ଇଂଲଣ୍ଡ ୪୧ ରନ୍ରେ ବିଜୟୀ

ଗୌହାଟୀ,୪ା୩(ଏଜେନ୍ସି): ଘରୋଇ ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଘରୋଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସ୍ମୃତି ମନ୍ଦନାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ୪୧ ରନ୍ରେ ପରାଜିତ ହୋଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ଇଂଲଣ୍ଡ ମହିଳା ଦଳ ୪ ୱିକେଟ୍ ବିନିମୟରେ ୧୬୦ ରନ୍ କରିଥିଲା । ଜବାବରେ ଭାରତୀୟ ମହିଳା ଦଳ ୬ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଆଜି ଟସ୍ ଜିତି ମନ୍ଦନା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡର ଦୁଇ ଓପନର ଡାନିଏଲା ୱାଟ୍ ଓ ଥାମି ବ୍ୟୁମୋଣ୍ଟ ଆକର୍ଷଣୀୟ ବ୍ୟାଟିଂ କରି ଦୃଢ ମୂଳଦୁଆ ପକାଇଥିଲେ । ପ୍ରଥମ ୱିକେଟ୍ରେ ଉଭୟ ୮୯ ରନ୍ ସଂଗ୍ରହ କରିଥିଲେ । ୱାଟ୍ ବ୍ୟକ୍ତିଗତ ୩୫ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ବ୍ୟୁମୋଣ୍ଟ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ୫୭ଟି ବଲ୍ରୁ ୬୨(୯ଚୌକା) ରନ୍ କରିଥିଲେ । ମଧ୍ୟଭାଗରେ ଅଧିନାୟିକା ହିଥର ନାଇଟ୍ସ ୨୦ଟି ବଲ୍ରୁ ବିସ୍ଫୋରକ ୪୦ ରନ୍ କରିବା ଫଳରେ ଇଂଲଣ୍ଡ ୪ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।
ଜବାବରେ ଭାରତ ୨୩ ରନ୍ରେ ୪ଟି ୱିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ମନ୍ଦନା ୨, ହର୍ଲିନ ଦେଓଲ ୮, ଜେମିମା ରୋଡ୍ରିଗୁଏଜ ୨ ଓ ମିଥାଲି ରାଜ ୭ ରନ କରି ଆଉଟ୍ ହୋଇଥିଲେ । ମଧ୍ୟଭାଗ ଖେଳାଳିମାନେ ଉପଯୋଗୀ ବ୍ୟାଟିଂ କରିଥିଲେ ହେଁ ଭାରତ ଭାଗିଦାରୀ ଗଠନ କରିବାରେ ବିଫଳ ହୋଇଥିଲା । ଇଂଲଣ୍ଡ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ରନ୍ରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ । ଭାରତ ୬ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା । ଦିପ୍ତି ଶର୍ମା ଅପରାଜିତ ୨୨ ଓ ଶୀଖା ପାଣ୍ଡେ ଅପରାଜିତ ୨୩ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଦ କ୍ରିଷ୍ଣମୂର୍ତ୍ତୀ ୧୫ ଓ ଅରୁନ୍ଧତି ରେଡ୍ଡୀ ୧୮ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ କାଥେରିନ ବ୍ରଣ୍ଟ ଓ ଲିନ୍ସି ସ୍ମିଥ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।