ନକଲି ସାମ୍ବାଦିକଙ୍କ ଅଶ୍ଲୀଳ କାରନାମା: ବନ୍ଦ ଘରେ ମାଆ, ଝିଅଙ୍କୁ ନିର୍ଯାତନା,ଫଟୋ ଉଠାଇ କରୁଥିଲେ ବ୍ଲାକ୍‌ମେଲ୍‌

ରାଉରକେଲା ୨୧/୧୧: ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିଲେ। ରକ୍ଷକ ସାଜି ଜଣେ ୭୦ ବର୍ଷର ବୃଦ୍ଧା ଓ ତାଙ୍କ ଝିଅଙ୍କୁ ଗୋଟିଏ ଘରେ ରଖିଥିଲେ। ହେଲେ ହାତ ଗଣତି କିଛି ଦିନ ପରେ ରକ୍ଷକ ଭକ୍ଷକ ସାଜି ବୃଦ୍ଧା ଓ ତାଙ୍କ ଝିଅଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ। ଦୀର୍ଘ ୪୦ ଦିନ ଧରି ଗୋଟିଏ ଘରେ ବନ୍ଦୀ ରଖି ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। କଥା କଥାରେ ମାଡ଼ପିଟ୍‌ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏପରିକି ବୃଦ୍ଧାଙ୍କ ଅଶ୍ଲୀଳ ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ।

ମାତ୍ର ଗତକାଲି ସକାଳେ ଉଦିତନଗର ଥାନା ପୁଲିସ୍‌ ବାସନ୍ତୀ କଲୋନୀର ଏକ ଘରୁ ମାଆ ଓ ଝିଅଙ୍କୁ ଉଦ୍ଧାର କରିବା ସହ ନିଜକୁ ସାମ୍ବାଦିକ ପରିଚୟ ଦେଉଥିବା ଅଶୋକ ମହାନ୍ତିଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ଉଦିତନଗର ଥାନାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୧ ତାରିଖ ସେ ଲାଠିକଟା ପଞ୍ଚାୟତ କାର୍ଯ୍ୟାଳୟକୁ ରେସନ କାର୍ଡ କରିବାକୁ ଯାଇଥିଲେ । ମାତ୍ର ସେଠାରେ କୌଣସି କାରଣରୁ ତାଙ୍କର କାର୍ଡ ହୋଇପାରି ନଥିଲା । ଉକ୍ତ କାର୍ଯ୍ୟାଳୟରେ ପଇଁତରା ମାରୁଥିବା ଅଶୋକ ପୀଡ଼ିତା ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ତାଙ୍କ ଘରକୁ ଯାଇଥିଲେ । ପୀଡ଼ିତାଙ୍କ ସ୍ୱାମୀଙ୍କ ସହ ଭେଟ ହେବା ସହ ସୁବିଧା ଅସୁବିଧା ଫୋନ୍‌ କରିବାକୁ କହି ନିଜର ମୋବାଇଲ୍‌ ନମ୍ବର ଦେଇଥିଲେ । କିଛି ଦିନ ମଧ୍ୟରେ ଅଶୋକ ପୀଡ଼ିତାଙ୍କ ପରିବାର ସହ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏପରିକି ଅକ୍ଟୋବର ୧୦ ତାରିଖ ପୀଡ଼ିତାଙ୍କ ଝିଅର ଜନ୍ମ ଦିନ ଅବସରରେ ଅଶୋକ ତାଙ୍କ ଘରକୁ ଯାଇଥିଲେ । ଇତି ମଧ୍ୟରେ ପୀଡ଼ିତାଙ୍କ ମାଆ ଓ ବାପାଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ପୁରୀ ଯିବାକୁ ବାହାନା କରି ପୀଡ଼ିତାଙ୍କ ମାଆ ଘରୁ ବାହାରି ଆସିଥିଲେ । ମାଆ ଝିଅ ସହ କଥା ହୋଇ ରାଉରକେଲା ଚାଲି ଆସିଥିଲେ । ଅଶୋକ ନିଜେ ଷ୍ଟେସନ ଯାଇ ପୀଡ଼ିତାଙ୍କ ମାଆଙ୍କୁ ବାସନ୍ତୀ କଲୋନୀ ସ୍ଥିତ ନିଜ ଘରକୁ ଆଣିଥିଲେ । ଏହାର କିଛି ଦିନ ପରେ ଅର୍ଥାତ ଅକ୍ଟୋବର ୧୩ ତାରିଖ ପୀଡ଼ିତାଙ୍କୁ ଅଶୋକ ନିଜ ଘରକୁ ନେଇ ଆସିଥିଲେ । ପୀଡ଼ିତାଙ୍କ ସ୍ୱାମୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଅକ୍ଟୋବର ୨୪ ତାରିଖ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅନ୍ୟପଟେ ବୃଦ୍ଧା ଜଣକ ପୁରୀରୁ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଅକ୍ଟୋବର ୨୫ ତାରିଖ ଭୁବନେଶ୍ୱର ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଶୋକ ମାଆ ଝିଅଙ୍କୁ ନିଜ ଘରେ ବନ୍ଦୀ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ କେହି କିଛି ସୁରାକ୍‌ ପାଇ ନଥିଲେ । ନିର୍ଯାତନା ଅସହ୍ୟ ହେବାରୁ ବୃଦ୍ଧା ଓ ତାଙ୍କ ଝିଅ କୌଣସି ପ୍ରକାରରେ ଭୁବନେଶ୍ୱରରେ ରହୁଥିବା ସାନଝିଅଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ କହିଥିଲେ। ବୃଦ୍ଧାଙ୍କ ସାନଝିଅ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ସେ ଅଶୋକଙ୍କ ଉପରେ ସନ୍ଦେହ କରି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ଗତକାଲି ସକାଳେ ଅଶୋକଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଉଦ୍ଧାର କରିଥିଲା । ପୀଡ଼ିତାଙ୍କ ଲିଖିତ ଅଭିଯୋଗ କ୍ରମେ ଉଦିତନଗର ଥାନା ପୁଲିସ୍‌ ମାମଲା ରୁଜୁ କରି ଆଜି ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପୁଲିସ୍‌ ପୀଡ଼ିତା ଓ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

   ସମ୍ବନ୍ଧିତ ଖବର


ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରେ ୪ଦୁଷ୍କର୍ମକାରୀ ନିହତ ହେବା ପରେ ‘ନିର୍ଭୟା’ଙ୍କ ମା’ କହିଲେ- ଆତ୍ମା…

ରାମାଶିଷ ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସଭାପତି