକ ବର୍ଷ ପରେ ଝରଣାଙ୍କ ସ୍ୱାମୀ, ଶାଶୁ ଓ ଶାଶୁଙ୍କ ଜଣେ ସମ୍ପର୍କୀୟ ଭାଇ ନିୟମିତ ଭାବେ ଯୌତୁକ ନିର୍ଯାତନା ଦେଉଥିବା ଶୁଭକାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ପୁଲିସ୍‌ ଶାଶୁଙ୍କୁ ଥାନାରେ ଅଟକ ରଖିଥିବାବେଳେ ଶାଶୁଙ୍କ ସମ୍ପର୍କୀୟ ଭାଇ ଫେରାର ହୋଇଯାଇଥିବା କହିଛି । ଏହା ସହ ଝରଣାଙ୍କ ବୟାନ ରେକର୍ଡ ପାଇଁ ଏସ୍‌ସିବିକୁ ରାତିରେ ପୁଲିସ ଟିମ୍‌ ଯାଇଥିବା ଜଣାପଡିଛି ।