ନକଲି ମେଡିକାଲ୍ ସାର୍ଟିଫିକେଟ୍ ଦେବା ଅଭିଯୋଗରେ ଜଣେ ଅଟକ

ପାରାଦୀପ,୨୩/୦୧: ଆଇଓସିଏଲ୍ରେ କାର୍ଯ୍ୟରତ ଏକ କମ୍ପାନିର ଅଭୟଚାନ୍ଦପୁର ଥାନା ପାଖକୁ ଲାଗି ଥିବା କମ୍ପାନି ସେଡ୍ରେ ନକଲି ମେଡିକାଲ୍ ସାର୍ଟିଫିକେଟ୍ ଯୋଗାଉଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଅଭୟଚାନ୍ଦପୁର ପୁଲିସ । କମ୍ପାନି କଲୋନି ମଧ୍ୟରେ ଏକ ମୋବାଇଲ୍ ଦୋକାନ କରିଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ହେବ କମ୍ପାନିରେ ଯୋଗ ଦେବାକୁ ଆସୁଥିବା ଲୋକଙ୍କୁ ନିଜେ କମ୍ପ୍ୟୁଟରରେ ନକଲି ମେଡିକାଲ ସାର୍ଟିଫିକେଟ୍ କରି ଯୋଗାଉଥିବା ଅଭିଯୋଗ ଉଠିଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବିକ, କୌଣସି ସୂତ୍ରରୁ ଖବର ପାଇ ଅଭୟଚାନ୍ଦପୁର ପୋଲିସ କଲୋନୀ ଭିତରେ ଥିବା ଦୋକାନ ଉପରେ ଚଢାଉ କରି କାଳନ୍ଦୀକୁ ଗିରଫ କରିବା ସହିତ ନକଲି ସାର୍ଟିଫିକେଟ୍ ତିଆରି କରିବା ପାଇଁ ବ୍ୟବହାର କରୁଥିବା ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି । ତେବେ ସବୁଠାରୁ ବଡକଥା ହେଉଛି ଏଲଆଣ୍ଡଟି କମ୍ପାନୀର କଲୋନୀ ପରିସରରେ ଏଭଳି କାର୍ଯ୍ୟ ହୋଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣି ପାରିନଥିବା ସାଧାରଣରେ ପ୍ରଶ୍ନବାଚୀ ସୄଷ୍ଟି କରିଛି ।