ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ

ଭୁବନେଶ୍ୱର,୨୬/୫: ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତା ତଥା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଶ୍ୱଶୁର ଡା. ଅକ୍ଷୟ କୁମାର ରାଉତଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ନାୟୁଗତ ରୋଗ ପାଇଁ ତାଙ୍କର ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଡା. ରାଉତ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ଗ୍ରାମରେ ୧୯୫୦ ମସିହା ଫେବ୍ରୁଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୨ ମସିହାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍‌ରୁ ଡାକ୍ତରୀ ପାସ୍‌ କରିଥିଲେ । ତାଙ୍କ ପତ୍ନୀ ହେଉଛନ୍ତି ପୁଷ୍ପା ରାଉତ । ତାଙ୍କର ତିନି ଝିଅ ସୁଜାତା କାର୍ତ୍ତିକେୟନ୍‌, ସୁସ୍ମିତା ରାଉତ ଓ ସୁଚିତ୍ରା ରାଉତ । ସୁସ୍ମିତା ଜଣେ ପ୍ରାଣୀ ଚିକିତ୍ସକ ଓ ସୁଚିତ୍ରା ଜଣେ ମ୍ୟାନେଜମେଣ୍ଟ ପେଷାଦାର । ସୁଚିତ୍ରା ଓ ସୁସ୍ମିତା ବିଦେଶରେ ରହୁଛନ୍ତି ।

ଜାମସେଦପୁର ଟାଟାନଗର ଅଞ୍ଚଳରେ ଶିଶୁ ଚିକିତ୍ସିକ ଭାବେ ଡା. ରାଉତ ବେଶ୍‌ ପରିଚିତ ଥିଲେ । ଗରିବ ପିଲାମାନଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ । ଟାଟା ହସ୍ପିଟାଲରୁ ସ୍ୱେଚ୍ଛାକୃତ ଅବସର ପରେ ସେ ଜାମସେଦପୁରରେ ପତ୍ନୀଙ୍କ ନାମରେ କ୍ଲିନିକ୍‌ ଖୋଲି ଚିକିତ୍ସା ସେବା ଜାରି ରଖିଥିଲେ ।

ଡା. ରାଉତଙ୍କ ବିୟୋଗରେ ସୋଆ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ. ନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି, ଅକ୍ଷୟ ଭାଇ ଆମ ଅଞ୍ଚଳର ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସବୁବେଳେ ଜଣେ ସାଧାରଣ ଗାଉଁଲି ଲୋକ ଭଳି ବ୍ୟବହାର କରୁଥିଲେ । ତାଙ୍କ ସହ ମୋର ଦୀର୍ଘ ଦିନର ବନ୍ଧୁତା ଥିଲା । ବଡ଼ ଭାଇ ଭଳି ସେ ସବୁବେଳେ ମାର୍ଗଦର୍ଶନ କରୁଥିଲେ । ଆମ ଗାଁ ବଲୁରିଆ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଥିଲା । ଯେଉଁଠି ଥିଲେ ବି ସେ ଅଞ୍ଚଳର ଭଲ ମନ୍ଦ କଥା ବୁଝୁଥିଲେ । ତାଙ୍କ ବିୟୋଗରେ ଆମ ଜିଲ୍ଲା ଜଣେ ଦରଦୀ ମଣିଷଙ୍କୁ ହରାଇଲା । ଡ. ନାୟକ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…

ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଠକିନେଲା MCL ! ଏଯାଏଁ ମିଳିଲାନି କ୍ଷତିପୂରଣ, ଦୁଇଦିନ ହେବ ଅନଶନରେ ଜମି ମାଲିକ…