ଏକାମ୍ରକ୍ଷେତ୍ରରେ ମନଇଚ୍ଛା ସାଇନ୍‌ବୋର୍ଡ ଉପରେ ଲାଗିଲା ରୋକ୍‌ – ନିର୍ଦ୍ଦିଷ୍ଟ ରଙ୍ଗ ଓ ଆକୃତିର ସାଇନବୋର୍ଡ ରହିବ ,ସବୁ ଫଳକରେ ଓଡ଼ିଆ ଲେଖିବାକୁ ବାଧ୍ୟ

ଭୁବନେଶ୍ୱର : ଏକାମ୍ରକ୍ଷେତ୍ରରେ ମନଇଚ୍ଛା ସାଇନ୍‌ବୋର୍ଡ ଉପରେ ଲାଗିଲା ରୋକ୍‌ । ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଆଣିଛି ନୂଆ ଗାଇଡଲାଇନ୍‌ । ମନ୍ଦିରମାଳିନୀ ଭୁବନେଶ୍ୱରର ଐତିହ୍ୟ ଜୋନ୍‌ ଅଞ୍ଚଳରେ ଆଉ ରଙ୍ଗ, ବେରଙ୍ଗୀ ଓ ଭିନ୍ନ ଭିନ୍ନ ଆକୃତିର ସାଇନବୋର୍ଡ ଦିଶିବନି । ଐତିହ୍ୟ କ୍ଷେତ୍ର ଆଉ ବିକୃତ ହେବନି ମାଳମାଳ ସାଇନବୋର୍ଡ ମେଳିରେ । ଦୋକାନ ହେଉ କି ଧର୍ମଶାଳା ସବୁଠି ନିର୍ଦ୍ଦିଷ୍ଟ ରଙ୍ଗ ଓ ନିର୍ଦ୍ଧଷ୍ଟ ଆକୃତିର ସାଇନବୋର୍ଡ ବା ସୂଚନା ଫଳକ ଲାଗିବ ।

  ୨୦୧୭ରେ ଏ ନେଇ ବିଡିଏ ଆଣିଥିଲା ଚିଠା ଗାଇଡଲାଇନ୍‌ । ଏବେ ଏଥିରେ ମୋହର ମାରିଛି ନଗର ଉନ୍ନୟନ ବିଭାଗ । ସରକାରଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ବିଡିଏ । ନୂତନ ଗାଇଡଲାଇନ ରାଜଧାନୀର ୩ଟି ଅଞ୍ଚଳରେ ଲାଗୁ କରାଯିବ । ଏଥିରେ ରହିଛି ଏକାମ୍ରକ୍ଷେତ୍ର ହେରିଟେଜ୍‌ ଜୋନ୍‌ (ପୁରୁଣା ଭୁବନେଶ୍ୱର ଅଞ୍ଚଳ), ଐତିହାସିକ କ୍ଷେତ୍ର ହେରିଟେଜ୍‌ ଜୋନ୍‌ (ଶିଶୁପାଳଗଡ଼) ଓ  ସାଂସ୍କୃତିକ କ୍ଷେତ୍ର ହେରିଟେଜ୍‌ ଜୋନ୍‌ରେ (ଧଉଳି) ।

  ଏହି ତିନୋଟି ଯାକ ହେରିଟେଜ୍‌ ଜୋନ୍‌ରେ ସାଇନବୋର୍ଡ ଲଗାଇବା ନେଇ ବିଡିଏର ନିୟମ ଓ ସର୍ତ୍ତାବଳୀ ମାନିବାକୁ ହେବ । ଏଥିପାଇଁ ବିଲ୍ଡିଂ ପ୍ଲାନ ଅନୁମୋଦନ  ସର୍ତ୍ତାବଳୀରେ ଏହାକୁ ସାମିଲ କରାଯାଇଛି । ବିଡିଏର ନିୟମ ମୁତାବକ କାନ୍ଥ, ପାଚେରି, ଦୋକାନ ଘର, ମାର୍କେଟ କମ୍ପେ୍ଲକ୍ସରେ ସାଇନବୋର୍ଡ ବା ଡିସପ୍ଲେ ବୋର୍ଡ ଲଗାଇବାକୁ ହେବ । ନିର୍ଦ୍ଧିଷ୍ଟ ରଙ୍ଗ, ନିର୍ଦ୍ଧିଷ୍ଟ ଡିଜାଇନ, ନିର୍ଦ୍ଧିଷ୍ଟ ଆକାରର ସାଇନବୋର୍ଡ ରହିବ ।

  ଖାଲି ଘରୋଇ ବା ବ୍ୟବସାୟିକ କୋଠାବାଡ଼ି ନୁହେଁ, ରାସ୍ତାଘାଟ ଓ ଛକରେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଲାଗୁଥିବା ସୂଚନା ଫଳକରେ ମଧ୍ୟ ଏହି ନିୟମ ଲାଗୁ ହେବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାସ୍ତାଘାଟରେ ଲାଗୁଥିବା ହେରିଟେଜ୍‌ ଜୋନ୍‌ର ମାନଚିତ୍ର ମଧ୍ୟ ନିର୍ଦ୍ଧାରିତ ଡିଜାଇନରେ ପ୍ରସ୍ତୁତ ହେବ । ଦୋକାନ ବଜାର, କାନ୍ଥ, ଖୁଣ୍ଟରେ ଲାଗୁଥିବା ସୂଚନା ଫଳକ ବା ସାଇନବୋର୍ଡ ଓଡ଼ିଆରେ ଲେଖାଯିବ । ଆବଶ୍ୟକ ସ୍ଥଳେ ଇଂରାଜୀ ଭାଷାରେ ଲେଖାଯିବ ।

  କେଉଁ ଦିଗରେ କେଉଁ ଐତିହ୍ୟ କୀର୍ତ୍ତିରାଜି ରହିଛି, କେଉଁଠି ଗାଡ଼ି ପାର୍କିଂ ହେବ, କେଉଁଠି ଶୌଚାଳୟ ଅଛି, ସେ ସବୁ ବାବଦରେ ସୂଚନା ରହିବ ଫଳକରେ । ଲିଙ୍ଗରାଜ ମନ୍ଦିର ଚାରିପାଖ ଅଞ୍ଚଳରୁ ମାଉସୀ ମା’ ମନ୍ଦିର ଛକ ପର୍ଯ୍ୟନ୍ତ ଏକାମ୍ରକ୍ଷେତ୍ର ହେରିଟେଜ୍‌ ଜୋନ୍‌ ଚିହ୍ନଟ କରାଯାଇଛି ।

  ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏକାମ୍ରକ୍ଷେତ୍ର ଦେଶର ପ୍ରମୁଖ ଶୈବପୀଠ । ଏହାର ସମୃଦ୍ଧ ଇତିହାସ ରହିଛି । ଏହି ନୂଆ ଗାଇଡଲାଇନ ହେରିଟେଜ୍‌ ଜୋନକୁ ଆହୁରି ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବ । ଆଗାମୀଦିନରେ ଓଡିଏ ଆଇନ-୨୦୨୦ରେ ଷ୍ଟ୍ରିଟ୍‌ ଡିଜାଇନ୍‌ ଗାଇଡଲାଇନ ଅଣାଯିବ ।

   ସମ୍ବନ୍ଧିତ ଖବର


ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ