ଜଳ ଜୀବନ ମିଶନ ଆଞ୍ଚଳିକ କର୍ମଶାଳା: ୨୦୨୪ ସୁଦ୍ଧା ୯୦ କୋଟି ଘରକୁ ପାନୀୟ ଜଳ: କେନ୍ଦ୍ରମନ୍ତ୍ରୀ

ପୁରୀ,୧୨ ।୯(ବ୍ୟୁରୋ): ୨୦୨୪ ମସିହା ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ଟ୍ୟାପ୍‌ ପାଣି ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏ ପର୍ଯ୍ୟନ୍ତ ଦେଶର ସାଢ଼େ ୧୮ କୋଟି ଗ୍ରାମର ୯୦ କୋଟି ଘରଙ୍କୁ ପାଇପ୍‌ ଯୋଗେ ପନୀୟଜଳ ପହଞ୍ଚିପାରିନି । ମାତ୍ର ୧୮ ପ୍ରତିଶତ ପରିବାରକୁ ପାଣି ପାଇପ୍‌ ଦ୍ୱାରା ପହଞ୍ଚିଛି । ପ୍ରତି ଘରେ ପାଣି ପହଞ୍ଚାଇବା ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଶତ ପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ସରକାର ୪ ଗୁଣା କାମ କରିବେ ବୋଲି କହିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ସ୍ଥାନୀୟ ମେ’ ଫେୟାର ହୋଟେଲ ଠାରେ ଅନୁଷ୍ଠିତ ଜଳ ଜୀବନ ମିଶନ ଆଞ୍ଚଳିକ କର୍ମଶାଳାରେ ଯୋଗଦେବା ଅବସରରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଏ ପର୍ଯ୍ୟନ୍ତ ଦେଶରେ ସାଢ଼େ ୩ କୋଟି ପରିବାରଙ୍କୁ ପାଣି ଦିଆଯାଇପାରିଛି । ପୁରୀ ଓ ଓଡ଼ିଶାରେ ଭୂତଳ ଜଳସ୍ତର ଖସିବାରେ ଲାଗିଛି । ଜଳ ସୁରକ୍ଷା, ରିଚାର୍ଜ, ନିଷ୍କାସନ (ବ୍ୟବହୃତ ଜଳ) ପରିଚାଳନା କରିବାକୁ ପଡ଼ିବ । ସ୍ଥାନୀୟ ସରକାରଙ୍କ ଦ୍ୱାରା ହୋଇଥିବା ଯୋଜନା ଦ୍ୱାରା ହେଉ କିମ୍ବା ଅନ୍ୟ ସ୍ଥାନରୁ ପାଣି ପରିବହନ କରି ଆଣି ପାନୀୟ ଜଳ ବ୍ୟବସ୍ଥାର ସୁବିଧା କରାଯିବ । ରାଜ୍ୟଙ୍କ ଦାୟିତ୍ୱ ସବୁଠାରୁ ଅଧିକ । ରାଜ୍ୟ ସରକାରଙ୍କ ଯେତେ ଭଲ ସହଯୋଗ ମିଳିବ ଶତ ପ୍ର୍ରତିଶତ ଲକ୍ଷ୍ୟ ହାସଲ ସେତେ ସହଜ ହୋଇପାରିବ । ଗୁଜୁରାଟ ଓ ରାଜସ୍ଥାନରେ ଚାଲିଥିବା ପାନୀୟଜଳ ଯୋଗାଣ ଓ ସଂରକ୍ଷଣ ମିଶନକୁ ମଡେଲ ଭାବେ ଗ୍ରହଣ କରାଯାଇଛି । ଏହି ଯୋଜନାରେ ଗତ୫ ବର୍ଷରେ ଏହି ରାଜ୍ୟମାନଙ୍କରେ ଭୂତଳ ଜଳସ୍ତର ୫ ଫୁଟ ବଢ଼ିଛି । ତେଣୁ ଦେଶରେ ଏହି ମିଶନ କାମ କରିବା ନିମନ୍ତେ ଲକ୍ଷ୍ୟ ରହିଛି । ଜଳଶକ୍ତି ଅଭିଯାନ ଆସନ୍ତା ୧୫ ତାରିଖରେ ପ୍ରଥମ ଚରଣ ସରିବ । ୩ ମାସରେ ବହୁତ କାମ ହୋଇଛି ।

କର୍ମଶାଳାରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ସମଗ୍ର ଭାରତରେ ଏହି ଜଳ ଜୀବନ ମିଶନ ଆରମ୍ଭ ହେଉଛି । ଏହା ପୂର୍ବରୁ ରାଜ୍ୟରେ ‘ବସୁଧା’ ଜରିଆରେ ସବୁ ପରିବାରଙ୍କୁ ପାଣି ଯୋଗାଇ ଦେବାକୁ କାମ ଚାଲିଛି । ୨୦୨୪ରେ ସବୁ ଗାଁରେ ପାନୀୟଜଳ ଉପଲବ୍ଧ କରିବା ଲକ୍ଷ୍ୟ ରହିଛି । ଏହି ମିଶନକୁ ସଫଳ କରିବାକୁ ୩୦୦୦ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ମାତ୍ର ୩୦୦ କୋଟି ଦେଉଛନ୍ତି । କେନ୍ଦ୍ର ସରକାର ଯଦି ଜଳ ଜୀବନ ମିଶନ ଜରିଆରେ ଅଧିକ ଟଙ୍କା ଦିଅନ୍ତି, ଏହି ଲକ୍ଷ୍ୟ ସଫଳ ହେବ ।

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଦୁଇଦିନିଆ କର୍ମଶାଳା ଶେଷ ହୋଇଛି । ଏଥିରେ ବିହାର ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଦ୍ୱୀପର ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ । ଆଗକୁ ବେଙ୍ଗାଲୁରୁ, ଅହମ୍ମଦାବାଦ୍‌, ଗୌହାଟିରେ ହେବା ଲକ୍ଷ୍ୟ ରହିଛି । ଜଳ ମିଶନରେ ୧୪.୬୦ କୋଟି ଲୋକଙ୍କୁ ଟ୍ୟାପ୍‌ ପାନୀୟଜଳ ଯୋଗାଣ ଦେବା ନିମନ୍ତେ ପ୍ରାୟ ୩.୬୦ ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପ୍ରୟାସରେ ଲକ୍ଷ୍ୟ ହାସଲ ଯୋଜନା ହୋଇଛି । ରାଜ୍ୟ ସରକାର ବିଭିନ୍ନ ମେଗା ପ୍ରକଳ୍ପ ସହ ୧୨ ହଜାର ସୌର ପ୍ରକଳ୍ପ ଜରିଆରେ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଥିବା ଏଠାରେ ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା