ରାତି ଅଧରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାରୀନେତ୍ରୀଙ୍କୁ ଟଣାଓଟରା କରିବା ସହ ୩ ପିସିଆର କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ

ଭୁବନେଶ୍ୱର ୧୪/୧ : ଅସାମାଜିକ ଯୁବକଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ି ଚାଲିଛି । ରାଜଧାନୀ ଉପକଣ୍ଠ ଦୟା ବ୍ରିଜ୍‌ ଉପରେ ଦୁଇ ଯୁବକ ଗତକାଲି ବିଳମ୍ବିତ ରାତିରେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି । ଭୁବନେଶ୍ୱର ବ୍ଲକ ମିଶନ ଶକ୍ତି ମହାସଂଘର ନାରୀନେତ୍ରୀଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଛନ୍ତି । ନାରୀନେତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିବା ପିସିଆର କର୍ମଚାରୀଙ୍କୁ ମଧ୍ୟ ଛାଡି ନାହାନ୍ତି । ୩-୪ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣା ସମ୍ପର୍କରେ ନାରୀନେତ୍ରୀଙ୍କ ଅଭିଯୋଗ ପରେ ଧଉଳି ଥାନା ପୁଲିସ ୫/୨୦ରେ ଏକ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ପୁରୀ ନିମାପଡ଼ାର ସୁକଦେବ ମହାପାତ୍ର ଓ ସାମନ୍ତରାପୁରର ଅମୂଲ୍ୟ ନାୟକ । ପୁଲିସ ସେମାନଙ୍କ ବିରୋଧରେ ଆଇପିସି ଦଫା ୨୯୪, ୩୨୩, ୩୪୧, ୩୫୪, ୫୦୬ ଓ ୩୪ ଲଗାଇଛି ।

ସୂଚନା ମୁତାବକ, ମହାସଂଘର କର୍ମୀମାନେ ଏକ ପିକ୍‌ନିକ୍‌ରୁ ଫେରିବାରେ ବିଳମ୍ବ ହୋଇଥିଲା । ପିକ୍‌ନିକ୍‌ ବସ୍‌ଟି ନାରୀନେତ୍ରୀଙ୍କୁ ଦୟା ବ୍ରିଜ୍‌ ନିକଟରେ ଛାଡ଼ି ପଳାଇଥିଲା । ସେଠାରେ ନାରୀନେତ୍ରୀ ଜଣକ ତାଙ୍କ ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ। ଦୁଇ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଆସି ସେଠାରେ ପହଞ୍ଚିଥିଲେ। ସିଗାରେଟ୍‌ ଜଳାଇବା ପାଇଁ ନାରୀନେତ୍ରୀଙ୍କୁ ଦିଆସିଲି ମାଗିଥିଲେ । ଅଭିଯୁକ୍ତଦ୍ୱୟ ନାରୀନେତ୍ରୀଙ୍କୁ ଟଣାଓଟରା କରିବା ସହ ତାଙ୍କଠାରୁ ସୁନା ଚେନ୍‌ ଓ ମୋବାଇଲ୍‌ ଛଡାଇ ନେବାକୁ ଉଦ୍ୟମ କରିଥିଲେ ।

ନାରୀନେତ୍ରୀ ଜଣକ ସାହସ ଦେଖାଇ ସେମାନଙ୍କୁ ଧକ୍କା ମାରି ମୋବାଇଲ୍‌ ଛଡାଇ ପୁଲିସକୁ ଫୋନ୍‌ କରିଥିଲେ । ଏକ ପିସିଆର ଭ୍ୟାନ୍‌ ପହଞ୍ଚିବା ଦେଖି ଯୁବକ ଦ୍ୱୟ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପିସିଆର କର୍ମଚାରୀ ପିଛା କରିବାରୁ ଉଭୟ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଉଭୟଙ୍କ ସଂଘବଦ୍ଧ ଆକ୍ରମଣରେ ପୁଲିସ ଡରି ଯାଇଥିଲା । ଶେଷରେ ଧଉଳି ଥାନାରୁ ଅନ୍ୟ ଏକ ଭ୍ୟାନ୍‌ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା ।

   ସମ୍ବନ୍ଧିତ ଖବର


୩୦ ଲକ୍ଷର ବ୍ରାଉନ୍‌ସୁଗର ଜବତ, ୨ ମାଫିଆ ଗିରଫ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା

ଯାଜପୁରରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା, ଚନ୍ଦକା ଆସିବ

ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା: ବନ୍ଦ ପାଇଁ ରାଜଧାନୀରେ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ