ନିମ୍ନମାନର ଔଷଧ ନିର୍ମାତାଙ୍କୁ ସରକାରୀ ଛାଟ: ୧୭ କମ୍ପାନୀ ବିରୋଧରେ ମକଦ୍ଦମା

ଭୁବନେଶ୍ୱର,୭ ।୨(ବ୍ୟୁରୋ): ନିମ୍ନମାନର ଔଷଧ ଯୋଗାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୫ ଔଷଧ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି । ଏହାଛଡା ୧୬ କମ୍ପାନୀକୁ ସେହି ନିର୍ଦ୍ଦିଷ୍ଟ ନିମ୍ନମାନର ଔଷଧ ଅନୁଯାୟୀ କଳା ତାଲିକାଭୁକ୍ତ କରାଯାଇଛି । ଡ୍ରଗ୍‌ ଆଣ୍ଡ କସମେଟିକ୍‌ ଆଇନ୍‌ ଅନୁସାରେ ୧୭ ଗୋଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଆଉ ୯ ଔଷଧ ନିର୍ମାତାଙ୍କ ବିରୋଧରେ ମକଦ୍ଦମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକ ରବି ନାରାୟଣ ନାୟକଙ୍କ ନିମ୍ନମାନର ଔଷଧ ଯୋଗାଣ ହେଉଥିବା ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହା ଉଲ୍ଲେଖ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା ଉଲ୍ଲେଖ କରି କହିଛନ୍ତି, ରାଜ୍ୟ ଔଷଧ ନିଗମ ଦୋଷୀ ବା କଳା ତାଲିକାଭୁକ୍ତ ହୋଇଥିବା ଯୋଗାଣକାରୀଙ୍କୁ ନିର୍ଦ୍ଦିଷ୍ଟ ଔଷଧର ଟେଣ୍ଡର ପାଇଁ ଭାଗ ନେବାକୁ ଅନୁମତି ଦିଆଯାଉନି । ତେବେ ଔଷଧରୁ ଦୁଇ କିମ୍ବା ତତୋଧିକ ବ୍ୟାଚ୍‌ ନିମ୍ନ ମାନର ଘୋଷିତ ହେଲେ କମ୍ପାନୀକୁ କଳା ତାଲିକାଭୁକ୍ତ ହେବେ । କଳା ତାଲିକାଭୁକ୍ତ ହେଉଥିବା ଯୋଗାଣକାରୀ ଆଦେଶ ତାରିଖଠୁ ତିନିମାସ ପର୍ଯ୍ୟନ୍ତ କୌଣସି ଔଷଧର ଯୋଗାଣ କିମ୍ବା ଟେଣ୍ଡରରେ ଭାଗ ନେଇ ପାରିବେନି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ରୋଗୀଙ୍କୁ ଉନ୍ନତମାନର ଔଷଧ ଯୋଗାଣ ପାଇଁ ସରକାର ସବୁ ପଦକ୍ଷେପ ନେଇଛନ୍ତି । ଟେଣ୍ଡର ପ୍ରକ୍ରିୟାରେ ଔଷଧ କିଣା ହେଉଥିବା ବେଳେ ଏହାର ଗୁଣାବତ୍ତା ନିଶ୍ଚିତ କରିବାକୁ ମାନ ନିର୍ଦ୍ଧାରଣ ମଧ୍ୟ କରାଯାଉଛି । କ୍ୟୁସିବିଏସ ପଦ୍ଧତି ଅବଲମ୍ବନ କରି ଦେଶର ୧୨ଟି ଏନ୍‌ଏବିଏଲ୍‌ ଆପ୍ରୁଭାଲ ଲାବ୍ରୋଟାରୀକୁ ଚୟନ କରାଯାଇଛି । ଔଷଧର ସମସ୍ତ ବ୍ୟାଚ୍‌ ପରୀକ୍ଷା କରାଯାଇ ଗୁଣାତ୍ମକମାନ ପରୀକ୍ଷା କରାଯିବା ପରେ ଯାଇ ଏହାକୁ ରୋଗୀଙ୍କୁ ବିତରଣ କରାଯାଉଛି । ପଣ୍ୟଗାରରୁ ସଂଗୃହୀତ ଔଷଧର ନମୁନା ର‌୍ୟାଣ୍ଡମ ପଦ୍ଧତିରେ ବଛାଯାଉ ରାଜ୍ୟ ଔଷଧ ନିଗମ ଦ୍ୱାରା ଚିହ୍ନଟ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଯାଉଛି । ଯଦି କୌଣସି ନମୁନା ପ୍ରଥମେ ପଠାଯାଇଥିବା ପରୀକ୍ଷାଗାର ଦ୍ୱାରା ନିମ୍ନମାନର (ନଟ୍‌ ଅଫ୍‌ ଷ୍ଟାଣ୍ଡାଡ କ୍ୱାଲିଟି) ଘୋଷିତ ହେଲେ, ସେହି ଔଷଧର ଦୁଇଟି ନମୁନା ଦୁଇଟି ଭିନ୍ନ ପରୀକ୍ଷାଗାରକୁ ପଠାଯାଉଛି । ପରୀକ୍ଷାଗାର ରିପୋର୍ଟର ବହୁମତ ଆଧାରରେ ଔଷଧ ଠିକ୍‌ କିମ୍ବା ନିମ୍ନମାନର ବୋଲି ଘୋଷଣା କରାଯାଇଥାଏ ।
ନିମ୍ନମାନର ଔଷଧ ପ୍ରଦାନ କରୁଥିବା ଔଷଧ କମ୍ପାନୀଗୁଡିକ ବିରୋଧରେ ରାଜ୍ୟ ସରକାରଙ୍କ ଡ୍ରଗ୍‌ କଣ୍ଟ୍ରୋଲର ମଧ୍ୟ ଔଷଧ ଓ ପ୍ରସାଧନ ସାମଗ୍ରୀ ଅଧିନିୟମ ୧୯୪୦ର ଧାରା ୨୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଏହିକ୍ରମରେ ରାଜ୍ୟ ସରକାରଙ୍କ ଡ୍ରଗ୍‌ କଣ୍ଟ୍ରୋଲର ୧୦୬୮ଟି ନିମ୍ନମାନର ଔଷଧ ବିଭିନ୍ନ କମ୍ପାନୀ ବିତରଣ କରୁଥିବାର ଚିହ୍ନଟ କରିଛନ୍ତି । ସେହି ଔଷଧ ରିକଲ୍‌ ପାଇଁ ଜିଲ୍ଲା ଭେଷଜ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତତ୍‌ ସହିତ ସଂପୃକ୍ତ କମ୍ପାନୀ ଗୁଡ଼ିକ ବିରୋଧରେ ଡ୍ରଗ୍‌ ଆଣ୍ଡ କସମେଟିକ୍‌ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ଭେଷଜ ନିୟନ୍ତ୍ରକଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ସେଥିରୁ ୧୭ ଗୋଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି । ୯ ଔଷଧ ନିର୍ମାତାଙ୍କ ବିରୋଧରେ ମକଦ୍ଦମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଟିକାକରଣ ଯୋଜନାରେ, ପରିବାର କଲ୍ୟାଣ ଯୋଜନା, ଯକ୍ଷ୍ମା, କୁଷ୍ଠ ଓ ମ୍ୟାଲେରିଆ ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟିକା ଓ ଔଷଧର ମାନ ନିର୍ଦ୍ଧାରଣ କେନ୍ଦ୍ର ସରକାର କରିଥା’ନ୍ତି । ରାଜ୍ୟ ସରକାରଙ୍କ ଏଥିରେ କୌଣସି ଭୂମିକା ନାହିଁ ।
ମନ୍ତ୍ରୀ ଶ୍ରୀ ଜେନା ସରକାରୀ ହସ୍ପିଟାଲରେ ଶିଶୁ ଅଦଳବଦଳ କଥାକୁ ଖଣ୍ଡନ କରିବା ସହ ଏମିତି ଅଭିଯୋଗ ସରକାରଙ୍କ ପଖାରେ ପହଞ୍ଚିନଥିବା କହିଛନ୍ତି । ନବଜାତକ ଚିହ୍ନଟ ପାଇଁ ଚିହ୍ନଟିକରଣ ଟ୍ୟାଗ୍‌ ବନ୍ଧାଯାଉଛି । ନବଜାତକଙ୍କ ତୁରନ୍ତ ପଞ୍ଜିକରଣ ସହ ସ୍ୱତନ୍ତ୍ର ଆଇପିଡି ନମ୍ବର ସହ ଦୁଇ ପାଦଚିହ୍ନ ସଙ୍ଗେ ସଙ୍ଗେ ଡେଲିଭେରୀ କେସ୍‌ସିଟ୍‌ରେ ରଖାଯାଉଛି । ଏହି ପ୍ରକ୍ରିୟା ଅଭିଭାବକ, ସମ୍ପର୍କୀୟ ସାମ୍ନାରେ କରାଯାଇ ଦସ୍ତଖତ ନିଆଯାଉଛି ।

   ସମ୍ବନ୍ଧିତ ଖବର


ନାବାଳିକା ଗଣ ଦୁଷ୍କର୍ମ ମାମଲା : ଥାନାରେ ଓଟିଭି ଏଚ୍ଆର୍ ହେଡ୍ ହାଜର

ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍

ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ

ଓଡ଼ିଶାରେ ପୁଣି କରୋନା ନେଲା ୧୩ ଜୀବନ: ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି

ରାଜ୍ୟରେ ଆଉ ୪୧୮୦ ଜଣ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ପାର୍