ଓସ୍କାର ଚିଟଫଣ୍ଡ ନିର୍ଦ୍ଦେଶକ ରବୀନ୍ଦ୍ର ସାଇଁଙ୍କୁ ଗିରଫ କଲା ଇଓଡବ୍ଲ୍ଯୁ

ଭୁବନେଶ୍ୱର ୧୯/୩: ଓସ୍କାର ଚିଟଫଣ୍ଡର ନିର୍ଦ୍ଦେଶକ ରବୀନ୍ଦ୍ର ସ୍ୱାଇଁ ଗିରଫ । ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ଯୁ । ଗଞ୍ଜାମରୁ ଗିରଫ ହେଲା ରବୀନ୍ଦ୍ର । ସୁଧ ଲୋଭ ଦେଖାଇ ଓଡିଶାରୁ ୧୩୦ କୋଟି ଠକିଥିଲା ରବୀନ୍ଦ୍ର । ରବୀନ୍ଦ୍ରଙ୍କ ନାଁରେ ଓଡିଶା ସମେତ ମହାରାଷ୍ଟ୍ର ଓ ଗୁଜରାତରେ ମଧ୍ଯ ଠକେଇ କରିଥିବା ଅଭିଯୋଗ ଥିଲା ।

ଓସ୍କାର ଇନଫ୍ରାଡେଭଲପମେଣ୍ଟ ଲିମିଟେଡର ନିର୍ଦ୍ଦେଶକ ଥିଲା ରବୀନ୍ଦ୍ର । ଇଓଡବ୍ଲ୍ଯୁ ସୂଚନା ଅନୁସାରେ ରବୀନ୍ଦ୍ରଙ୍କ ବିରୁଦ୍ଧରେ କୋଟିକୋଟି ଟଙ୍କା ଠକିଥିବା ଲିଖିତ ଅଭିଯୋଗ ଥିଲା । ବ୍ଯାଙ୍କଠୁ ଅଧିକ ସୁଧ ଦେବାନାଁରେ କୋଟିକୋଟି ଟଙ୍କା ଠକେଇ କରିଥିଲା ରବୀନ୍ଦ୍ର । ଓଡିଶା ସମେତ ମହାରାଷ୍ଟ୍ର ଓ ଗୁଜରାତରେ ମଧ୍ଯ ଅନେକ ତା ଠକାମିର ଶିକାର ହୋଇଥିଲେ । ହଜାର ହଜାର ଗ୍ରାହକ ଅଧିକ ସୁଧ ପାଇବା ଆଶାରେ ଟଙ୍କା ଡିପୋଜିଟ୍ କରିଥିଲେ । ମାତ୍ର ଦିନେ ଅଫିସ ବନ୍ଦ କରି ଚାଲିଯାଇଥିଲା ଓସ୍କାର ଚିଟଫଣ୍ଡ କମ୍ପାନୀ । ୨୦୧୬ରୁ ରବୀନ୍ଦ୍ରକୁ ଖୋଜୁଥିଲା ପୋଲିସ ।

ଏହି ସ୍କାମରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଛି ପୋଲିସ । କମ୍ପାନୀର ଚେୟାରମ୍ୟାନ୍ ପ୍ରଭାସ ଚନ୍ଦ୍ର ରାଉତ, ତାରା ପ୍ରସାଦ ହୋତା, ପ୍ରଭାତ କୁମାର ପଟ୍ଟନାୟକ ମଧ୍ଯ ଗିରଫ ହୋଇଥିଲେ । ତେବେ ତାରା ଓ ପ୍ରଭାତଙ୍କୁ ହାଇକୋର୍ଟରୁ ବେଲ୍ ମିଳିଯାଇଥିଲା । ଅନ୍ୟପଟେ କମ୍ପାନୀର ଅଧ୍ଯକ୍ଷ ପ୍ରଭାତ ଚନ୍ଦ୍ର ରାଉତ ଏପର୍ଯ୍ୟନ୍ତ ଜେଲରେ ଅଛନ୍ତି ।