ରାଜ୍ୟରେ କୋଭିଡ୍ରେ ବଢ଼ିଛି ରପ୍ତାନୀ ହାର – ଘୋଷଣା ହେଲା ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ରପ୍ତାନୀକୁ ନେଇ ଆମର ଗୌରବମୟ ଇତିହାସ ରହିଛି । କୋଭିଡ୍ ସମୟର ବିପତ୍ତି ଓ ପ୍ରତିକୂଳ ସ୍ଥିତି ସତ୍ତେ୍ୱ ରାଜ୍ୟର ରପ୍ତାନୀ ହାର ବଢ଼ିଛି । ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରପ୍ତାନୀ ହାର ୫୫ଧ କୁ ବଢ଼ିଛି । ବିଶ୍ୱ ମାନ୍ଦାବସ୍ଥା ଓ ଆର୍ଥିକ ଦୃଷ୍ଟିରୁ ଅନ୍ତର୍ଜାତୀୟ ସ୍ତରରେ କଠିନ ପ୍ରତିଯୋଗିତା ପରେ ବି ରାଜ୍ୟ ଉଲ୍ଲେଖନୀୟ ସଫଳତା ପାଇଛି । ଆଜି ରାଜ୍ୟ ରପ୍ତାନୀ ପୁରସ୍କାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ରପ୍ତାନୀ ପାଇଁ ବୃହତ୍ ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ନେଇ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି । ବୃହତ୍ ଶିଳ୍ପ ବର୍ଗରେ ଝାରସୁଗୁଡ଼ାର ବେଦାନ୍ତ ଲିମିଟେଡ୍କୁ ଧାତବ ସାମଗ୍ରୀ ରପ୍ତାନୀ ପାଇଁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ଦିଆଯାଇଛି । ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଛି । ଏହି ଶିଳ୍ପ ସଂସ୍ଥା ୨୦୧୭-୧୮ରେ ୧୧ହଜାର ୫୨କୋଟି ଓ ୨୦୧୮-୧୯ରେ ୧୬୮୪୫ କୋଟି ଆଲୁମିନିୟମ ସାମଗ୍ରୀ ରପ୍ତାନୀ କରିଛି । ଏମଏସଏମ୍ଇ ବର୍ଗରେ ସୁନ୍ଦରଗଡ଼ର ଆର୍ବି ଅଗ୍ରୱାଲ କମ୍ପାନୀ ପ୍ରା.ଲିଃ ଓ ୨୦୧୭-୧୮ ଓ ୧୮-୧୯ ବର୍ଷ ପାଇଁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ରପ୍ତାନୀ ପ୍ରସ୍ତୁତକାରୀ ମାପଦଣ୍ଡ(ଏକ୍ସପୋର୍ଟ ପ୍ରିପାର୍ଡନେସ୍ ଇଣ୍ଡେକ୍ସ)ର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ରହିଛି । ରପ୍ତାନୀ ଦ୍ୱାରା ରାଜ୍ୟର ପ୍ରଗତି ହେବ । ରପ୍ତାନୀକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସ୍ଥାନୀୟ ସାମଗ୍ରୀର ରପ୍ତାନୀ ପାଇଁ ଜିଲ୍ଲାସ୍ତରରେ ରପ୍ତାନୀ ପ୍ରୋତ୍ସାହନ କମିଟି ଗଢାଯାଇଛି । ଅନେକ ଏମଏସଏମଇ ସାମଗ୍ରୀ ବିଶ୍ୱ ବଜାରରେ ହେଉଥିବା ପ୍ରତିଯୋଗିତାରେ ସାମିଲ ହୋଇପାରିବ । ୟୁରୋପ ଓ ଖୁବ୍ଶୀଘ୍ର ଆମେରିକାର ଷ୍ଟୋର୍ରେ କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସ୍ଥାନ ପାଇବ ।
ସମ୍ବଲପୁରର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିଃ, ଫାଲକନ୍ ମେରାଇନ୍ ଏକ୍ସପୋର୍ଟ, ଓଡିଶା ସଲ୍ୟୁସନସ୍ ପ୍ରା.ଲିଃ, ଆବସିସ୍ ଇନଫର୍ମମେସନ୍ ପ୍ରା.ଲିଃ, ଝାରସୁଗୁଡ଼ା ବେଲପାହାଡର ଟିଆରଏଲ୍ କ୍ରୋସାକି ରିଫ୍ୟାକ୍ଟିସ୍, ଛତ୍ରପୁରର ଇଣ୍ଡିଆନ୍ ରେୟାର ଆର୍ଥ ଲିଃ, ଇନଫୋସିସ୍ ଲିମିଟେଡ୍, ଆଇଏଫଜିଏଲ୍ ରିଫ୍ୟାକ୍ଟିସ୍ ପ୍ରା.ଲିଃ, ଫେରୋ ଆଲଏଜ୍ ପ୍ରା.ଲିଃ, ଜଗତପୁରର ଜୟଭାରତ ସ୍ପାଇସେସ୍, ଗୁପ୍ତା ପାୱାର ଇନଫ୍ରାଷ୍ଟକଚର, ଶ୍ରୀରଗମ୍ ଏକ୍ସପୋର୍ଟସ୍, ଏମଏମଟିସି ଲିଃ, ଇମାମି ପେପର ମିଲସ୍ ଲିଃ, ସାବତ ଏକ୍ସପୋର୍ଟସ୍ ଲିଃ, ବାଲେଶ୍ୱର ଆଲଏଜ୍ ଲିଃକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି ।
ଉନ୍ନୟନ କମିଶନର ପ୍ରଦୀପ ଜେନା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଖଣି ଓ ଇସ୍ପାତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଅନେକ ବିଭାଗର ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।