ବୈଶିଙ୍ଗାରେ ୬ ଡାକୟତି ଗ୍ୟାଙ୍ଗର ୧୫ ଲକ୍ଷ ଟଙ୍କାର ଗହଣା ଲୁଟ୍: ୩ ଡକାୟତଙ୍କୁ କାବୁ କରି ନିସ୍ତୁକ ଛେଚିଲେ ଲୋକେ, ୩ ଫେରାର

ବୈଶିଙ୍ଗା ୦୯/୧୧: ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ, ଏସିଡ୍‌ ଢାଳି ଲୁଟିନେଲେ ୧୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଗହଣା। ଗୁଳିମାଡ଼ରେ ଦୋକାନ ମାଲିକ ଗୁରୁତର ଆହତ ହୋଇଥିବା ବେଳେ ଏସିଡ୍‌ ମାଡ଼ରେ ତାଙ୍କ ପୁଅ ମଧ୍ୟ ଆହତ ହୋଇଛନ୍ତି। ଠିକ୍‌ ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ୩ ଡକାୟତଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ । ମାତ୍ର ଗହଣାଭର୍ତ୍ତି ବ୍ୟାଗ ସହ ୩ ଜଣ ଡକାୟତ ଫେରାର ହୋଇଯାଇଥିଲେ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ବଜାରରେ । ଧରା ପଡ଼ିଥିବା ଡକାୟତମାନେ ହେଲେ କୋଲକାତାର କୁନାଲ ବାରି (୨୯), ଗଞ୍ଜାମ ଜିଲ୍ଲା କୋଦଳା ଥାନା ବାଉଁଶିଆ ଗାଁର ବସନ୍ତ ବିଶ୍ୱାଳ (୧୯), ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ରାମପୁର ଗାଁର ମିଥୁନ ନାହକ (୩୧) ।

ବୈଶିଙ୍ଗା ବଜାରର ବିଶ୍ୱକର୍ମା ଜୁଏଲର୍ସକୁ ୬ ଜଣ ଡକାୟତ ଦୁଇଟି କଳାରଙ୍ଗର ବାଇକ୍‌ରେ ଶୁକ୍ରବାର ଦିନ ସାଢ଼େ ଗୋଟାଏ ବେଳେ ଆସିଥିଲେ । ଦୋକାନ ମାଲିକ ଧ୍ରୁବଚରଣ ମହାରଣା (୫୮) କିଛି ବୁଝିବା ପୂର୍ବରୁ ଡକାୟତମାନେ ତାଙ୍କୁ ଗୁଳି କରିଥିଲେ ଏବଂ ଉପସ୍ଥିତ ଥିବା ତାଙ୍କ ପୁଅ ରାମଚନ୍ଦ୍ର ମହାରଣା(୩୨)ଙ୍କ ଉପରେ ଏସିଡ୍‌ ଢାଳି ଦେଇଥିଲେ । ଆଖି ପିଛୁଳାକେ ଦୋକାନରେ ଥିବା ସମସ୍ତ ସୁନା, ରୁପା ଅଳଙ୍କାର ନେଇ ଡକାୟତମାନେ ଚମ୍ପଟ ମାରିଥିଲେ । ଗୁଳି ମାଡ଼ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ସଙ୍ଗେସଙ୍ଗେ ଡକାୟତଙ୍କୁ ଘେରି ଯାଇଥିଲେ ।

ସେମାନେ ଦୁଇଟି ବାଇକ୍‌ ଛାଡ଼ି ଖସି ପଳାଉଥିଲେ। ଏହି ସମୟରେ ଲୋକମାନେ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ମାତ୍ର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗନେଇ ଅନ୍ୟ ତିନି ଜଣ ଡକାୟତ ଚମ୍ପଟ ମାରିଥିଲେ । ଡକାୟତମାନେ ଚମ୍ପଟ ମାରିବା ପୂର୍ବରୁ ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡକାୟତଙ୍କ ସହିତ ଆଇଆଇସିଙ୍କ ଗୁଳି ବିନିମୟ ହୋଇଥିଲା । ଡକାୟତଙ୍କ ଛୁରି ଏବଂ ବ୍ଲେଡ ଆକ୍ରମଣରେ ଆଇଆଇସିଙ୍କ ଦୁଇଗୋଡ଼ରେ ଗଭୀର କ୍ଷତ ହୋଇଛି । ଥାନା ଆଇଆଇସି ଜନସାଧାରଣଙ୍କ କବଳରୁ ୩ ଡକାୟତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପୁନଶ୍ଚ ସୁନା ଅଳଙ୍କାର ବ୍ୟାଗ ନେଇ ଫେରାର ୩ ଡକାୟତଙ୍କୁ ଧରିବା ଲାଗି ମୟୂରଭଞ୍ଜ-ବାଲେଶ୍ୱର ସୀମା ପଦମପୁର ଜଙ୍ଗଲରେ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଅପରାହ୍ନ ପ୍ରାୟ ୫ଟାରେ ଏସ୍‌ପି ପରମାର ଏସ ପୁରୁଷୋତ୍ତମ ଦାସଙ୍କ ନେତୃତ୍ୱରେ ବୈଶିଙ୍ଗା ପୁଲିସ, ରେମୁଣା ପୁଲିସ ସହିତ ପୁଲିସ ଫୋର୍ସ ଓ ସାଧାରଣଜନତା ଅପରେସନ ଆରମ୍ଭ କରିଥିଲେ । ରିପୋର୍ଟ ଲେଖାହେବା ସୁଦ୍ଧା ସେମାନେ ରେମୁଣା ବ୍ଲକ ସଦର ଥାନା ଅଧୀନ ନିଜାମପୁର ପଞ୍ଚାୟତ ଲଙ୍କାପୋଡ଼ା ମଠ ଜଙ୍ଗଲରେ ଲୁଚିଛନ୍ତି । ପୁଲିସ୍‌ ସେମାନଙ୍କୁ ନାକାବନ୍ଦି କରି ରଖିଛି ।

ଜନସାଧାରଣଙ୍କ ମାଡ଼ରେ ଗୁରୁତର ୩ ଡକାୟତଙ୍କୁ ପ୍ରଥମେ ବୈଶିଙ୍ଗା ଏବଂ ବେତନଟୀ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଦୋକାନ ମାଲିକ ଧ୍ରୁବଚରଣ ଏବଂ ତାଙ୍କ ପୁଅ ରାମଚନ୍ଦ୍ରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଧ୍ରୁବଚରଣଙ୍କ ଅଣ୍ଟାରେ ଗୁଳିବାଜିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏସିଡ୍‌ ଆକ୍ରମଣରେ ଆହତ ପୁଅ ରାମଚନ୍ଦ୍ର ବାଲେଶ୍ୱରରେ ଚିକିତ୍ସା ହେଉଛନ୍ତି। ଘଟଣାରେ ବ୍ୟବହୃତ ଦୁଇ ବାଇକ୍‌ ପ୍ରଦୀପ କୁମାର ବିନ୍ଧାଣି ଏବଂ କମଳାକାନ୍ତ ନାୟକ ନାମରେ ପଞ୍ଜୀକୃତ ରହିଛି। ପୁଲିସ ସେଗୁଡିକୁ ଜବତ କରିଛି।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ପଞ୍ଝାରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଦୟାନଦୀ କୂଳରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ

୪ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ: ୩୦ ହଜାର ଟଙ୍କା,ପିସ୍ତଲ ଜବତ

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର