ପେଟ୍ରୋଲ ବୋତଲ ଧରି ଏମ୍ସର ଛାତ ଉପରେ ଚଢିଗଲେ ଏହି ବ୍ୟକ୍ତି, କଲେ ଏଭଳି ଦାବି…

ଉତ୍ତରାଖଣ୍ଡ,୧୫।୪:ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ) ଋଷିକେଶରୁ ନିଲମ୍ବିତ କର୍ମଚାରୀଙ୍କ ମାମଲା ଏବେ ଖୁବ୍ ବିବାଦୀୟ ହୋଇପଡିଛି। ଏମ୍ସର କର୍ମଚାରୀ ମ୍ୟାନେଜମେଣ୍ଟର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। କର୍ମଚାରୀଙ୍କ ଦାବୀ ପୂରଣ ନହେବା କାରଣରୁ ଦାତାରାମ ମମଗାଇ ନାମକ ଜଣେ ବ୍ୟକ୍ତି ପେଟ୍ରୋଲ ବୋତଲ ଧରି ଏମ୍ସର ୫ମହଲା ଛାତ ଉପରକୁ ଚଢିଯାଇଥିଲେ। ଗତ ସୋମବାର ସକାଳ ୯ଟା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖିବା ପରେ ହସ୍ପିଟାଲ କର୍ତ୍ତୁପକ୍ଷ ଭୟଭୀତ ହୋଇଯାଇଥିଲେ। ମାମଲାର ଗମ୍ଭୀରତାକୁ ଦେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ଶେଷରେ ପୋଲିସ ଦୀର୍ଘ ୪-୫ ଘଣ୍ଟା ଧରି ତାଙ୍କୁ ବୁଝାଇବା ପରେ ମଧ୍ୟାହ୍ନ ସମୟରେ ତଳକୁ ଆଣିବାରେ ସକ୍ଷମ ହୋଇଥିଲା। ଏହାପରେ ପୋଲିସ ଦାତାରାମଙ୍କୁ କଷ୍ଟଡିରେ ନେଇଥିଲା।
ଏହି ଘଟଣା ପରେ ନିଲମ୍ବିତ କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତି ଦେବାର ଦାବି ବଢିଛି। ତାଙ୍କ ସମର୍ଥନରେ ରାଜ୍ୟର ମନ୍ତ୍ରୀ ଭଗତ ରାମ କୋଠାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ତହସିଲଦାର ଓ ଏମ୍ସର ଡାଇରେକ୍ଟର ପ୍ରଫେସର ରବି କାନ୍ତଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ନିଲମ୍ବିତ କର୍ମଚାରୀଙ୍କ ପ୍ରତିନିଧି ଏମ୍ସର ଡେପୁଟି ଡାଇରେକ୍ଟରଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ କର୍ମଚାରୀଙ୍କ ସହିତ ତାଙ୍କର ଆଲୋଚନା ଫଳଶୂନ୍ୟ ରହିଥିଲା। ଆଗାମୀ ଦିନରେ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି କୁହାଯାଉଛି। ଉଲ୍ଲେଖନୀୟ ଯେ ଏମ୍ସର ୬୦ ଜଣ ନିଲମ୍ବିତ କର୍ମଚାରୀ ଗତ ୫୦ ଦିନ ହେବ ଧାରଣାରେ ବସିଛନ୍ତି।