ସର୍ବସାଧାରଣ ସ୍ଥାନରେ ମଦ ପିଇ ଗିରଫ ହେଲେ ପେରୁର ପୂର୍ବତନ ରାଷ୍ଟ୍ରପତି

ସାନ୍ ଫ୍ରାନ୍ସସିସ୍କୋ,୧୯।୩: ପେରୁର ପୂର୍ବତନ ରାଷ୍ଟ୍ରପତି ଆଲେଜାଣ୍ଡରୋ ତୋଲେନ୍ଦୋଙ୍କୁ କାର୍ଲିଫର୍ଣ୍ଣିଆରେ ସର୍ବସାଧାରଣରେ ମଦ ପିଇବା ଅଭିଯୋଗରେ ଗତ ରବିବାର ତାଙ୍କୁ ଗିରଫ କରାଯାଇଥିଲା। ଗୋଟେ ରାତି ତାଙ୍କୁ ଜେଲ ଭିତରେ ରଖିବା ପରେ ଗତ କାଲି ସକାଳେ ତାଙ୍କୁ ଛଡା ଯାଇଥିଲା। ତୋଲେନ୍ଦୋ ନିଜ ଦେଶରେ ଲାଟିନ୍ ଆମେରିକାର ସବୁଠାରୁ ବଡ ଦୁର୍ନୀତି ମାମଲାରେ ବାଞ୍ଚିତ ହୋଇଛନ୍ତି। ସେନ ମୋର୍ଟିୟୋ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟର ମୁଖପାତ୍ର ରୋଜମେରି ବ୍ଳାକସଓ୍ବେଡ କହିଛନ୍ତି ୭୨ ବର୍ଷୀୟ ତୋଲେନ୍ଦୋଙ୍କୁ ଗତ ରବିବାର ରାତିରେ ସହରର ମେନଲୋ ପାର୍କ ନିକଟରେ ଥିବା ଏକ ରେସ୍ତୋଁରାରୁ ଗିରଫ କରାଯାଇଛି।
ତେବେ ସୋମବାର ସକାଳେ ତାଙ୍କୁ ଜେଲରୁ ଛାଡି ଦିଆଯାଇଥିଲା। ତୋଲେନ୍ଦୋ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପେରୁର ରାଷ୍ଟ୍ରପତି ଥିଲେ। କାର୍ଯ୍ୟକାଳ ଶେଷ ହେବା ପରେ ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପାଇଁ ଉତ୍ତର କାର୍ଲିଫର୍ଣ୍ଣିଆ ଆସିଯାଇଥିଲେ। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବାରୁ ପେରୁର ଅଧିକାରୀ ତାଙ୍କୁ ଗିରଫ କରିବା ପାଇଁ ୩୦ ହଜାର ଡଲାର ପୁରସ୍କାର ଘୋଷଣା କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ନିଜର କାର୍ଯ୍ୟକାଳ ସମୟରେ ସେ ବ୍ରାଜିଲର କମ୍ପାନୀ ଓଡବ୍ରେଷ୍ଟରୁ ୨ କୋଟି ଡଲାର ଲାଞ୍ଚ ନେଇଥିଲେ।