୩୦ ଲକ୍ଷର ବ୍ରାଉନ୍‌ସୁଗର ଜବତ, ୨ ମାଫିଆ ଗିରଫ

ଭୁବନେଶ୍ୱର ୨୯/୧ : କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱର ଅଞ୍ଚଳରୁ ଆଉ ୨ ଜଣ ବ୍ରାଉନ୍‌ସୁଗର ମାଫିଆଙ୍କୁ ଗିରଫ କରିଛି । ସେମାନେ ହେଲେ ସହଦେବଖୁଣ୍ଟା ଥାନା ଅରଡ଼ବଜାରର ସେଖ୍‌ ହାଇଦର ଓ ପୁଲିସ୍‌ ଲେନ୍‌ର ତନ୍ମୟ ଭୁୟାଁ ଓରଫ ତନୁ । ସେମାନଙ୍କ ଠାରୁ ଏସ୍‌ଟିଏଫ୍‌ ୩୦୧ ଗ୍ରାମ୍‌ ବ୍ରାଉନ୍‌ସୁଗର(ପ୍ରାୟ ୩୦ ଲକ୍ଷ ଟଙ୍କା), ୨ ଲକ୍ଷ ୨୨ ହଜାର ଟଙ୍କା, ୩ଟି ମୋବାଇଲ୍‌ ଫୋନ୍‌, ଏଟିଏମ୍‌ କାର୍ଡ ଓ ବୁଲେଟ୍‌ ଜବତ କରିଛି । ତେବେ ଏମାନେ ଏତେ ପରିମାଣର ବ୍ରାଉନ୍‌ସୁଗର କେଉଁଠୁ ଆଣୁଥିଲେ ସେ ବିଷୟରେ ଜାଣିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଏସ୍‌. ପ୍ରିୟଦର୍ଶୀ କହିଛନ୍ତି ।

ଖୋର୍ଦ୍ଧାର ଛୋଟା ଓ ବାଲେଶ୍ୱରର ସେଖ୍‌ ରାଜା ଗିରଫ ହେବା ପରେ କିଛି ମାଫିଆ ଫେରାର ହୋଇ ଯାଇଥିଲେ। ଏସ୍‌ଟିଏଫ୍‌ ବି କିଛିଦିନ ଚୁପ୍‌ ରହିଥିଲା। ଏହାର ଫାଇଦା ନେଇ ମାଫିଆମାନେ ଆରମ୍ଭ କରିଥିଲେ ନିଶା ବେପାର। ବାଂଲାଦେଶରୁ ଜଳପଥରେ ବ୍ରାଉନ୍‌ସୁଗର ଆଣି ବେପାର ଆରମ୍ଭ କରିଥିଲେ। ଏ ବିଷୟରେ ଗୁଇନ୍ଦା ଖବର ପାଇବା ପରେ ଏସ୍‌ଟିଏଫ୍‌ ଆରମ୍ଭ କରିଥିଲା ତନାଘନା । ଏହି ସମୟରେ ହାଇଦର ଓ ତନୁର ସୁରାକ୍‌ ମିଳିଥିଲା । ରବିବାର ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱରରେ ଡେରା ପକାଇଥିଲା । ସୋମବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହରି ପ୍ଲାଜା ନିକଟରେ ୨ ମାଫିଆଙ୍କୁ ଏସ୍‌ଟିଏଫ୍‌ ଅରଡ଼ବଜାର ଅଞ୍ଚଳରୁ ସ୍ଥାନୀୟ ପୁଲିସ ସହଯୋଗରେ ଗିରଫ କରିଥିଲା । ସେମାନଙ୍କୁ ମଙ୍ଗଳବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏଡିଜି କହିଛନ୍ତି, ଗତ ୨୦ ଦିନରେ ପୁରୀ, ବାଲେଶ୍ୱର, ପିପିଲି, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ୱରରେ ୮ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କ ଠାରୁ ୮ ଶହ ୧ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩ ଶହ ୨୬ ଗ୍ରାମ୍‌ ଅଫିମ, ୧୩ ଲକ୍ଷ ୨୦ ହଜାର ଟଙ୍କା, କାର୍‌ ଓ ବାଇକ୍‌ ଜବତ କରାଯାଇଛି । ଆଗକୁ ମଧ୍ୟ ଏହି ଚଢ଼ଉ ଜାରି ରହିବ ବୋଲି ଏଡିଜି କହିଛନ୍ତି । ହାଇଦର ଓ ତନୁଙ୍କ ରାଜ୍ୟ ତଥା ଦେଶ ବାହାରେ ଲିଙ୍କ୍‌ ରହିଛି । ଅଧିକ ତଥ୍ୟ ଆଦାୟ ପାଇଁ ଆମେ ଉଭୟଙ୍କୁ ରିମାଣ୍ଡରେ ଆଣିବୁ ।

ପୁଲିସ୍‌ ସବୁବେଳେ ବ୍ରାଉନ୍‌ସୁଗର ମାଫିଆଙ୍କୁ ଗିରଫ କରୁଛି । ହେଲେ କାରବାରର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରୁନି । ବିଭିନ୍ନ ସମୟରେ ବରିଷ୍ଠ ପୁଲିସ୍‌ ଅଫିସର କହୁଛନ୍ତି, ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବ୍ରାଉନ୍‌ସୁଗର (ଧଳା ଜହର) ଓଡ଼ିଶା ଆସୁଛି । ଏକଥା ଜାଣିବା ସତ୍ତେ୍ୱ କାହିଁକି ପୁଲିସ୍‌ ଧରି ପାରୁନି ବୋଲି ପ୍ରଶ୍ନ ଉଠିଛି । ମାଫିଆମାନେ କେତେବେଳେ ମାଛ ପେଟରେ ତ’ ପୁଣି କେବେ କଦଳୀ ଭିତରେ ପୂରାଇ ବ୍ରାଉନସୁଗର ଆଣୁଛନ୍ତି । ପୁଲିସ୍‌ ଛୋଟ ବେପାରୀଙ୍କୁ ଧରୁଛି । ହେଲେ ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚି ପାରୁନି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସ ଜାଲରେ ଫସାଇ ପରିବାରର ୫ ଭଉଣୀଙ୍କୁ କଲା ଦୁଷ୍କର୍ମ, ଗିରଫ ହେଲା ଭଣ୍ଡ ବାବା

ରେଲୱେ ଷ୍ଟେସନ୍ ପ୍ଲାଟଫର୍ମରୁ ଗଞ୍ଜେଇ ଜବତ : ଦୁଇ ଗିରଫ

ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ