ମିଟର ଟ୍ୟାମ୍ପରିଂ କରି ଫସିଲେ ୨ ସେସୁ କର୍ମଚାରୀ: ଦେବାକୁ ପଡିଲା ୪୫ହଜାର ଟଙ୍କାର ଜରିମାନା

ଭୁବନେଶ୍ୱର ୧୫/୧୦: ବିଦ୍ୟୁତ ଚୋରି ରୋକିବା ହେଉଛି ବିଜୁଳି କର୍ମଚାରୀଙ୍କ ଦାୟିତ୍ୱ । ହେଲେ ନିଜ ଘରେ ବିଜୁଳି ଚୋରି ଚାଲିଥିଲା । ମିଟର ଟ୍ୟାମ୍ପରିଂ କରି ହଜାର ହଜାର ଟଙ୍କା ଫାଙ୍କି ଚାଲିଥିଲେ । ଏମିତି ଢଙ୍ଗରେ ବର୍ଷବର୍ଷ ଧରି ଠକାମି କରିଥିବା ସେସୁର ୨ କାର୍ଯ୍ୟରତ କର୍ମଚାରୀ ସ୍ପେଶାଲ ଡ୍ରାଇଭ୍‌ ବେଳେ ଧରା ପଡ଼ିଛନ୍ତି । ସେସୁ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ ସେମାନଙ୍କ ଠାରୁ ୪୫ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ କରିଛି ।

ସେସୁରୁ ମିଳିଥିବା ସୂଚନା ମୁତାବକ, ସେସୁର ଭିଜିଲାନ୍ସ ଶାଖା ବିଦ୍ୟୁତ ଚୋରି ରୋକିବାକୁ ପ୍ରଥମେ ନିଜ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସରେ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଥିଲା । ସେସୁ ସିଭିଓ ବ୍ରହ୍ମାନନ୍ଦ ଦଣ୍ଡପାଟ ଏହି ସ୍କ୍ୱାଡ୍‌ର ନେତୃତ୍ୱ ନେଇଥିଲେ । ପାୱାର ହାଉସ୍‌ କଲୋନିରେ ଥିବା କ୍ୱାର୍ଟର୍ସରେ ଆଜି ଦିନତମାମ ଯାଞ୍ଚ ଚାଲିଥିଲା । ପ୍ରାୟ ୨୦ ଜଣ କର୍ମଚାରୀଙ୍କ କ୍ୱାର୍ଟର୍ସ ଯାଞ୍ଚ କରିବା ପରେ ୨ ଜଣଙ୍କ ଘରେ ମିଟର ଟ୍ୟାମ୍ପରିଂ ହେଉଥିବା ସ୍କ୍ୱାଡ୍‌ ଦେଖିଥିଲା । ସେମାନଙ୍କ ଠାରୁ ଜରିମାନା ଆଦାୟ କରା ଯାଇଥିଲା । ଦୁଇ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କ୍ୱାଡ୍‌ ପକ୍ଷରୁ କୁହାଯାଇଛି । ଶ୍ରୀ ଦଣ୍ଡପାଟ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସହ ଅନ୍ୟମାନେ ବିସିଡିଡି-୧ର ଏମ୍‌ଆର୍‌ଟି ସ୍କ୍ୱାଡ୍‌ରେ ସାମିଲ ଥିଲେ ।

ସୂଚନାଯୋଗ୍ୟ, ବିଦ୍ୟୁତ ଚୋରି ଯୋଗୁଁ ସେସୁର ବିପୁଳ କ୍ଷତି ହେଉଛି । ରାଜ୍ୟର ବିଦ୍ୟୁତ ଚୋରି ଜାତୀୟ ହାରଠୁ ଢ଼େର ଅଧିକ । କ୍ଷତିକୁ କମାଇବା ଓ ଚୋରି ରୋକିବାକୁ ଏହି ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହୋଇଛି । ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି, ଯଦି କେଉଁଠି ମିଟର ଟ୍ୟାମ୍ପରିଂ ହେଉଥାଏ, ଏନେଇ ୯୪୩୭୧୫୮୬୭୦ ମୋବାଇଲ ନମ୍ବରରେ ଯୋଗାଯୋଗ କରନ୍ତୁ । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଜରିମାନା ରାଶିରୁ ୧୦ ପ୍ରତିଶତ ରାଶି ପୁରସ୍କାର ସ୍ୱରୂପ ଦିଆଯିବ । ଗତକାଲି ଦିନକରେ ୧୦ଜଣ ବ୍ୟକ୍ତିଙ୍କୁ ମୋଟ ୨୮ ହଜାର ୪ ଶହ ଟଙ୍କା ପୁରସ୍କାର ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଅପରାଧୀକୁ ପାସ୍‌ପୋର୍ଟ ! ହୋଇଛି ମୋଟା ଅଙ୍କର କାରବାର, ତନାଘନା ଆରମ୍ଭ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ