୩୦ ସୁଦ୍ଧା ବିଲ୍‌ ପୈଠ କଲେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର ୧୭/୪: ଆସନ୍ତା ୩୦ ତାରିଖ ସୁଦ୍ଧା ବିଦ୍ୟୁତ ବିଲ୍‌ ଦାଖଲ କର, ୪% ରିହାତି ନିଅ । ମେ’ ୩ ତାରିଖ ସୁଦ୍ଧା ବକେୟା ବିଲ୍‌ରେ ବି ମିଳିପାରିବ ରିହାତି । ଏକକାଳୀନ ସମାଧାନ ବା ୱାନ୍‌ ଟାଇମ୍‌ ସେଟଲମେଣ୍ଟରେ ଏଭଳି ଲାଭ ପାଇପାରିବେ ବୋଲି ଆଜି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଆଜି ସେସୁ ସିଇଓ ଚିଠି ଲେଖି ଉପରୋକ୍ତ ନିଷ୍ପତ୍ତି ବାବଦରେ ସୂଚିତ କରିଛନ୍ତି । ସେହିପରି ନେସ୍କୋ, ୱେସ୍କୋ ଓ ସାଉଥ୍‌କୋର ପ୍ରଶାସନିକ ଅଧିକାରୀ (ଏଓ)ଙ୍କୁ ମଧ୍ୟ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକ୍‌ ଡାଉନ୍‌ ସମୟରେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ବିଲ୍‌ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଲୋ ଟେନସନ୍‌ ବା ଏଲଟି ଉପଭୋକ୍ତାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।
ସେସୁ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି ଯେ, ବର୍ତ୍ତମାନ ଏପ୍ରିଲ ଓ ମେ’ ମାସରେ ବର୍ତ୍ତମାନର ବିଲ୍‌ ସମେତ ବକେୟା ବିଲ୍‌ ଦାଖଲ କଲେ ୪ ପ୍ରତିଶତ ରିହାତି ମିଳିପାରିବ । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ସମସ୍ତ ମୋଡରେ ଏହି ରିହାତି ନିଆଯାଇପାରିବ । ଅନ୍ୟ ରିହାତି ପାଇବାକୁ ଯୋଗ୍ୟ ଉପଭୋକ୍ତାମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ ।

ଅପରପକ୍ଷେ ସେସୁ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ମଧ୍ୟ ସମାନ ଭାବେ କୁହାଯାଇଛି । ତେବେ ରାଜ୍ୟରେ ଘରୋଇ ଗ୍ରାହକଙ୍କ ସମେତ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ବାଧ୍ୟତାମୂଳକ କରାଯାଇଛି । ଓଡିଶାରେ ଥିବା ୪ଟି ଯାକ ବଣ୍ଟନକାରୀ କମ୍ପାନୀରୁ ପ୍ରାୟ ୧୦ହଜାର କୋଟି ଟଙ୍କାର ରାଜସ୍ୱ ଆସୁଥିବା ବେଳେ ଏଥିରୁ ୬୦ ପ୍ରତିଶତ କେବଳ ଶିଳ୍ପସଂସ୍ଥା ଗୁଡିକରୁ ଆଦାୟ ହୋଇଥାଏ । ହେଲେ ପ୍ରାୟତଃ ସବୁ ଶିଳ୍ପସଂସ୍ଥା ଏବେ ଲକ୍‌ ଡାଉନ୍‌ ଯୋଗୁଁ ବନ୍ଦ ।

ସେହିଭଳି ଶିଳ୍ପସଂସ୍ଥା ଗୁଡିକରୁ କ୍ରସ ସବସିଡ୍‌ ବାବଦରେ ଅର୍ଥ ମିଳୁନଥିବାରୁ ଓଇଆରସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳୁଛି । ଏଭଳି ସ୍ଥିତିରେ ଗ୍ରାହକ ମାନେ ବିଲ୍‌ ପଇଠ ନକଲେ ବିତରଣ କମ୍ପାନୀ ଗୁଡିକ ପାଇଁ ବିଦ୍ୟୁତ୍‌ ଖରିଦ, ଟ୍ରାନ୍ସମିଶନ, ରକ୍ଷଣାବେକ୍ଷଣ, ବେତନ ଏବଂ ଏଷ୍ଟାବ୍ଲିସମେଣ୍ଟଣ୍ଟ ଖର୍ଚ୍ଚ ତୁଲାଇବା କାଠିକର ପାଠ ହୋଇପଡିବ ବୋଲି ଆୟୋଗ ଚିନ୍ତା କରିଛି । ଏହାକୁ ଦୃଷ୍ଟିରେ ରଖି ଓଇଆରସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଏପ୍ରିଲ୍‌ ଓ ମଇ ମାସରେ ଯେଉ ଘରୋଇ ଗ୍ରାହକମାନେ ସେମାନଙ୍କ ବିଲ୍‌ ପଇଠ କରିବେ ତାଙ୍କୁ ଅନ୍ୟ ସମସ୍ତ ରିହାତି ବାଦ୍‌ ଅତିରିକ୍ତଭାବେ ଆଉ ୪ ପ୍ରତିଶତ ରିହାତି ମିଳିବ ।

ଲକ୍‌ ଡାଉନ୍‌ ଯୋଗୁଁ ଏହି ନିର୍ଦ୍ଦେଶନାମା ଓଇଆରସିର ନିୟମାବଳୀ ୨୦୨ କୋଡ୍‌ ୨୦୧୯ ଅନୁଯାୟୀ ଜାରି ହୋଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ବିତରଣ କମ୍ପାନୀକୁ କୁହାଯାଇଛି । ସାମାଜିକ ଦୂରତ୍ୱ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ବର୍ତ୍ତମାନ ଘରକୁ ଘର ବୁଲି ମିଟର ରିଡିଂ ନେବା ସମ୍ଭବପର ନୁହେଁ । ତେବେ ନିୟମ ଅନୁଯାୟୀ ଯେଉଁଠାରେ ମିଟର ରିଡିଂ ନିଆଯାଉନାହିଁ, ସେଠାରେ ଗତ ୩ମାସର ବିଲ୍‌କୁ ଦେଖି ହାରାହାରି ଭାବେ ବିଲ୍‌ ପ୍ରଦାନ କରାଯିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଏହାକୁ ଦୁଇ ମାସ କରାଯାଇଛି । ଏଥି ସହିତ ସମସ୍ତ ବିତରଣ କମ୍ପାନୀ ଇଲେକଟ୍ରୋନିକ ବ୍ୟବସ୍ଥାରେ ବିଲ୍‌ ପଠାଇବା ସହିତ ଗ୍ରାହକଙ୍କୁ ବିଲ୍‌ ପୈଠର ରସିଦ ଦେବାପାଇଁ ଓଇଆରସି ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି