ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ମୁମ୍ବାଇ,୨୩।୧୧: ଡ୍ରଗ୍ସ  ମାମଲାରେ ଗିରଫ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ୱାଚିଆଙ୍କଙ୍କୁ ଆଜି ମିଳିଛି ଜାମିନ୍। ଗତ ଶନିବାର ନାର୍କେଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇରେ ଭାରତୀଙ୍କ ଘର ଉପରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ଗଞ୍ଜେଇ ମିଳିଥିଲା। ପଚରାଉଚରା ବେଳେ ଭାରତୀ ସ୍ବୀକାର କରିଥିଲେ ଯେ, ସେ ଡ୍ରଗ୍ସ ନେଇଥିଲେ।

ଭାରତୀଙ୍କୁ ୬ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କ ସ୍ବାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବିବାର ସବୁଠାରୁ ପ୍ରଥମେ ଭାରତୀ ଓ ହର୍ଷଙ୍କ ମେଡିକାଲ ଏବଂ କରୋନା ଟେଷ୍ଟ ପାଇଁ ଅଣାଯାଇଥିଲା। ସକାଳ ୧୧ଟା ୩୦ ମିନିଟରେ ଭାରତୀ ଓ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଦୁଇ ଡ୍ରଗ୍ସ ପେଡଲରଙ୍କ ସହିତ ଭାରତୀ ଓ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ଏନସିବି ଭାରତୀଙ୍କ ସ୍ବାମୀ ହର୍ଷଙ୍କ ରିମାଣ୍ଡ ମାଗିଥିଳେ, କିନ୍ତୁ ସେ ସଫଳ ହୋଇନଥିଲେ। ଏହାପରେ କୋର୍ଟ ଦୁହିଁଙ୍କୁ ନ୍ୟାୟିକ ହାଜତକୁ ପଠାଇଥିଲେ। ତେବେ ଦୁଇ ପେଡଲରଙ୍କ ରିମାଣ୍ଡ ଏନସିବିକୁ ମିଳିଯାଇଛି।

କୋର୍ଟ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲେ। ଭାରତୀଙ୍କୁ କଲ୍ୟାଣ ଜେଲ୍ ଓ ହର୍ଷଙ୍କୁ ଟଲୋଜା ଜେଲରେ ରଖାଯାଇଥିଲା। ଏହାପରେ ଭାରତୀ ଓ ହର୍ଷ କିଲା କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଆଜି ମାମଲାର ଶୁଣାଣି ବେଳେ କୋର୍ଟ ଭାରତୀ ଓ ହର୍ଷଙ୍କୁ ଜାମିନ୍ ଦେଇଛନ୍ତି