ନୂଆଦିଲ୍ଲୀ - କରୋନା ସ୍ଥିତି ମଧ୍ୟରେ କେମିତି ନିର୍ବାଚନ ଆୟୋଜନ କରାଯାଇପାରିବ ସେନେଇ ନିର୍ବାଚନ କମିଶନ ଦିନେ ଦୁଇଦିନ ମଧ୍ୟରେ ଗାଇଡଲାଇନ ପ୍ରକାଶ କରିବେ। ଏ ସଂପର୍କରେ ଆଲୋଚନା ପାଇଁ ମଙ୍ଗଳବାରରେ ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା।
ଆଗକୁ ବିହାର ସମେତ କିଛି ରାଜ୍ୟରେ ଉପ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ତେଣୁ କୋଭିଡ କଟକଣା ଭିତରେ କେମିତି ନିର୍ବାଚନ କରା ଯାଇପାରିବ ସେନେଇ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳ ସମେତ ରାଜ୍ୟ ଗୁଡ଼ିକର ନିର୍ବାଚନ ଅଧିକାରୀଙ୍କ ଠାରୁ ମତାମତ ଲୋଡ଼ିଥିଲେ। ଏହାକୁ ନେଇ ଦିନେ ଦୁଇଦିନ ମଧ୍ୟରେ ନିର୍ବାଚନ କମିଶନ ସବିଶେଷ ଗାଇଡଲାଇନ ପ୍ରସ୍ତୁତ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।
ଓଡ଼ିଶାରେ ବାଲେଶ୍ବର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ହେବାକୁ ଯାଉଛି। ଯଦିଓ ଦଳ ଗୁଡ଼ିକ ସେମାନଙ୍କର ପ୍ରାର୍ଥୀ ଚୟନ କରିନାହାନ୍ତି କିନ୍ତୁ ଭିତରେ ଭିତରେ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ନଭେମ୍ବର ସୁଦ୍ଧା ଏହି ଦୁଇ ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବା ସମ୍ଭାବନା ଅଛି।