ଡ୍ରଗ୍ସ ଜାଲରେ କ୍ରିକେଟରଙ୍କ ପତ୍ନୀ!

ମୁମ୍ବାଇ,: ଡ୍ରଗ୍ସ ମାମଲାକୁ ନେଇ ଏନସିବି (ନାର୍କୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ)ର ତଦନ୍ତ ଘେରରେ ଏବେ ବଲିଉଡର ନାମୀଦାମୀ ଅଭିନେତା/ଅଭିନେତ୍ରୀ ଫସିଥିବା ବେଳେ ଆଗକୁ କ୍ରିକେଟ ଜଗତର ବଡବଡ ହସ୍ତୀ ପଡ଼ିବା ଜଳଜଳ ହୋଇ ଦେଖାଗଲାଣି । ଆଜି ଅଭିନେତ୍ରୀ ଶେର୍ଲିନ ଚୋପ୍ରା ଏକ ବଡ଼ ଖୁଲାସା କରି ଏନସିବି ତଦନ୍ତ ଘେରକୁ କ୍ରିକେଟ ଜଗତକୁ ଟାଣିବା ପାଇଁ ବାଟ ଖୋଲି ଦେଇଛନ୍ତି ।


ଗଣମାଧ୍ୟମକୁ ଶେର୍ଲିନ କହିଛନ୍ତି ଏକଦା ସେ କୋଲକାତାକୁ ଯାଇଥିଲେ ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ ରାଇଡର୍ସର ମ୍ୟାଚ ଦେଖିବାକୁ । ମ୍ୟାଚ ପରେ ପାର୍ଟିକୁ ସେ ନିମନ୍ତ୍ରିତ ହୋଇଥିଲେ । ପାର୍ଟିରେ ବି ସେ ଖୁବ ଖାଇଥିଲେ, ନାଚିଥିଲେ । କିଛି ସମୟ ପରେ କ୍ଲାନ୍ତ ହୋଇଯିବାରୁ ସେ ଶୌଚାଳୟ ଚାଲି ଯାଇଥିଲେ । କିନ୍ତୁ ସେଠାରେ ଯାହା ଦେଖିଥିଲେ ତାଙ୍କ ଆଖି ଖୋସି ହୋଇଯାଇଥିଲା । ନାମୀଦାମୀ କ୍ରିକେଟରଙ୍କ ପତ୍ନୀମାନେ ସେଠାରେ ଆରାମରେ କୋକେନ୍‌ ନେଉଥିଲେ । ଶେର୍ଲିନଙ୍କୁ ଦେଖି ସେମାନେ କେବଳ ହସିଥିଲେ । ସମ୍ଭବତଃ ଭୁଲ୍‌ ସ୍ଥାନକୁ ଚାଲି ଆସିଛନ୍ତି ଭାବି ଶେର୍ଲିନ ମଧ୍ୟ ସ୍ମିତହାସ୍ୟ ଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ସେଠାରେ ରାତି ସାରା ଗୋଟିଏ ପରେ ଗୋଟିଏ ଡ୍ରଗ ପାର୍ଟି ଚାଲିଥିଲା ବୋଲି ଶେର୍ଲିନ କହିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସେ କୌଣସି କ୍ରିକେଟର କିମ୍ବା ପତ୍ନୀଙ୍କ ନାମ ନେଇ ନଥିଲେ ମଧ୍ୟ ଏନସିବି ତାଙ୍କୁ ଡାକିଲେ ସେ ବିସ୍ତୃତ ଭାବେ ସବୁ ବଖାଣିବେ ବୋଲି କହିଛନ୍ତି ।


ଏନସିବିର ଡ୍ରଗ୍ସ ମାମଲାର ତଦନ୍ତକୁ ମଧ୍ୟ ଶେର୍ଲିନ ଖୁବ୍‌ ପ୍ରଶଂସା କରିଛନ୍ତି । କହିଛନ୍ତି ଏନ୍‌ସିବି ଭଲ କାମ କରୁଛି । ଏତେ ବର୍ଷ ହେଲା ଆମେ ଯେଉଁମାନଙ୍କୁ ସୁପାରଷ୍ଟାର ମାନିଆସୁଛି, ନିଜର ଆଦର୍ଶ ବୋଲି ଗ୍ରହଣ କରିଛୁ ଏପରିକି ଦେବୀ କିମ୍ବା ଦେବତା ବୋଲି ଭାବୁ ଏବେ ସେମାନଙ୍କର ଅସଲ ପରିଚୟ ଏବେ ସାମ୍‌ନାକୁ ଆସିଛି । ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏମାନେ ମାଲ୍‌ (ଡ୍ରଗ୍ସ) ନିଅନ୍ତି । କିନ୍ତୁ ଦିନକୁ କେତେଥର ନିଅନ୍ତି, କେଉଁଠୁ ଆଣନ୍ତି, କିଏ ଦିଅନ୍ତି ସବୁ କଥା ଏବେ ସେମାନେ ଏନ୍‌ସିବିରେ ହାଜର ହେବା ପରେ ଗୋଟି ଗୋଟି କରି କହିବେ ।

ଅପରପକ୍ଷରେ ୧୬ ଜଣଙ୍କୁ ଗିରଫ କରିସାରିବା ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ଏନ୍‌ସିବି । ଏହି ଲିଙ୍କ୍‌ରେ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର,
ରକୁଲପ୍ରୀତ୍‌ ସିଂହ, ସାରା ଅଲି ଖାନ୍‌ ଓ ଫ୍ୟାଶନ ଡିଜାଇନର ସିମୋନ୍‌ ଖମ୍ବାଟ୍ଟାଙ୍କ ନାମ ସାମ୍‌ନାକୁ ଆସିବା ପରେ ସେମାନଙ୍କୁ ହାଜର ହେବା ଲାଗି ଏନ୍‌ସିବି ସମନ୍‌ ଜାରି କରିଛି । ଏହି ସମନ ଆଧାରରେ ଆଜି ସିମୋନ୍‌ ହାଜର ହୋଇଛନ୍ତି । ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଏନ୍‌ସିବି ଟିମ୍‌ ପଚରାଉଚୁରା କରିଥିବା ଜଣାପଡ଼ିଛି ।


ତେବେ ରକୁଲପ୍ରୀତଙ୍କୁ ଆଜି ହାଜର ହେବା ଲାଗି କୁହାଯାଇଥିଲେ ମଧ୍ୟ ସେ ଆସିନାହାନ୍ତି । ସେ ଏନ୍‌ସିବି ପକ୍ଷରୁ କୌଣସି ସମନ୍‌ ପାଇ ନଥିବା ସୂଚନା ଦେଇଥିଲେ । ସେ କହିଥିଲେ ମୁମ୍ବାଇ କିମ୍ବା ହାଇଦ୍ରାବାଦରେ ଥିବା ତାଙ୍କ ଘରକୁ ସେଭଳି କୌଣସି ସମନ୍‌ ଆସିନାହିଁ । ମାତ୍ର ତାଙ୍କର ଏଭଳି ବୟାନକୁ ଏନ୍‌ସିବି ଖଣ୍ଡନ କରିଛି । ଏନ୍‌ସିବି ମୁମ୍ବାଇ ବ୍ରାଞ୍ଚର ବରିଷ୍ଠ ଅଧିକାରୀ କେପିଏସ୍‌ ମାଲହୋତ୍ରା କହିଛନ୍ତି ରକୁଲପ୍ରୀତଙ୍କୁ ଜେରା କରିବା ଲାଗି ସମନ୍‌ ଜାରି କରାଯାଇଛି । କିନ୍ତୁ ସେ ଘରେ ନଥିବାରୁ ସମନ୍‌ ପାଇନାହାନ୍ତି । ହ୍ୱାଟସ୍‌ ଆପ୍‌ରେ ସମନ ପଠାଯାଇଛି । ଫୋନ୍‌ ଯୋଗେ ତାଙ୍କୁ ମଧ୍ୟ ଜଣାଇବାକୁ ପ୍ରୟାସ କରାଯାଇଥିଲା । ମାତ୍ର ସମ୍ଭବ ହୋଇପାରିନାହିଁ । କିନ୍ତୁ ସେ ତଦନ୍ତକୁ ବାଟବଣା ଲାଗି ପ୍ରୟାସ କରୁଛନ୍ତି । ତା’ଛଡ଼ା ସମୟ ଗଡ଼ାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ଯଦି ସେ ତଦନ୍ତରେ ସହଯୋଗ ନ କରିବେ ତାଙ୍କ ନାମରେ ଜାମିନ ବିହୀନ ଗରିଫ ପରୱାନା ଜାରି କରାଯିବ ।


ମାଲହୋତ୍ରାଙ୍କ ବୟାନ ପରେ ରକୁଲପ୍ରୀତ୍‌ଙ୍କ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୁହାଯାଇଛି କି ସମନ୍‌ ମିଳିଛି ଏବଂ ଶୁକ୍ରବାର ସେ ଏନ୍‌ସିବିରେ ହାଜର ହେବେ ଓ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ । ଇତିମଧ୍ୟରେ ଏନ୍‌ସିବିର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ମୁମ୍ବାଇରେ ଥିବା ରକୁଲପ୍ରୀତଙ୍କ ବାସଭବନରେ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ସହିତ ତାଙ୍କ ଘରେ ସମନ୍‌ ମଧ୍ୟ ପହଞ୍ଚାଇ ଦିଆଯାଇଛି । ସେଥିରେ ତାଙ୍କୁ ଏନ୍‌ସିବିରେ ହାଜର ହେବାକୁ କୁହାଯାଇଛି । ଏଥିସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆଜି ଏନ୍‌ସିବି ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି ।


୨୦୧୭ ଅକ୍ଟୋବରରେ ଦୀପିକା ଓ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ଡ୍ରଗ୍ସ କାରବାର ସୂଚନା ମିଳିଥିଲା । ସେହି ଆଧାରରେ ଏନ୍‌ସିବି ଦୀପିକା ଓ କରିସ୍ମାଙ୍କୁ ସମନ୍‌ ଜାରି କରିଛି । ଶୁକ୍ରବାର ସେମାନଙ୍କୁ ହାଜର ହେବାକୁ କୁହାଯାଇଛି । ଦୀପିକା ଫିଲ୍ମ ସୁଟିଂ ପାଇଁ ଗୋଆ ଯାଇଥିଲା ବେଳେ ତାଙ୍କ ଘରେ ସମନ୍‌ ପହଞ୍ଚାଇ ଦିଆଯାଇଛି । ସୂଚନା ଅନୁସାରେ ଆଜି ଦୀପିକା ଗୋଆରୁ ମୁମ୍ବାଇ ଫେରିଥିବା ଜଣାପଡିଛି । ତେବେ ଏନ୍‌ସିବିରେ ହାଜର ହେବାକୁ ସେ ଗୋଟିଏ ଦିନ ସମୟ ମାଗିଛନ୍ତି । ଆସନ୍ତା ଶନିବାର ହାଜର ହେବେ ବୋଲି କହିଛନ୍ତି । ଏଥିସହ ସାରା ଅଲି ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଶନିବାର ହାଜର ହେବାକୁ ଏନ୍‌ସିବି ପକ୍ଷରୁ ସମନ୍‌ ଜାରି କରାଯାଇଛି । ଏନ୍‌ସିବି ଟିମ୍‌ ସେମାନଙ୍କ ଘରକୁ ଯାଇ ସମନ୍‌ ଧରାଇଛନ୍ତି । ଗୋଆ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସାରା ଆଜି ନିଜ ମା’ଙ୍କ ସହ ମୁମ୍ବାଇ ଫେରିଛନ୍ତି ।

ସେପଟେ ୫ ଜଣ ଟେଲି କଳାକାରଙ୍କ ନାମ ମଧ୍ୟ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାମ୍‌ନାକୁ ଆସିବା ପରେ ସେମାନଙ୍କୁ ଜେରା କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଆବିଗେଲ ପାଣ୍ଡେ ଓ ତାଙ୍କ ସ୍ୱାମୀ ସନମ ଜୋହର । ଉଭୟଙ୍କୁ ଗତକାଲି ଏନ୍‌ସିବି ପକ୍ଷରୁ ଜେରା କରାଯାଇଛି । ଆଜି ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କ ସହ ଆବିଗେଲ ଓ ସମନଙ୍କୁ ଏକାଠି ବସାଇ ଜେରା କରାଯାଇଛି । ପୂର୍ବରୁ ଗିରଫ ଡ୍ରଗ୍ସ ମାଫିଆ ଅନୁଜ କେଶୱାନିଙ୍କ ସହ ସେମାନଙ୍କର ସମ୍ପର୍କ ଥିବା ସୂଚନା ମିଳିଥିଲା । ଏଥିସହ ଜୁହୁସ୍ଥିତ ସେମାନଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଡ୍ରଗ୍ସ ଓ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ଆଜି ଏନ୍‌ସିବିର ଏକ ଟିମ୍‌ ତଲେଜା ଜେଲ୍‌କୁ ଯାଇଥିଲେ ।

ସେଠାରେ ରହୁଥିବା ଶୌଭିକ ଚକ୍ରବର୍ତ୍ତୀ ଓ ଦୀପେଶ ସାୱନ୍ତଙ୍କୁ ପଚରାଉଚୁରା କରିଛି । କୁହାଯାଉଛି କି ଆଉ ଜଣେ ବଡ ଅଭିନେତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ତାଙ୍କ ସମ୍ପର୍କରେ ଜାଣିବା ଲାଗି ଉଭୟଙ୍କୁ ଜେରା କରିବାକୁ ଏନ୍‌ସିବି ଟିମ୍‌ ଜେଲ୍‌କୁ ଯାଇଥିଲା ।
ସେହିଭଳି ଏନ୍‌ସିବି ପକ୍ଷରୁ ଆଜି ବିଶିଷ୍ଟ ଫିଲ୍ମ ନିର୍ମାତା କରନ ଜୋହରଙ୍କ କମ୍ପାନି ଧର୍ମା ପ୍ରଡକ୍ସନର ନିର୍ଦ୍ଦେଶକ କ୍ଷୀତିଜ ପ୍ରସାଦଙ୍କୁ ସମନ୍‌ ଜାରି କରାଯାଇଛି । ଶୁକ୍ରବାର ଦିନ ୧୧ଟାରେ ତାଙ୍କୁ ଏନ୍‌ସିବିରେ ହାଜର ହେବାକୁ କୁହାଯାଇଛି । ସେପଟେ ଡ୍ରଗ୍ସ ମାମଲାରେ ଗିରଫ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ଥିଲା ବେଳେ ତାହା ଆସନ୍ତା ୨୯ ତାରିଖକୁ ଘୁଞ୍ଚିଯାଇଛି । ହାଇକୋର୍ଟ ଏହି ମାମଲାରେ ଏନ୍‌ସିବିକୁ ନୋଟିସ୍‌ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଗତ ୧୧ ତାରିଖରେ ରିୟାଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଥିଲେ ।

   ସମ୍ବନ୍ଧିତ ଖବର


ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପ୍ଲେ-ଅଫ୍‌ ଦୌଡ଼ରେ ରହିବା ପାଇଁ RRର ‘କର ବା ମର’ ସ୍ଥିତି