ମାର୍ଚ୍ଚ ୭ ସୁଦ୍ଧା ଘୋଷଣା ହୋଇପାରେ ୫ ରାଜ୍ୟର ନିର୍ବାଚନ ତାରିଖ

ଗୌହାଟୀ,୨୩/୦୨: ଆସନ୍ତା ଏପ୍ରିଲ-ମେ ମାସରେ ଦେଶର ୫ଟି ରାଜ୍ୟ (ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ)ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ନିର୍ବାଚନ କମିଶନ (ଇସି) ଯେକୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଇସି ତାରିଖ ଘୋଷଣା କରିପାରନ୍ତି । ଆଜି ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସାମ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଧେମାଜି ଜିଲ୍ଲାର ଶିଳପଥର ଠାରେ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଆପଣମାନେ ନିର୍ବାଚନକୁ ଅପେକ୍ଷା କରିଥିବେ ବୋଲି ମୁଁ ଜାଣିଛି । ଗତ ଥର ବୋଧହୁଏ ମାର୍ଚ୍ଚ ୪ ତାରିଖରେ ଏ ସଂପର୍କରେ ଘୋଷଣା ହୋଇଥିଲା । ଏଥରକ ମଧ୍ୟ ମାର୍ଚ୍ଚ ୭ ତାରିଖ ଭିତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ନିର୍ବାଚନ କମିଶନଙ୍କର କାମ । କମିଶନ ତାହା ଘୋଷଣା କରିବେ । ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଯେତେଥର ସମ୍ଭବ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ ଯିବାକୁ ମୁଁ ଉଦ୍ୟମ କରିବି ।’
ପ୍ରଧାନମନ୍ତ୍ରୀ ଆସାମରେ ବଙ୍ଗାଇଗାଓଁ ସ୍ଥିତ ଇଣ୍ଡିଆନ୍ ଅଏଲ୍ର ଇଣ୍ଡମ୍ୟାକ୍ସ ଶାଖା, ଦିବ୍ରୁଗଡ଼ର ମଧୁବନସ୍ଥିତ ଅଏଲ୍ ଇଣ୍ଡିଆ ଲିମିଟେଡ୍ର ସହାୟକ ଟ୍ୟାଙ୍କ୍ ଫାର୍ମ ଓ ତିନ୍ସୁକିଆର ହେବେଡ଼ା ଗାଁରେ ଏକ ଗ୍ୟାସ୍ କଂପ୍ରେସର ଷ୍ଟେସନ୍ର ଲୋକାର୍ପଣ କରିଥିଲେ । ସେହିପରି ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦ୍ଘାଟନ ଓ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଆଧାରଶିଳା ରଖିଥିଲେ । ଏହି ଅବସରରେ ପୂର୍ବ ସରକାର ଆସାମ ସହ ପକ୍ଷପାତ କରିଥିବା ସେ ଅଭିଯୋଗ କରିଥିଲେ।