କୋଭିଡ କରିଛି ଲୋକଙ୍କୁ ଦାରିଦ୍ର: ବଢ଼ିଛି ଧନୀ-ଗରିବ ଅସମାନତା, ଅଭାବରୁ ଦିନକୁ ଯାଉଛି ୨୧ ହଜାର ଜୀବନ

ନୂଆଦିଲ୍ଲୀ,୧୮/୦୧: ମହାମାରୀର ପ୍ରଥମ ଦୁଇ ବର୍ଷରେ ବିଶ୍ୱର ୯୯% ଲୋକଙ୍କ ଆୟ ସଙ୍କୁଚିତ ହୋଇଛି । ଅନ୍ୟପକ୍ଷରେ, କୋଭିଡ୍-୧୯ ଯୋଗୁ ୧୬ କୋଟି ଲୋକ ଦାରିଦ୍ର୍ୟରେ ପ୍ରବେଶ ହେବାକୁ ବାଧ୍ୟ ହୋଇଛନ୍ତି । ଅସମାନତା ଯୋଗୁ ଦିନକୁ ୨୧,୦୦୦ ଲୋକ ଜୀବନ ହାରୁଥିବାବେଳେ ୪ ସେକେଣ୍ଡରେ ଜଣଙ୍କ ଜୀବନ ଯାଉଥିବା ଅକ୍ସଫାମ୍ ରିପୋର୍ଟରୁ ଜଣାପଡ଼ିଛି ।
ମହାମାରୀର ପ୍ରଥମ ଦୁଇବର୍ଷରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଦୁଇ ଗୁଣାରୁ ଅଧିକ ବଢିଛି । ଏମାନଙ୍କ ମୋଟ ସମ୍ପତ୍ତି ୧.୫ ଲକ୍ଷ କୋଟି ଡଲାର ବା ୧୧୧ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଦିନକୁ ହାରାହାରି ଭାବେ ଏମାନେ ୧୩୦ କୋଟି ଡଲାର ବା ୯,୦୦୦ କୋଟି ଟଙ୍କା ଯୋଡିଥିବା ରିପୋର୍ଟରୁ ଜଣାପଡ଼ିଛି । ‘ଇନ୍ଇକ୍ୱାଲିଟି କିଲ୍ସ’ ନାମକ ଏ ରିପୋର୍ଟରେ ଅକ୍ସଫାମ୍ ପ୍ରକାଶ କରିଛି ଯେ, ଅସମାନତା ଯୋଗୁ ଦିନକୁ ୨୧,୦୦୦ ଲୋକ ମୃତ୍ୟୁବରଣ କରୁଛନ୍ତି । ପ୍ରତି ୪ ସେକେଣ୍ଡରେ ଜଣଙ୍କ ଜୀବନ ଯାଉଛି ।
ସ୍ୱାସ୍ଥ୍ୟସେବାକୁ ପହଞ୍ଚ ଅଭାବ, ଲିଙ୍ଗ-ଭିତ୍ତିକ ହିଂସା, କ୍ଷୁଧା ଏବଂ ଜଳବାୟୁ ପରିବର୍ତ୍ତନ ଆଦି କେତେକ କାରଣରୁ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟାର ହିସାବ କରାଯାଇ ଏ ରିପୋର୍ଟ ପ୍ରସ୍ତୁତ ହୋଇଛି ।
ମହାମାରୀର ପ୍ରଥମ ଦୁଇ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ସମ୍ପତ୍ତି ସେକେଣ୍ଡକୁ ୧୫,୦୦୦ ଡଲାର ବା ୧୧ ଲକ୍ଷ ଟଙ୍କା ହାରରେ ବଢ଼ିଛି । ଯଦି ଆସନ୍ତାକାଲି ଏହି ୧୦ ଜଣ ବ୍ୟକ୍ତି ସେମାନଙ୍କ ସମ୍ପତ୍ତିର ୯୯.୯୯୯% ହରାଇବେ ତଥାପି ଗ୍ରହର ୯୯% ଲୋକଙ୍କଠାରୁ ସେମାନେ ଧନୀ ରହିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶ୍ୱର ୩୧୦ କୋଟି ଗରିବଙ୍କ ତୁଳନାରେ ଏହି ୧୦ ଜଣଙ୍କ ପାଖରେ ୬ ଗୁଣା ଅଧିକ ସମ୍ପତ୍ତି ରହିଥିବା ଅକ୍ସଫାମ ଇଣ୍ଟରନ୍ୟାସ୍ନାଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗାବ୍ରିଲା ବୁକର ପ୍ରକାଶ କରିଛନ୍ତି ।
ଧନୀଙ୍କ ସମ୍ପତ୍ତି ଉପରେ କିଛି ଟିକସ ଲଗାଇ ଏହାକୁ ବାସ୍ତବ ଅର୍ଥନୀତିରେ ବ୍ୟବହାର କରିବାର ସମୟ ଆସିଛି । ଏହା ମାଧ୍ୟମରେ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିବ ବୋଲି ସେ କହିଛନ୍ତି ।
ଅକ୍ସଫାମ୍ ଅନୁସାରେ, ୧୪ ବର୍ଷ ପୂର୍ବେ ଯାହା ଥିଲା ତାହା ତୁଳନାରେ କୋଭିଡ୍-୧୯ କାଳରେ ଧନୀଙ୍କ ସମ୍ପତ୍ତି ବହୁ ଗୁଣା ବୃଦ୍ଧି ପାଇଛି । ମହାମାରୀରେ ଧନୀ ଯୋଡ଼ିଥିବା ସମ୍ପତ୍ତି ଉପରେ ୧% ଟିକସ ଲଗାଇଲେ ଏହା ବିଶ୍ୱ ପାଇଁ ପର୍ଯ୍ୟାପ୍ତ ଟିକା ଯୋଗାଇବ । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ମଜଭୂତ ହେବା ସହ ସାମାଜିକ ସୁରକ୍ଷା ଦୃଢ଼ ହେବ । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅଭିଯାନଗୁଡ଼ିକୁ ଏଥିରୁ ଭରଣା କରାଯାଇପାରିବ ।