ଯୁଦ୍ଧ ଭୟରେ ଜାତିସଂଘକୁ ପାକିସ୍ତାନର ଚିଠି, ଭାରତ ଯୁଦ୍ଧ ପାଇଁ ଉସୁକାଉଛି

ଇସଲାମାବାଦ,୨୪।୨: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଜାତିସଂଘର ସୁରକ୍ଷା ପରିଷଦକୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ଭାରତ ଉପରେ କ୍ଷେତ୍ରୀୟ ସୁରକ୍ଷାକୁ ବିପଦରେ ପକାଇବାର ଅଭିଯୋଗ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ(ଏଫ୍ଓ) ଶୁକ୍ରବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଏଭଳି ସମୟରେ ଉଠାଗଲା ଯେତେବେଳେ ଗୋଟେ ଦିନ ପୂର୍ବରୁ ଜାତିସଂଘରେ ସୁରକ୍ଷା ପରିଷଦ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ(ଜେଇଏମ୍)ର ନାମ ନେଇ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ସଂଗଠନ ଦ୍ବାରା କରାଯାଇଥିବା ଜଘନ୍ୟ ଆକ୍ରମଣକୁ କଡା ନିନ୍ଦା କରିଥିଲା। ଏହି ପ୍ରସଙ୍ଗରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ କୌଣସି ପ୍ରମାଣ ନଥାଇ ପୁଲଓ୍ବାମା ଆକ୍ରମଣ ପାଇଁ ପାକିସ୍ତାନ ଉପରେ ଅଭିଯୋଗ କରୁଛି।

ଏଠାରେ ଉଲ୍ଳେଖନୀୟ ଯେ ଜୈଶ-ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ସିଆରପିଏଫ୍ ଯବାନଙ୍କ କନଭୟର ଏକ ଗାଡି ଉଡାଇ ଦେଇଥିଲେ। ଏହି ଆକ୍ରମଣରେ ୪୦ ଯବାନ ଶହୀଦ ହୋଇଥିଲେ। ଆକ୍ରମଣ ପରେ ଦେଶରେ ପାକିସ୍ତାନ ବିରୋଧରେ ଆକ୍ରୋଶର ପରିବେଶ ଦେଖିବାକୁ ମିଳିଛି।