ମଧ୍ୟ ଭୁବନେଶ୍ୱରରେ ବୁନୁ, ଜଗାଙ୍କ ଦମ୍ଭୋକ୍ତି; ମୁଁ ଜିତିବି…ମୁଁ ବି ଜିତିବି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୋଟ୍‌ ସରିଗଲା । ଫଳାଫଳକୁ ଅପେକ୍ଷା । ପାଖାପାଖି ମାସେ ମହଲତ୍‌ । ଏବେ ଚାଲିଛି ହିସାବ । କେଉଁ ବୁଥ୍‌ରୁ କେତେ ଭୋଟ୍‌ ମିଳିଛି? କେତେ ଭୋଟ୍‌ ପଡ଼ିଲା, କାହା ଖାତାକୁ କେତେ ଗଲା? ଏହାକୁ ଆଧାର କରି ହାର୍‌ ଜିତ୍‌ ଅଙ୍କ କଷା ଚାଲିଛି । ପ୍ରାର୍ଥୀ ଓ ତାଙ୍କ ଟିମ୍‌ ଏହି କାମରେ ଲାଗିଛନ୍ତି । ମଧ୍ୟ ଭୁବନେଶ୍ୱର ଆସନରେ ଏଥର ବିଧାୟକ ପଦକୁ ନେଇ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି । ବିଜେଡି-ବିଜେପି ଭିତରେ କଡ଼ା ଟକ୍କର ହୋଇଥିବା କୁହାଯାଉଛି । ଉଭୟ ଦଳର ପ୍ରାର୍ଥୀ ନିଜ ଜିତାପଟ ନେଇ ଫୁଲ୍‌ କନ୍‌ଫିଡେଣ୍ଟ ବୋଲି ଦାବି କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ (ଜଗା) ଛାତି ବାଡ଼େଇ କହୁଛନ୍ତି, ଏଥର ନିଶ୍ଚିତ ଜିତିବି । ଏପଟେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା (ବୁନୁ) ଦମ୍ଭୋକ୍ତି ବାଢ଼ିଛନ୍ତି, କାମ କରିଛି, ଜିତ୍‌ ମୋର ।

ରାଜଧାନୀର ହାଇପ୍ରୋଫାଇଲ୍‌ ନିର୍ବାଚନମଣ୍ଡଳୀ ମଧ୍ୟ ଭୁବନେଶ୍ୱର । ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩୨ ହଜାରରୁ ଅଧିକ । ଏଥର ମତଦାନ ହାର ୪୩.୦୨% ରହିଛି । ପ୍ରାୟ ୧ ଲକ୍ଷ ୩ ହଜାର ମତଦାତା ଭୋଟ୍‌ ଦେଇଛନ୍ତି । ୨୦୧୪ ନିର୍ବାଚନରେ ଭୋଟ୍‌ ପଡ଼ିଥିଲା ୯୩ ହଜାର ୨୮୫ । ଏଥର ପାଖାପାଖି ୧୦ ହଜାର ଅଧିକ ଭୋଟ୍‌ ପଡ଼ିଛି । ୧୩ ଜଣ ପ୍ରାର୍ଥୀ ଥିଲା ବେଳେ ଯିଏ ୫୦ ହଜାରରୁ ଅଧିକ ଭୋଟ୍‌ ପାଇବ ସେ ଜିତିବ ।
  ରାଜଧାନୀର ତିନି ଆସନ ଭିତରୁ ମଧ୍ୟ ଭୁବନେଶ୍ୱର ନିର୍ବାଚନ ବେଶି ଚର୍ଚ୍ଚାରେ ଓ ଫୋକସ୍‌ରେ ରହିଥିଲା । ବିଧାୟକ ନିର୍ବାଚନ ପାଇଁ ମଇଦାନକୁ ୧୩ଜଣ ପ୍ରାର୍ଥୀ ଓହ୍ଲାଇଥିଲେ । ହେଲେ ବିଜେଡି ପ୍ରାର୍ଥୀ ବୁନୁ ଓ ବିଜେପି ପ୍ରାର୍ଥୀ ଜଗାଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ଚାଲିଥିବା ଚର୍ଚ୍ଚା ହେଉଛି । ଭୋଟ୍‌ ପାଇଁ ଆରୋପ, ପ୍ରତ୍ୟାରୋପ ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଉଭୟ ପ୍ରାର୍ଥୀଙ୍କ ଉପରକୁ ବୋମା ମାଡ଼ ବି ହୋଇଥିଲା । ଭୋଟ୍‌ ସରିବା ପରେ ବାତବାରଣ ଥଣ୍ଡା ପଡ଼ିଛି । ଉଭୟ ପକ୍ଷ ନିଜ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛନ୍ତି ।

ବୁନୁ ଦମ୍ଭୋକ୍ତି ବାଢ଼ି କହିଛନ୍ତି, ମୁଁ ଜିତିବି । ୧୦୦% ସୁନିଶ୍ଚିତ । ଉଭୟ କଲୋନି ଓ ବସ୍ତି ଲୋକେ ମୋତେ ଭୋଟ୍‌ ଦେଇଛନ୍ତି । କାରଣ ମୁଁ ଲୋକଙ୍କ ସହ ଥିଲି, ଅଛି ଓ ଆଗକୁ ବି ରହିବି । ୧୦ବର୍ଷ କାଳ ମେୟର ଥିବାବେଳେ ସହରରେ ଅନେକ ଉନ୍ନୟନମୂଳକ କାମ ହୋଇଛି । ଭୁବନେଶ୍ୱର ଦେଶର ୧ ନମ୍ବର ସ୍ମାର୍ଟ ସିଟି ହୋଇଛି । ବିଶ୍ୱର ୧୮ତମ ଶ୍ରେଷ୍ଠ ସହର ମାନ୍ୟତା ପାଇଛି ଆମ ରାଜଧାନୀ । ଏଠି ବିଶ୍ୱକପ୍‌ ହକି ଭଳି ବିରାଟ କ୍ରୀଡ଼ା ମହୋତ୍ସବ ସଫଳତାର ସହ ଆୟୋଜିତ ହୋଇଛି । ଏସବୁ କାମ ପାଇଁ ଲୋକେ ଭୋଟ୍‌ ଦେଇଛନ୍ତି । ସବୁ ବୁଥ୍‌ରେ ଭଲ ଭୋଟ୍‌ ମିଳିଛି । ଦଳର ଦୃଢ଼ ସଂଗଠନ ଓ ନବୀନଙ୍କ ଲୋକପ୍ରିୟତା ପାଇଁ ବିଜେଡି ପୁଣି ଥରେ ଏହି ଆସନରେ ଜିତିବ ବୋଲି ବୁନୁ ଦାବି କରିଛନ୍ତି ।  ବିଜେପିର ବିଧାୟକ ପ୍ରାର୍ଥୀ ଜଗା ବି ଜିତାପଟକୁ ନେଇ ବେଶ୍‌ ଆତ୍ମବିଶ୍ୱାସୀ । ସେ କହିଛନ୍ତି, ଲୋକେ ପରିବର୍ତ୍ତନ ପାଇଁ ଭୋଟ୍‌ ଦେଇଛନ୍ତି । ବିଜେପି ସମର୍ଥନରେ ଅନେକ ନୀରବ ଭୋଟର ମତ ଦେଇଛନ୍ତି । ମୋଦି ଲହର ସାଙ୍ଗକୁ ଅପରାଜିତା ଷଡ଼ଙ୍ଗୀ ସାଂସଦ ପ୍ରାର୍ଥୀ ହେବା ଆମକୁ ଫାଇଦା ଦେଇଛି । ସବୁବେଳେ ମୁଁ ଲୋକଙ୍କ ସହ ରହିଛି । ଏଥର ବିଜେପି ସଂଗଠନ ବେଶ୍‌ ମଜବୁତ୍‌ ଅଛି । ଏଥିପାଇଁ ଲୋକଙ୍କ ସମର୍ଥନ ବଢ଼ିଛି । ଜଗାଙ୍କ ଯୁକ୍ତି ହେଲା, ଗତ ନିର୍ବାଚନ ତୁଳନାରେ ଯେତିକି ଅଧିକ ଭୋଟ୍‌ ପଡ଼ିଛି, ତା’ର ୮୦% ଭୋଟ୍‌ ବିଜେପିକୁ ଆସିଛି । ବସ୍ତି ଭୋଟ୍‌ ଏଥର ଭାଗ ହୋଇଛି । ସେହିପରି କଂଗ୍ରେସ ଭୋଟ୍‌ ବ୍ୟାଙ୍କ ଏଥର କମିଛି । ଏସବୁ ଭୋଟ୍‌ ବିଜେପିକୁ ଯାଇଛି । ୧୫ ହଜାର ଭୋଟ୍‌ ବ୍ୟବଧାନରେ ଜିତିବେ ବୋଲି ସେ ଦାବି କରିଛନ୍ତି ।

୨୦୧୪ରେ ବିଜେଡି ପ୍ରାର୍ଥୀ ବିଜୟ ମହାନ୍ତିଙ୍କୁ ୫୦ ହଜାର ୩୮ ଖଣ୍ଡ ଭୋଟ୍‌ ମିଳିଥିଲା । ସେତେବେଳେ ବିଜେପିରୁ ପ୍ରାର୍ଥୀ ଥିବା ଜଗା ୨୭ ହଜାର ୬୯୧ ଭୋଟ୍‌ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ୧୧ ହଜାର ୪୨୦ ଖଣ୍ଡ ଭୋଟ୍‌ ପାଇଥିଲେ ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା