ବର୍ଦ୍ଧିତ ଜରିମାନା ଆଦାୟ ପାଇଁ ପ୍ରସ୍ତୁତି ଜୋରଦାର: ଏଥର ଇ-ଚାଲାଣ ମେସିନ୍‌ରେ ଫାଇନ ଆଦାୟ

ଭୁବନେଶ୍ୱର ୨୭/୮ : ଆସନ୍ତା ସେପ୍ଟେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ନୂଆ ମୋଟର ଯାନ ଆଇନ (ସଂଶୋଧିତ)- ୨୦୧୯ । ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଆଉ ବରଦାସ୍ତ କରାଯିବନି । ପୂର୍ବାପେକ୍ଷା ୫ରୁ ୧୦ ଗୁଣ ଅଧିକ ଜରିମାନା ଗଣିବାକୁ ପଡ଼ିବ । ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏ ଦିଗରେ ଆଉ ପାଦେ ଆଗେଇବା ପାଇଁ ଖୁବଶୀଘ୍ର ରାଜ୍ୟର ସବୁ ଥାନାକୁ ଇ-ଚାଲାଣ ମେସିନ୍‌ ଯୋଗାଇ ଦିଆଯିବ ।

ନୂଆ ମୋଟରଯାନ ଆଇନ୍‌ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ଏବେ ଅଣ୍ଟା ଭିଡ଼ିଛି । ଏ ସଂକ୍ରାନ୍ତରେ ଲୋକସେବା ଭବନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ପରିବହନ ବିଭାଗର ପ୍ରମୁଖ ସଚିବ ଜି.ଶ୍ରୀନିବାସ କହିଛନ୍ତି, ଦିନେ ଦୁଇଦିନ ଭିତରେ କେନ୍ଦ୍ର ସରକାର ଏହି ଆଇନ୍‌ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରିବା ସମ୍ଭାବନା ଅଛି । ବିଜ୍ଞପ୍ତି ଜାରି ହେବା ପରେ ଏହାକୁ ଲାଗୁ କରିବା ପାଇଁ ପୁଲିସକୁ କୁହାଯିବ । ପରିବହନ ବିଭାଗ ଭଳି ପୁଲିସ ମଧ୍ୟ ସଂଶୋଧିତ ଆଇନ୍‌ ଅନୁଯାୟୀ ଟ୍ରାଫିକ ଓ ପରିବହନ ନିୟମ ଭଙ୍ଗ କରୁଥିବା ଗାଡ଼ିମଟରଠାରୁ ଜରିମାନା ଆଦାୟ କରିବ ।

ଶ୍ରୀନିବାସଙ୍କ କହିବାନୁଯାୟୀ ପରିବହନ ବିଭାଗ ଭଳି ପୁଲିସ ବିଭାଗ ମଧ୍ୟ ଏଣିକି ସମ୍ପୂର୍ଣ୍ଣ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବେ । ଏ ଦିଗରେ ଅର୍ଥ ବିଭାଗ ଓ ଗୃହ ବିଭାଗ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ସବୁ ଥାନାକୁ ଇ-ଚାଲାଣ ମେସିନ୍‌ ଯୋଗାଇ ଦିଆଯିବ । ଆସନ୍ତା ୧୫ରୁ ୨୦ ଦିନ ଭିତରେ ଥାନାଗୁଡ଼ିକୁ ଇ-ଚାଲାଣ ମେସିନ୍‌ ଦିଆଯିବ ।ରାଜ୍ୟରେ ପ୍ରାୟ ୬୦୦ ଥାନା ରହିଛି । ବର୍ତ୍ତମାନ ସୁଦ୍ଧା କେବଳ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର, କଟକରେ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇପାରିଛି ।

ସୂଚନାଯୋଗ୍ୟ, ନୂଆ ମୋଟର ଯାନ ଆଇନରେ ଟ୍ରାଫିକ ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୫ରୁ ୧୦ ଗୁଣ ଅଧିକ ଜରିମାନା ଗଣିବାକୁ ହେବ । ସେପ୍ଟେମ୍ବର ପହିଲାରୁ ଡ୍ରାଇଭିଂ ଲାଇସେନ୍ସ ନଥିଲେ ୫୦୦ ଟଙ୍କା ବଦଳରେ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ । ନିଶାସକ୍ତ ହୋଇ ଗାଡ଼ି ଚଳାଉଥିଲେ ୨ ହଜାର ବଦଳରେ ୧୦ ହଜାର ଟଙ୍କା, ଦ୍ରୁତ ଗାଡ଼ି ଚାଳନା ପାଇଁ ୫ଶହ ଟଙ୍କା ବଦଳରେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।

ସେହିପରି ସିଲ୍ଟ ବେଲ୍ଟ ପିନ୍ଧି ନଥିଲେ ପୂର୍ବରୁ ମାତ୍ର ଶହେ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ଏଣିକି ୧ ହଜାର ଟଙ୍କା ଦେବାକୁ ହେବ । ଦୁଇ ଚକିଆ ଯାନରେ ୨ରୁ ଅଧିକ ଲୋକେ ଯାତ୍ରା କଲେ ମାତ୍ର ଶହେ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ଏଣିକି ଏଥିପାଇଁ ୨ ହଜାର ଟଙ୍କା ଦେବାକୁ ହେବ । ଖାଲି ସେତିକି ନୁହେଁ, ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ୍‌ କରାଯିବ ।

   ସମ୍ବନ୍ଧିତ ଖବର


ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ