ଇଡି ପ୍ରଶ୍ନବାଣରେ ପ୍ରେମିକା ଘାଇଲା : ରିୟାଙ୍କ ଡିଲିଟ୍‌ ମେସେଜ୍‌ ବାହାର କଲା ଇଡି

ନୂଆଦିଲ୍ଲୀ,୧୨।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଜେରା କରିଥିଲା । ତାଙ୍କ ବିରୋଧରେ ହୋଇଥିବା ଅର୍ଥ ଠକେଇ ମାମଲାକୁ ନେଇ ଇଡି ଅଧିକାରୀମାନେ ଏକାଧିକ ପ୍ରଶ୍ନ କରିଥିଲେ । କିନ୍ତୁ ରିୟା ଉତ୍ତର ଦେବାରେ ବିଫଳ ହୋଇଥିଲେ । ଜବାବ ଦେବା ବେଳେ ସେ ହଡ଼ବଡ଼େଇ ଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସୋମବାର ରିୟାଙ୍କ ସମେତ ତାଙ୍କ ପିତା ଇନ୍ଦ୍ରଜିତ ଏବଂ ଭାଇ ଶୌଭିକଙ୍କୁ ୧୦ ଘଣ୍ଟା ଧରି ମୁହାଁମୁହିଁ ଜେରା କରାଯାଇଥିଲା । ଆଜି ପୁଣି ସେମାନଙ୍କୁ ପଚରାଉଚରା କରାଯାଇଛି ।

ସେପଟେ ସୁଶାନ୍ତଙ୍କ ପରିବାର ଦ୍ୱାରା ଦାୟର ମାମଲାକୁ ପାଟନାରୁ ମୁମ୍ୱାଇକୁ ସ୍ଥାନାନ୍ତର ପାଇଁ ଦାବି କରି ସୁଶାନ୍ତଙ୍କ ବାନ୍ଧବୀ ରିୟା ଦାୟର କରିଥିବା ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ବିଚାରପତି ହୃଷିକେଶ ରୟଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିବା ସହିତ ଗୁରୁବାର ସୁଦ୍ଧା ସମସ୍ତ ପକ୍ଷଙ୍କୁ ନିଜ ନିଜର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଶୁଣାଣି ବେଳେ ରିୟାଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ମୁମ୍ୱାଇ ପୁଲିସ ଏହାର ଠିକ୍‌ ଭାବେ ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇ ସାରିଲାଣି । ତେଣୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବାର ଆବଶ୍ୟକତା ନାହିଁ । ଯଦି ବି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ, ତା’ହେଲେ ସେ ସମ୍ପର୍କରେ ସୁପ୍ରିମକୋର୍ଟ ସ୍ଥିର କରନ୍ତୁ । ବିହାର ସରକାର ଏପରି ସୁପାରିସ କରିପାରିବେ ନାହିଁ । କାରଣ ଉକ୍ତ ଘଟଣାଟି ମୁମ୍ୱାଇରେ ଘଟିଛି ଯାହା ବିହାର ସରକାରଙ୍କ କ୍ଷମତା ପରିସରରେ ଆସୁନାହିଁ ।

ସୁଶାନ୍ତଙ୍କ ପରିବାର ତରଫରୁ ଯୁକ୍ତି କରାଯାଇଥିଲା ଯେ ରିୟା ସୁଶାନ୍ତଙ୍କ ଠାରୁ ବିପୁଳ ଅର୍ଥ ନେଇଯିବା ସହିତ ତାଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ଦେଇଥିଲେ । ଏମିତିକି ରିୟାଙ୍କ ଯୋଗୁ ସୁଶାନ୍ତ ନିଜ ପରିବାର ଲୋକଙ୍କ ସହିତ କଥା ହେଉନଥିଲେ । ସୁଶାନ୍ତଙ୍କ ପିତାଙ୍କ ବାରମ୍ୱାର ଅନୁରୋଧ ପରେ ବି ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ କଥା କରାଇ ଦେଇନଥିଲେ । ମହାରାଷ୍ଟ୍ର ସରକାରଙ୍କ ତରଫରୁ କୁହାଯାଇଥିଲା କି ଏହି ମାମଲାରେ ରାଜନୀତି କରାଯାଉଛି । ବିହାରରେ ନିର୍ବାଚନ ହେବାର ଥିବାରୁ ଏପରି କରାଯାଉଛି । ଏହି ମାମଲାକୁ ସିବିଆଇକୁ ଦେବାର କିଛି ଆବଶ୍ୟକତା ନାହିଁ ।

ରିୟାଙ୍କ ଡିଲିଟ୍‌ ମେସେଜ୍‌ ବାହାର କଲା ଇଡି
ଇଡି ଗତ କିଛି ଦିନ ଧରି ରିୟା ଏବଂ ତାଙ୍କ ଭାଇଙ୍କୁ ଜେରା କରୁଥିଲା ବେଳେ ତାଙ୍କ ପରିବାରର ୪ଟି ଫୋନ, ୨ଟି ଆଇପ୍ୟାଡ୍‌ ଏବଂ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି । ରିୟାଙ୍କର ୨ଟି ଫୋନ, ତାଙ୍କ ଭାଇ ଶୌଭିକଙ୍କର ଗୋଟିଏ ଏବଂ ତାଙ୍କ ପିତାଙ୍କର ଗୋଟିଏ ଫୋନ ଜବତ କରାଯାଇଛି । ଏଗୁଡିକୁ ଫୋରେନସିକ୍‌ ଲାବକୁ ପଠାଯିବ ବୋଲି ଇଡି କହିଛି । ରିୟାଙ୍କ ଫୋନରେ ହ୍ୱାଟ୍‌ସଆପ୍‌ରୁ କିଛି ମେସେଜ୍‌ ଡିଲିଟ୍‌ କରିଦିଆଯାଇଥିଲା । ସେଇ ମେସେଜଗୁଡିକ ସୁଶାନ୍ତଙ୍କ ସହ ସମ୍ପର୍କିତ ଥିଲା । ତେଣୁ ଇଡି ସେଇ ମେସେଜଗୁଡିକୁ ପୁଣି ଥରେ ଫୋନରୁ ଉଦ୍ଧାର କରିଛି । ତଦନ୍ତରେ ଏହା ସହାୟକ ହେବ ବୋଲି ଇଡି କହିଛି ।

   ସମ୍ବନ୍ଧିତ ଖବର


ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବ୍ରେକଅପ୍ ପରେ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଆମିର ଖାନ୍‌ଙ୍କ ଝିଅ ଇରା, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି