ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବେ ସେନାରୁ ବହିଷ୍କୃତ ବିଏସ୍ଏଫ୍ ଯବାନ ତେଜବାହାଦୁର

ନୂଆଦିଲ୍ଲୀ,୩୦।୩: ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ସୀମା ସୁରକ୍ଷା ବଳ(ବିଏସଏଫ୍) ଯବାନ ତେଜ ବାହାଦୂର ଯାଦବ ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ରେଓ୍ବାଡିରେ ରହୁଥିବା ତେଜ ବାହାଦୁର ସାମ୍ବାଦିକଙ୍କୁ ଏହାର ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛନ୍ତି କିନ୍ତୁ ଯେତେବେଳେ ମୁଁ ବିଏସଏଫରେ ନିମ୍ନମାନର ଖାଦ୍ୟ ମିଳିବା ନେଇ ସ୍ବର ଉତ୍ତୋଳନ କରିଥିଲି ମୋତେ ଚାକିରିରୁ ବହିଷ୍କୃତ କରାଗଲା। ଏଭଳି ସ୍ଥିତିରେ ମୋଦିଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢି ସେନାରେ ହେଉଥିବା ଭ୍ରଷ୍ଟାଚାରକୁ ଶେଷ କରିବି ବୋଲି ସେ କହିଛନ୍ତି।
ତେଜବାହାଦୂର କହିଛନ୍ତି, ‘ ମୋତେ ନିଜ ସହ ସାମିଲ କରିବା ପାଇଁ ଅନେକ ରାଜନୈତିକ ଦଳ ମୋ ପାଖକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ମୋ ମନରେ ଜିତିବା କିମ୍ବା ହାରିବା ଭୟ ନାହିଁ।
ଉଲ୍ଳେଖନୀୟ ଯେ, ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା। ଏଥିପାଇଁ ତାଙ୍କୁ ୨୦୧୭ରେ ସେନାରୁ ବିଦା କରାଯାଇଥିଲା। ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ ବି ମାମଲା କୋର୍ଟରେ ବିଚାରଧୀନ ରହିଛି।