ବିଶ୍ୱ ଚାମ୍ପିଅନକୁ ଧରାଶାୟୀ କଲା ଆୟର୍ଲାଣ୍ଡ; ଇଂଲଣ୍ଡ ୮୫ ରନ୍‌ରେ ଅଲ୍‌ ଆଉଟ୍‌

ଲଣ୍ଡନ, ୨୪ା୭ (ଏଜେନ୍ସି): ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହୋଇଛି ୪ ଦିନିଆ ଟେଷ୍ଟ । ୧୦ ଦିନ ତଳେ ଦିନିକିଆ ବିଶ୍ୱକପ୍‌ ହାସଲ କରି ସର୍ବ ଶକ୍ତିମାନ ବୋଲାଉଥିବା ଇଂଲଣ୍ଡ ଏଠାରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୮୫ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଛି । ଏହାର ଜବାବରେ ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୨୦୭ ରନ୍‌ ସଂଗ୍ରହ କରିବା ସହ ମୋଟ୍‌ ୧୨୨ ରନ୍‌ରେ ଅଗ୍ରଣୀ ହାସଲ କରିଛି ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଘରୋଇ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଟେଷ୍ଟ ପଦାର୍ପଣ କରିଥିବା ଜାସନ ରୟଙ୍କ ସହ ରୋରି ବର୍ଣ୍ଣସ ପାଳି ଆରମ୍ଭ କରିଥିଲେ । ଆୟର୍ଲାଣ୍ଡ ପେସ୍‌ ବୋଲର ଟିମ୍‌ ମୁର୍ତାଘଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବାରେ ଉଭୟ ବିଫଳ ହୋଇଥିଲେ । ଦଳୀୟ ସ୍କୋର ୮ ବେଳେ ବ୍ୟକ୍ତିଗତ ୫ ରନ୍‌ କରି ରୟ ପ୍ରଥମେ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ ଜୋ ଡେନ୍‌ଲି ଅପରାଜିତ ବର୍ଣ୍ଣସଙ୍କ ସହ ଦଳୀୟ ସ୍କୋରକୁ ୩୬ରେ ପହଞ୍ଚାଇଥିଲେ । ୨୩ ରନ୍‌ କରିଥିବାବେଳେ ମାର୍କ ଆଡେୟାରଙ୍କ ବଲ୍‌ରେ ଡେନ୍‌ଲି ଆଉଟ୍‌ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ଇଂଲଣ୍ଡ ଇନିଂସ ତାସ୍‌ ଘର ପରି ଭୁଷୁଡ଼ି ପଡ଼ିଥିଲା ।

ଆୟର୍ଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିନପାରି ପରବର୍ତ୍ତୀ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ସହଳ ପାଭିଲିୟନ ଫେରିଥିଲେ । ବର୍ଣ୍ଣସ ୬ ରନ୍‌ କରିଥିବାବେଳେ ଅଧିନାୟକ ଜୋ ରୁଟ୍‌ ୨ ରନ କରିଥିଲେ । ଜନି ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ୍‌ ୱକ୍ସ ଖାତା ଖୋଲି ପାରି ନଥିଲେ । ୪୩ ରନ୍‌ରେ ଘରୋଇ ଦଳ ୭ଟି ୱିକେଟ୍‌ ହରାଇ ସାରିଥିଲା । ଅନ୍ତିମ ଭାଗରେ ସାମ କୁରାନ ଓ ଓଲି ଷ୍ଟୋନ୍‌ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । କୁରାନ ୧୮ ଓ ଷ୍ଟୋନ ୧୯ ରନ କରିଥିଲେ । ତଥାପି ଇଂଲଣ୍ଡ ୨୩.୪ ଓଭରରେ ୮୫ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ । ଆୟର୍ଲାଣ୍ଡ ପକ୍ଷରୁ ମୁର୍ତାଘ ମାତ୍ର ୧୩ ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେହିପରି ଆଡେୟାର ୩ଟି ଓ ବଏଡ ର‌୍ୟାନ୍‌କିନ୍‌ ୨ଟି ୱିକେଟ୍‌ ନେଇଥିଲେ ।

ଆୟର୍ଲାଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭକ କରି ୩୨ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ଓପନର ୱିଲିୟମ ପୋଟରଫିଲ୍ଡ ବ୍ୟକ୍ତିଗତ ୧୪ ରନ୍‌ କରିଥିବାବେଳେ କୁରାନଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ଜେମ୍ସ ମ୍ୟାକ୍‌କଲମ ୧୯ ରନ କରି ପାଭିଲିୟନ ଫେରିଥିଲେ । ତୃତୀୟ ୱିକେଟ୍‌ରେ ଆୟର୍ଲାଣ୍ଡ ଉନ୍ନତ ଭାଗିଦାରୀ ଗଠନ କରିବାରେ ସଫଳ ହୋଇଥିଲା । ଆଣ୍ଡି ବାଲବରାଇନ୍‌ ଓ ପଲ୍‌ ଷ୍ଟର୍ଲିଂ ଦଳୀୟ ସ୍କୋରରେ ୮୭ ରନ୍‌ ଯୋଗ କରିଥିଲେ ।

ବାଲ୍‌ବରାଇନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୩୨ ବେଳେ ବ୍ୟକ୍ତିଗତ ୩୬ ରନ୍‌ କରି ଷ୍ଟର୍ଲିଂ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ମାନେ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ଆୟର୍ଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଶେଷରେ ୨୦୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ବାଲ୍‌ବରାଇନ ସର୍ବାଧିକ ୫୫ ରନ୍‌ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଭିନ ଓ’ ବ୍ରାଏନ୍‌ ଅପରାଜିତ ୨୮ ଓ ମୁର୍ତାଘ ୧୬ ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌, ଓଲି ଷ୍ଟୋନ୍‌ ଓ ସାମ କୁରାନ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର