ସିଏଏକୁ ନେଇ ରାଉରକେଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଟେକା ପଥର ମାଡ଼, ପୁଲିସ୍‌ର ମୃଦୁ ଲାଠି ଚାଳନା

ସୁନ୍ଦରଗଡ଼ ୧୫/୧: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍‌ଆରସିକୁ ନେଇ ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ । ପରିସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଥିବା ଦେଖି ପୁଲିସ୍‌ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି ।

ଗତକାଲି ସୁନ୍ଦରଗଡ଼ରେ କଂଗ୍ରେସ ଦଳ ପକ୍ଷରୁ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡ଼କୁ ଆସୁଥିଲା । ଏହି ସମୟରେ କିଛି ଯୁବକ ଶୋଭାଯାତ୍ରାରେ ଯାଉଥିବା ଜଣେ ଯୁବକଙ୍କୁ ଟାଣି ନେଇ ମାଡ଼ ମାରିଥିଲେ । ଫଳରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଉପସ୍ଥିତ ଥିବା ପୁଲିସ ଓ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ଯୋଗୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ହେଲେ ରାତି ୧୦ଟାରେ ପୁଣି ଥରେ ଦୁଇ ଗୋଷ୍ଠୀ ମଧ୍ୟରେ ରିଜେଣ୍ଟ ମାର୍କେଟ ଛକରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଖବର ପାଇ ଏସ୍‌ପି ସୌମ୍ୟା ମିଶ୍ର ଓ ଅନ୍ୟ ପୁଲିସ୍‌ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଫଳରେ ଉଭୟ ଗୋଷ୍ଠୀର ଲୋକେ ସେଠାରୁ ପଳାଇ ଯାଇଥିଲେ । ରାତିରେ ଯେପରି କୌଣସି ଅଘଟଣ ନଘଟେ ସେଥି ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା ।

ମଙ୍ଗଳବାର ଦିନ ୧୨ଟାରେ ରିଜେଣ୍ଟ ମାର୍କେଟକୁ ଲାଗି ରହିଥିବା ମସଜିଦପଡ଼ା ଓ ଘାସିପଡ଼ା ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ଶେଷରେ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ । ଉତ୍ତେଜନା ଯେପରି ଆଗକୁ ନ ବଢ଼ିବ ସେଥିପାଇଁ ପୁଲିସ୍‌ ପକ୍ଷରୁ ଭିଡ଼କୁ ହଟାଇବା ଲାଗି ମୃଦୁ ଲାଠି ଚାଳନା କରାଯାଇଥିଲା । ଏସ୍‌ପି ପହଞ୍ଚି ପୁଲିସ୍‌ ଅଧିକାରୀଙ୍କ ସହ ଘାସିପଡ଼ା ଓ ମସଜିଦପଡ଼ା ଅଞ୍ଚଳ ବୁଲିବା ସହ ଲୋକଙ୍କୁ ଶାନ୍ତିରେ ରହିବା ଲାଗି ଅନୁରୋଧ କରିଥିଲେ ।

ଏହି ଅବସରରେ ଏସ୍‌ପି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ, ଏହି ଘଟଣା ସହ କଂଗ୍ରେସ ଶୋଭାଯାତ୍ରାରେ ହୋଇଥିବା ଗଣ୍ଡଗୋଳର କୌଣସି ସମ୍ପର୍କ ନାହିଁ । ଏହା ମୁଢ଼ି କିଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି ବୋଲି ଜଣାଇଥିଲେ । ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦେଖା ଦେଇଥିବା ଉତ୍ତେଜନାକୁ ନେଇ ଏସ୍‌ପିଙ୍କ ନେତୃତ୍ୱରେ ସଂଧ୍ୟାରେ ଏକ ଶାନ୍ତି କମିଟି ବୈଠକ ରିରେଣ୍ଟ ମାର୍କେଟ୍‌ ଅଞ୍ଚଳରେ ବସିଥିଲା । ବୈଠକରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବରିଷ୍ଠ ନାଗରିକ ଓ ସବୁ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ଲାଗି ଏସ୍‌ପି ନିବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


ବାର୍‌ହା ଫାଶରେ ପଡି ଦୁଇ ଶିକାରୀ ମୃତ

୩୦ ଲକ୍ଷର ବ୍ରାଉନ୍‌ସୁଗର ଜବତ, ୨ ମାଫିଆ ଗିରଫ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା

ଯାଜପୁରରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା, ଚନ୍ଦକା ଆସିବ