ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ

ନୂଆଦିଲ୍ଲୀ ୨୧/୧୧: ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ ୨୦୧୮ରେ ସଡ଼କ ଦୁର୍ଘଟଣା କାରଣରୁ ୧.୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଯାହା ପୂର୍ବ ବର୍ଷ ତୁଳନାରେ ୨.୪ ପ୍ରତିଶତ ଅଧିକ । ୨୦୧୭ରେ ୧.୪୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।

ପ୍ରତିଦିନ ଦେଶରେ ୧,୨୮୦ଟି ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ୪୧୫ ଜଣଙ୍କର ଜୀବନ ଯାଉଛି। ଅର୍ଥାତ ପ୍ରତି ଘଣ୍ଟାରେ ଦେଶବ୍ୟାପୀ ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ନିଜ ଜୀବନ ହରାଉଛନ୍ତି । ‘ସଡ଼କ ଦୁର୍ଘଟଣା’ ଦେଶରେ ଲୋକମାନଙ୍କ ମୃତ୍ୟୁର ଅଷ୍ଟମ ବୃହତ କାରଣ ରୂପେ ଉଭା ହୋଇଛି।

ଜେନେଭା ଦ୍ୱାରା ବିଶ୍ୱବ୍ୟାପୀ ୧୯୯ଟି ଦେଶଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ, ୨୦୧୮ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ଭାରତ ଶୀର୍ଷରେ ରହିଛି। ଭାରତ ପରେ ଚୀନ ଏବଂ ତୃତୀୟରେ ଆମେରିକାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବା ଜଣାପଡ଼ିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି ରିପୋର୍ଟରେ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ୪୮ ପ୍ରତିଶତ ଲୋକଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିଛି। ଏମାନଙ୍କ ମଧ୍ୟରେ ୬.୬ ପ୍ରତିଶତ ନାବାଳକ ରହିଥିବା ମଧ୍ୟ ଜଣାପଡ଼ିଛି।

ସଡ଼କ ଦୁର୍ଘଟଣାର କାରଣ ବାବଦରେ ନଜର ପକାଇଲେ ଜଣାଯାଏ, ଦ୍ରୁତଗତିରେ ଗାଡ଼ି ଚଲାଇବା ଦ୍ୱାରା ୬୪.୪ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। ରାସ୍ତାର ବିପରୀତ ଦିଗରେ ଗାଡ଼ି ଚଲାଇବା କାରଣରୁ ୫.୮ ପ୍ରତିଶତ, ମୋବାଇଲ ଫୋନ ବ୍ୟବହାର କରିବା କାରଣରୁ ୨.୪ ପ୍ରତିଶତ ଏବଂ ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ଚଲାଇବା କାରଣରୁ ୨.୮ ପ୍ରତିଶତ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ହେଲମେଟ୍‌ ପିନ୍ଧି ନଥିବା କାରଣରୁ ୪୩,୬୧୪ ଜଣ ବା ୨୮.୮ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିବା ବେଲେ ସିଟ୍‌ ବେଲ୍ଟ ପିନ୍ଧି ନଥିବା କାରଣରୁ ୨୪,୪୩ ୫ ଜଣ ବା ୧୬.୧ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି।

ତାମିଲାନାଡୁରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ୧୩.୭ ପ୍ରତିଶତ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପରେ ମଧ୍ୟପ୍ରଦେଶ ଏବଂ ତୃତୀୟରେ ଉତ୍ତରପ୍ରଦେଶରେ ସର୍ବାଧିକ ଲୋକଙ୍କର ସଡ଼କ ଦୁର୍ଘଟଣା ଯୋଗୁ ମୃତ୍ୟୁ ହୋଇଛି। ଉଭୟ ରାଜ୍ୟରେ ଯଥାକ୍ରମେ ୧୧ ପ୍ରତିଶତ ଏବଂ ୯.୧ ପ୍ରତିଶତ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍