୫ ସହର ପାଇଁ ମହାମାରୀ ଘୋଷଣା କଲେ ଉଦ୍ଧବ: ସବୁ ସପିଂମଲ, ଥିଏଟର, ସିନେମା ହଲ୍‌ ଜିମ୍‌ ବନ୍ଦ

ମୁମ୍ବାଇ ୧୪/୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟର ୫ଟି ସହର ପାଇଁ କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ଏହି ସହରଗୁଡିକ ମଧ୍ୟରେ ରହିଛି ମୁମ୍ବାଇ, ନଭି ମୁମ୍ବାଇ, ପୁନେ, ନାଗପୁର ଏବଂ ପିମ୍ପରି-ଚିଞ୍ଚୱାଡ । ଶୁକ୍ରବାର ରାତିରୁ ଏହି ସହରରେ ଥିବା ସବୁ ସପିଂମଲ, ଥିଏଟର, ସିନେମା ହଲ୍‌, ଜିମ୍‌ ଓ ସୁଇମିଂ ପୁଲ ଆଦି ବନ୍ଦ କରାଯାଇଛି । ଏହି ସହରରେ ଥିବା ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି । ତେବେ ଯେଉଁ ଠାରେ ପରୀକ୍ଷା ଚାଲିଥିବ ସେହି ସବୁ ସ୍କୁଲ ଖୋଲା ରହିବ ।

ଏଥିସହିତ ସେ ରାଜ୍ୟ ପାଇଁ କେତେକ କଟକଣା ମଧ୍ୟ ଘୋଷଣା କରିଛନ୍ତି । କହିଛନ୍ତି ଆଗାମୀ ୧୫ ଦିନ ହେଉଛି ରାଜ୍ୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ରାଜ୍ୟରେ ୧୭ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଅଧିକ କରୋନା ଭାଇରସ୍‌ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠ ଲାଗି ସେ ଚାହିଁଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିବା ମଧ୍ୟ ଉଦ୍ଧବ ପ୍ରକାଶ କରିଛନ୍ତି । ରାଜ୍ୟକୁ ଆସୁଥିବା ସବୁ ବିମାନଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ତେବେ ରାଜ୍ୟରେ ଟ୍ରେନ କିମ୍ବା ବସ୍‌ ସେବାକୁ ବନ୍ଦ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଟ୍ରେନ ଓ ବସ୍‌ ସେବା ହେଉଛି ପରିବହନର ମୁଖ୍ୟ ମାଧ୍ୟମ । ଏହା ବନ୍ଦ ହେଲେ ରାଜ୍ୟ ଅଚଳ ହୋଇଯିବ ।