ପ୍ରମୁଖ ଖବର
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ହାତୀ ନେଲା ଜୀବନ, ଅଜା-ଆଈ ସମେତ ନାତୁଣୀ ମୃତ

ପଡ଼ିଆବାହାଲ ୦୨/୦୪: ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ କେଶାପାଲି ପଞ୍ଚାୟତ କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ କରିଛି । ଏହି ଉପଦ୍ରବରେ ଗୋଟିଏ ପରିବାରର ଅଜା, ଆଈ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ କୋଲଗାଁର କନ୍ଧ ମିର୍ଦ୍ଧା (୭୫), ତାଙ୍କ ସ୍ତ୍ରୀ ଉର୍ମିଳା ଓ ନାତୁଣୀ ରଶ୍ମିତା (୧୨) । ହାତୀ ଉପଦ୍ରବରେ ଘର କାନ୍ଥ ପଡ଼ି ଏମାନେ ଚାପି ହୋଇଯାଇଥିଲେ । ପରେ ହାତୀ ପଡ଼ିଥିବା କାନ୍ଥ ଉପରେ ଚାଲିଯାଇଥିବାରୁ ଆଈ ଓ ନାତୁଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅଜା କନ୍ଧଙ୍କ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣାକୁ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତକମାନେ କେଶାପାଲି ସରପଞ୍ଚ ଉମାକାନ୍ତ ମିର୍ଦ୍ଧାଙ୍କ ବାପା, ମା’ ଓ ଭାଣଜୀ ଅଟନ୍ତି । କନ୍ଧଙ୍କ ବିବାହିତା ଝିଅ ନଳିନୀଙ୍କ ଝିଅ ହେଉଛନ୍ତି ରଶ୍ମିତା । ସେ ଅଜା, ଆଈଙ୍କ ସହ ରହି ସ୍ଥାନୀୟ କେଶାପାଲି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନାନୁସାରେ କନ୍ଧ, ତାଙ୍କ ସ୍ତ୍ରୀ ଉର୍ମିଳା ଓ ନାତୁଣୀ ରଶ୍ମିତା ଗତକାଲି ରାତି ଖାଇ ସାରି ଗୋଟିଏ ବଖରା ଘରରେ ଶୋଇଥିଲେ । ରାତି ପ୍ରାୟ ୨ଟାରେ ଏକ ଦନ୍ତା ହାତୀ ପଶି ଉପଦ୍ରବ କରି ଘର କାନ୍ଥ ଭାଙ୍ଗି ଦେଇଥିଲା । ଅଜା, ଆଈ ଓ ନାତୁଣୀ କାନ୍ଥ ତଳେ ଚାପି ହୋଇଯାଇଥିଲେ । ପରେ ହାତୀଟି କାନ୍ଥ ଉପରେ ଚାଲିଯାଇ ଘର ଭିତରେ ଥିବା ଧାନଚାଉଳ ଖାଇ ଦେଇଥିଲା । ପରିବାର ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ଆଈ ଓ ନାତୁଣୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଆଈ ଓ ନାତୁଣୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଜା କନ୍ଧଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟପକ୍ଷେ ବୁଧବାର ସକାଳେ ନୂଆଁବରଙ୍ଗାମାଲ ଠାରେ ହାତୀ କୃପାଳୁ ମିର୍ଦ୍ଧାଙ୍କ ଘର ଭାଙ୍ଗିଦେବାରୁ କାନ୍ଥ ପଡ଼ି ଝିଅ ମାନସୀ (୧୦) ଗୁରୁତର ଆହତ ହୋଇଛନ୍ତି । ରେଞ୍ଜର୍‌ ଗୌରୀଶଙ୍କର ଦାଶ ଖବର ପାଇ ପହଞ୍ଚି ନିଜ ଗାଡ଼ିରେ ବାଳିକାଙ୍କୁ ସଦର ଡାକ୍ତରଖାନା ଆଣି ଭର୍ତ୍ତି କରିଛନ୍ତି ।

ମୃତକଙ୍କ ପରିବାରକୁ ବିଭାଗ ପକ୍ଷରୁ ୪୦ହଜାର ଟଙ୍କା ଲେଖାଏଁ ମୋଟ ୧ ଲକ୍ଷ ୨୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ସେହିପରି ଆହତ ନୂଆଁବରଙ୍ଗାମାଲର ମାନସୀଙ୍କୁ ଚିକିତ୍ସା ବାବଦକୁ ୫ହଜାର ଟଙ୍କାର ସହାୟତା ଦିଆଯାଇଛି । ଦୁର୍ଘଟଣା ସମୟରେ ସ୍ଥାନୀୟ ଫରେଷ୍ଟର୍‌ ଅଜିତ ନାଥ ଅନୁପସ୍ଥିତ ଥିବାରୁ ଡିଏଫ୍‌ଓ ସଞ୍ଜିତ କୁମାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରେଞ୍ଜର୍‌ ଆଲୋକ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ନୂଆ ଫରେଷ୍ଟର୍‌ଙ୍କୁ ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.