ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା: ଗିରଫ ଦାବିରେ ରାସ୍ତାରୋକ

ଭୁବନେଶ୍ୱର ୨୪/୮ : ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରରେ ଥିବା କମ୍ୟୁନିଟି ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ନିଶାନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟି ପିଟି ହତ୍ୟା କରା ଯାଇଛି । ହତ୍ୟାକାରୀଙ୍କୁ ଗିରଫ ଦାବି କରି ଆଜି ସିବିଆଇ ଅଫିସ ସମ୍ମୁଖରେ ପରିବାର ଓ ସାହିପଡ଼ୋଶୀ ମୃତ ଅକ୍ଷୟ ମାଝି(୪୫)ଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ । ନୂଆପଲ୍ଲୀ ଥାନା ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ସେପଟେ ଉକ୍ତ ନିଶାନିବାରଣ କେନ୍ଦ୍ରରେ ଆଜି ପୁଣି ଦୁଇ ଅନ୍ତେବାସୀଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି । ତେଣୁ ଅନ୍ୟ ଅନ୍ତେବାସୀମାନେ କେନ୍ଦ୍ରର ଗେଟ୍‌ ତାଲା ଭାଙ୍ଗି ଖସି ପଳାଇ ଆସିଛନ୍ତି । ଏନେଇ ସେମାନେ ସଂସ୍ଥାର କର୍ମଚାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଥାନା ଘେରାଉ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ସମସ୍ତେ ନିଜନିଜ ଘରକୁ ପଳାଇଛନ୍ତି । ନିଶାନିବାରଣ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ତାଲା ପକାଇ ପଳାଇଥିବା ଜଣାପଡ଼ିଛି ।

ପୁଲିସ ସୂଚନା ଅନୁଯାୟୀ, ନୂଆପଲ୍ଲୀର ଅକ୍ଷୟ ମାଝିଙ୍କୁ ପରିବାର ଲୋକେ କଳିଙ୍ଗବିହାରସ୍ଥିତ କମ୍ୟୁନିଟି ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ନିଶାନିବାରଣ କେନ୍ଦ୍ରରେ ଗତ ମଙ୍ଗଳବାର ଭର୍ତ୍ତି କରିଥିଲେ । ଗତକାଲି ସକାଳେ ଅକ୍ଷୟ ନ ଉଠିବାରୁ କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅକ୍ଷୟଙ୍କ ଦେହ ସାରା କ୍ଷତଚିହ୍ନ ଥିବା ଦେଖି ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏନେଇ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଥିଲା । ସେପଟେ ଅଭିଯୋଗକୁ ନିଶାନିବାରଣ କେନ୍ଦ୍ର ପକ୍ଷରୁ ଖଣ୍ଡନ କରା ଯାଇଥିଲା ।

ବୁଧବାର ରାତିରେ ନିଶା ଖାଇବା ପାଇଁ ଅକ୍ଷୟ କହିବା ସହ କେନ୍ଦ୍ର ଛାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ତେଣୁ ତାଙ୍କୁ କର୍ମଚାରୀମାନେ ବାନ୍ଧି ନିଦ ଇଞ୍ଜେକ୍ସନ୍‌ ଦେଇଥିଲେ । ସକାଳୁ ସେ ମରି ଯାଇଥିବା ଜଣାପଡ଼ିଥିଲା ବୋଲି ସେମାନେ ପୁଲିସ ଆଗରେ ସଫେଇ ଦେଇଥିଲେ । ପୁଲିସ ଆଜି ଅକ୍ଷୟଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମଧ୍ୟାହ୍ନରେ ପରିବାର ଲୋକେ ଓ ସାହିପଡ଼ୋଶୀ ମିଶି ସିବିଆଇ ଅଫିସ ସମ୍ମୁଖରେ ରାସ୍ତାରୋକ କରିଥିଲେ । ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ ସ୍ୱାଇଁ ଓ ଏସିପି ଅନୀଲ ମିଶ୍ର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ଅକ୍ଷୟଙ୍କ ମୃତ୍ୟୁକୁ ନେଇ ନୂଆପଲ୍ଲୀ ଲୋକେ ନିଶାନିବାରଣ କେନ୍ଦ୍ରକୁ ଆସୁଥିବା ଖବର ପାଇ ଅନ୍ତେବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତେଣୁ ସେଠାରୁ ସେମାନେ ବାହାରକୁ ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ କର୍ମଚାରୀମାନେ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । କର୍ମଚାରୀଙ୍କ ମାଡ଼ରେ ଜଟଣୀ ହରିରାଜପୁରର ସତ୍ୟ ସୁନ୍ଦରାୟ ଓ ପୁରୁଣା ଭୁବନେଶ୍ୱରର କ୍ଷୀରୋଦ ମହାପାତ୍ର ଆହତ ହୋଇଥିଲେ । ସତ୍ୟ ଓ କ୍ଷୀରୋଦଙ୍କୁ ମାଡ଼ ହେବାପରେ ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଗେଟ୍‌ ତାଲା ଭାଙ୍ଗି ଦୌଡ଼ି ଦୌଡ଼ି ତମାଣ୍ଡୋ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।

ନିଶା ନିବାରଣ କେନ୍ଦ୍ରରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କର୍ମଚାରୀଙ୍କୁ ଗିରଫ ଦାବି କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ଅନ୍ତେବାସୀମାନେ ଆଉ ନିଶାନିବାରଣ କେନ୍ଦ୍ରକୁ ନ ଫେରି ଘରକୁୁ ପଳାଇଥିବା ଜଣାପଡ଼ିଛି । ପୁଲିସ ନିଶାନିବାରଣ କେନ୍ଦ୍ରରେ ପହଞ୍ଚିବାବେଳକୁ କର୍ମଚାରୀମାନେ ମଧ୍ୟ ତାଲା ପକାଇ ଫେରାର୍‌ ହୋଇ ଯାଇଥିବା ପୁଲିସ କହିଛି ।

   ସମ୍ବନ୍ଧିତ ଖବର


ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ପୁଣି ଏକ ଦୁଃଖଦ ଖବର, ସିଂହୀ ସୁପ୍ରିୟାର ମୃତ୍ୟୁ

ଶିଶୁମନ୍ଦିର କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ପୁଲିସ୍‌ର ଅନୁସନ୍ଧାନ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ରାଜଧାନୀରେ ନକଲି ମୋବିଲ କାରଖାନା ଠାବ, ୪ ଗିରଫ

ହାଥରସ୍ ଗଣଦୁଷ୍କର୍ମ ମାମଲା: ପରିବାର ଲୋକଙ୍କ ଅଭିଯୋଗ- ଅଧା ରାତିରେ ଆମକୁ ଘର ଭିତରେ ବନ୍ଦ କରି ଝିଅର ଅନ୍ତିମ ସଂସ୍କାର କଲା ପୋଲିସ

ମିଠା ଏକ୍ସପାଏରୀ ତାରିଖ ପ୍ରଦର୍ଶନ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ମିଠା ବ୍ୟବସାୟୀଙ୍କ ବିରୋଧ