ଗଞ୍ଜେଇ ବେପାରୀଙ୍କୁ କାରରେ ବସାଇ ଫସିଲେ ଡ୍ରାଇଭର: ୩ ଅପହରଣକାରୀ ଗିରଫ,ଗାଡି଼ ଜବତ

ଚନ୍ଦ୍ରଶେଖରପୁର ୯/୧୧: ଗଞ୍ଜେଇ ବେପାର କରୁନଥିଲେ । କିନ୍ତୁ ଅଜଣାତରେ ଜଣେ ଗଞ୍ଜେଇ ବେପାରୀଙ୍କୁ ଭଡ଼ାସୂତ୍ରରେ କାରରେ ବସାଇ ନେଉଥିଲେ । ଯାହାକି ଉକ୍ତ କାର ଡ୍ରାଇଭରଙ୍କୁ ମହଙ୍ଗା ପଡି଼ଲା । ଗଞ୍ଜେଇ ବେପାରୀଙ୍କ ଉପରେ ଥିବା ବାକି ଟଙ୍କା ପାଇବା ଲକ୍ଷ୍ୟରେ ଗଞ୍ଜେଇ ମାଫିଆମାନେ ତାଙ୍କୁ ଟେକିନେଲେ । ଏମିତି ଢଙ୍ଗରେ ଅପହରଣ ହୋଇଥିବା ଜଣେ ଡ୍ରାଇଭରଙ୍କୁ କଟକ ଜିଲ୍ଲା ମାହାଙ୍ଗା କୁମୁଡ଼ାରୁ ଉଦ୍ଧାର କରିଛି ଇନ୍‌ଫୋସିଟି ଥାନା ପୁଲିସ । ସେ ହେଲେ ନୟାଗଡ଼ ଭାପୁର ଅଞ୍ଚଳର ସୁନୀଲ ମହାନ୍ତି । ଅପହରଣ କରିଥିବା ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ମାହାଙ୍ଗାର ସକିଲ ଖାନ୍‌(୩୬),ଏସ୍‌କେ ତହିର୍‌ ଅଲ୍ଲୀ(୨୬) ଓ ଛତିଆ ଅମରାବତୀପାଟଣାର ସାନିଧ୍ୟ ମହାନ୍ତି(୩୦) । ପୁଲିସ ସେମାନଙ୍କ ଠାରୁ ଏକ କାର ସହ ସେମାନେ ବ୍ୟବହୃତ କରୁଥିବା ଦୁଇଟି ବାଇକ ଓ ଚାରୋଟି ମୋବାଇଲକୁ ଜବତ କରିଛି ।

ସୂଚନା ମୁତାବକ, ଗଞ୍ଜେଇ ବେପାର କରୁଥିବା ଜଣେ ବେପାରୀଙ୍କୁ ସୁନୀଲ ଅଜାଣତରେ ଭଡ଼ାସୂତ୍ରରେ ନିଜ କାର(ଓଡି୩୪ସି୫୨୩୦)ରେ କଟକ ଜିଲ୍ଲା ମାହାଙ୍ଗା କୁମୁଡ଼ା ଯାଏଁ ନେଇଥିଲେ । ସେଠାକାର କିଛି ଗଞ୍ଜେଇ ମାଫିଆଙ୍କ ଠାରୁ ବେପାରୀଜଣକ ୫ ଲକ୍ଷ ଟଙ୍କାର ଗଞ୍ଜେଇ କିଣିଥିଲେ। ଅନ୍ୟ ଏକ ଗାଡି଼ରେ ଗଞ୍ଜେଇ ଭୁବନେଶ୍ୱର ଆଣିଥିଲେ । ହେଲେ ଏ ବାବଦକୁ ୩ ଲକ୍ଷ ଟଙ୍କା ବାକି ରଖିଥିଲେ। ଯାହାକୁ ନେଇ ଗଞ୍ଜେଇ ମାଫିଆଙ୍କ ସହ ବେପାରୀଙ୍କ ଝଗଡ଼ା ହୋଇଥିଲା। ବାକି ଟଙ୍କା ନ ଦେଇ ବେପାରୀ ଜଣକ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ।

ବକେୟା ଟଙ୍କା ପାଇଁ ଗଞ୍ଜେଇ ମାଫିଆଙ୍କ ଏକ ଟିମ୍‌ ସଂପୃକ୍ତ ବେପାରୀକୁ ଖୋଜିବା ବେଳେ ଗତ ୬ ତାରିଖରେ ଇନଫୋସିଟି ପାଖ ଏକ ଜଗନ୍ନାଥ ମନ୍ଦିର ସାମ୍ନାରେ ସୁନୀଲଙ୍କୁ ଦେଖିଥିଲେ । ବାକି ଟଙ୍କା ପାଇବା ପାଇଁ ସେମାନେ ସୁନୀଲଙ୍କୁ ତାଙ୍କ କାର୍‌ରେ ଅପହରଣ କରି ମାହାଙ୍ଗା ନେଇ ଯାଇଥିଲେ । ସେଠାରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ । ପରିବାରଲୋକ ଘଟଣା ବିଷୟରେ ପୁଲିସକୁ ଅବଗତ କରାଇଥିଲେ ।

ପୁଲିସ ଅପହରଣକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। ପରିବାର ଲୋକଙ୍କୁ ଧମକ ମିଳୁଥିବା ଅପହରଣକାରୀଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରିଥିଲା ପୁଲିସ । ଗତକାଲି ମାହଙ୍ଗା କୁମାଡ଼ା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିଲା । ସୁନିଲର କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ଏବେ ପୁଲିସ ମୂଳ ଗଞ୍ଜେଇ ବେପାରୀଙ୍କୁ ଖୋଜୁଛି ।

   ସମ୍ବନ୍ଧିତ ଖବର


‘ଅମ୍ଫାନ’ କ୍ଷୟକ୍ଷତିର ସମୀକ୍ଷା ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍, ବୁଲିବେ ୪ ଜିଲ୍ଲା

ଆଇପିଏସଙ୍କ ଘରୁ ଚୋରି, ୩ ଗିରଫ

୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱରରେ ୫ ବର୍ଷର ଶିଶୁକୁ ହତ୍ୟା ଅଭିଯୋଗ

ଆଜି ବିଶ୍ୱ ସାଇକେଲ ଦିବସ : ୨୦ ବର୍ଷ ପରେ ସାଇକେଲ ଚଲାଇଲେ ୨୭%

୧୦ ସୁଦ୍ଧା ଓଡ଼ିଶା ଆସିବେ ପଙ୍ଗପାଳ ! ଚରିଯିବେ ଧାନ, କପା ଏବଂ ପନିପରିବା, ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ